ଗଜସାଥିଙ୍କ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପୀଢ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଦିନିକିଆ ଗଜସାଥିଙ୍କ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆଇଏଫ୍ଏସ୍ ପ୍ରୋବେସନର କେ.ନାଗାରାଜୁ ଉଦ୍ଘାଟନ କରିଥିଲେ । ଏହି ଶିବିର ଦ୍ୱାରା ଗଜସାଥିଙ୍କ ଦକ୍ଷତା ବିକାଶ ହେବା ସହ ଲୋକଙ୍କ ସହ ସମନ୍ୱୟ ରକ୍ଷା କରି ସଫଳତାର ସହ କାର୍ଯ୍ୟ କରିପାରିବେ ବୋଲି ଶ୍ରୀ ନାଗାରାଜୁ କହିଥିଲେ । ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜର ନୟନକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବନ୍ୟପ୍ରାଣୀ ବିଶେଷଜ୍ଞ ଅରବିନ୍ଦ ମାଝୀ,ଏସିଏଫ୍ ସୁରେନ୍ଦ୍ର ନାଥ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବନ୍ୟପ୍ରାଣୀ ବିଶେଷଜ୍ଞ ଅରବିନ୍ଦ ମାଝୀ ନିଜ ବକ୍ତବ୍ୟରେ ଉଭୟ ହାତୀ ଏବଂ ମଣିଷ ଙ୍କ ସୁରକ୍ଷାରେ ଗଜସାଥିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । କେନ୍ଦୁଝର ବନଖଣ୍ଡର ବିଜେପି ରେଞ୍ଜରେ ବର୍ଷସାରା ହାତୀଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହେବା ସହ ବହୁ ଲୋକ ମୃତାହତ ହେଉଛନ୍ତି । ହାତୀ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଥିବାରୁ ଦୈନନ୍ଦିନ ହାତୀ ମଣିଷ ସଂଘର୍ଷ ଜାରୀ ରହିଛି । ଏପରି କ୍ଷେତ୍ରରେ ହାତୀ ଏବଂ ମଣିଷ ଉଭୟଙ୍କର ସୁରକ୍ଷା ଜରୁରୀ ଥିବାବେଳେ ଏଥିପାଇଁ ଗଜସାଥି ନିଷ୍ଠାପର ଭାବେ କାର୍ଯ୍ୟ କରିବା ଜରୁରୀ ବୋଲି କହିଥିଲେ । ଏଲିଫ୍ୟାଣ୍ଟ ଟ୍ରାକିଂ ସମୟରେ ହାତୀର ଗତିବିଧି ଉପରେ କିପରି ନଜର ରଖାଯିବ ସେ ସମ୍ପର୍କରେ ଗଜସାଥିଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ବିଶେଷ କରି ଏଲିଫ୍ୟାଣ୍ଟ ଟ୍ରାକିଂ ସମୟରେ ନିଜର ସୁରକ୍ଷା କିପରି କରାଯିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ହାତୀର ଲକ୍ଷଣ,ଚଳପ୍ରଚଳ,ଖାଦ୍ୟ ନେଇ ଆଲୋଚନା କରାଯାଇଥିଲା । ଭୂୟାଁ ଜୁଆଙ୍ଗ ପୀଢ ବନାଞ୍ଚଳରେ ପାଣି ଏବଂ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣର ଥିବାରୁ ଏହି ରେଞ୍ଜରେ ଅଧିକ ହାତୀ ରହୁ ଥିବାରୁ ଗଜସାଥିଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ଶେଷରେ ଶୁଆକାଟୀ ସେକ୍ସନ ଫରେଷ୍ଟର ଜ୍ୟୋର୍ତିମୟୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପାର୍ଟନର ଏନ୍ଜିଓ,୩୩ଟି ବନ ସୁରକ୍ଷା ସମିତିର ସଭାପତି ଏବଂ ଆନିମେଟର ଯୋଗ ଦେଇଥିଲେ । ଫରେଷ୍ଟର ସାବିତ୍ରୀ ସାହୁ,ଫରେଷ୍ଟ ଗାର୍ଡ ମିଲିରାଣୀ ଦାସ,ଯୋଗେନ୍ଦ୍ର ନାୟକ,ଚନ୍ଦ୍ରକାନ୍ତ ମହାନ୍ତ,ଶ୍ରାବଣୀ ମହାନ୍ତ, ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ