ଗଞ୍ଜାମ ଜିଲ୍ଲାରେ ହେବ ପଞ୍ଜାବ ବିହନର ଆଳୁଚାଷ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଉଦ୍ୟାନ ଓ କୃଷି ବିଭାଗ ପକ୍ଷରୁ ଆଳୁଚାଷ ଅଧିକ ପ୍ରୋତ୍ସାହିତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ଗଞ୍ଜାମ ଜିଲ୍ଲାର ଭଂଜନଗର ଉପଖଣ୍ଡରେ ଆଳୁଚାଷ କୁ ପ୍ରାଧାନ୍ୟ ଦିଆଯାଇଛି। ଚଳିତ ଆର୍ଥିକବର୍ଷରେ ଭଂଜନଗର ଉପଖଣ୍ଡ ୧୦୮ ହେକ୍ଟର ଜମିରେ ଆଳୁଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବର୍ତ୍ତମାନ ସୁଦ୍ଧା ଜଗନ୍ନାଥ ପ୍ରସାଦ ବ୍ଲକକୁ ୧୦୫ କୁଇଣ୍ଟାଲ ଆଳୁ ବିହନ ଆସିଛି। ସେହିପରି ବେଲଗୁଣ୍ଠା କୁ ୧୦୫ କୁଇଣ୍ଟାଲ, ଭଂଜନଗର କୁ ୧୧୦ କୁଇଣ୍ଟାଲ ଏବଂ ସୋରଡ଼ା କୁ ୯୦ କୁଇଣ୍ଟାଲ ଆଳୁ ବିହନ ଆସିଥିବାସହିତ ତାହା ଚାଷୀଙ୍କୁ ପ୍ରଦାନ କରାଯାଇଛି। ଏହି ବିହନ ପଞ୍ଜାବର କୁଫ୍ରିଯ୍ୟୋତି ଭଳି ଉନ୍ନତ କିସମର ହୋଇଥିବା ବେଳେ ଏହା ଚାଷୀଙ୍କୁ ବେଶି ଲାଭ ଦାୟକ ହେବ ବୋଲି ଉଦ୍ୟାନ କୃଷି ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି। ଯାହାର ଦମ୍ କିଲୋ ପ୍ରତି ୪୨.୮୩ ଟଙ୍କା ରହିଥିବା ବେଳେ ତାହା ଚାଷୀ ମାନେ ୨୦ ଟଙ୍କାରେ କିଣି ନେଇ ପାରିବେ। ଭଂଜନଗର ଉପଖଣ୍ଡରେ ୧୮୦ ହେକ୍ଟର ଜମିରେ ଆଳୁଚାଷ ପାଇଁ ଲକ୍ଷ୍ୟ ରହିଛି। ଭଂଜନଗର ବ୍ଲକ ରେ ୨୫ ହେକ୍ଟର, ବେଲଗୁଣ୍ଠା ବ୍ଲକରେ ୨୦ ହେକ୍ଟର, ଜଗନ୍ନାଥ ପ୍ରସାଦ ବ୍ଲକରେ ୨୨ ହେକ୍ଟର, ସୋରଡ଼ା ବ୍ଲକରେ ୨୦ ହେକ୍ଟର, ଧରାକୋଟ ୨୨ ହେକ୍ଟର, ଶେରଗଡ଼ ୨୦ ହେକ୍ଟର, ଆସିକା ବ୍ଲକରେ ୨୨ ହେକ୍ଟର ଏବଂ ବୁଗୁଡ଼ା ବ୍ଲକରେ ୨୯ ହେକ୍ଟର ଜମିରେ ଆଳୁଚାଷ ପାଇଁ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି। ବିହନ ଲଗାଇବା ସମୟର ଫଟୋ ଏଵଂ ଅମଳ ସମୟର ଫଟୋ ଦାଖଲ କଲେ ସେମାନଙ୍କୁ ସବସିଡି ବାବଦ କୁ କିଲୋ ପ୍ରତି ୧୦ ଟଙ୍କା ମଧ୍ୟ ସେମାନଙ୍କ ବ୍ୟାଙ୍କ ଖାତାକୁ ଦିଆଯିବ ବୋଲି ସହକାରୀ କୃଷି ଅଧିକାରୀ ମାନସ କୁମାର ରଣା ସୂଚନା ଦେଇଛନ୍ତି।