ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଅନ୍ୱେସା ହଷ୍ଟେଲ ଗସ୍ତ, ପରିମଳ ବ୍ୟବସ୍ଥାକୁ ଦେଖି ବିରକ୍ତି ପ୍ରକାଶ କଲେ
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ଉମରକୋଟ ଝରୀଗାଁ ରୋଡ଼ ଠାରେ ଥିବା ଅନ୍ଵେଷା ହଷ୍ଟେଲ କୁ ଅଚାନକ ପରିଦର୍ଶନରେ ଯାଇ ସ୍ଥିତି ପରଖିଥିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସକାଳ ୯ଟା ସମୟରେ ମନ୍ତ୍ରୀ ଙ୍କ ଅଚାନକ ଗସ୍ତ କୁ ଦେଖି ହଷ୍ଟେଲ ର ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ। ପ୍ରଥମେ ପିଲାଙ୍କ ଖାଦ୍ୟର ମାନ ପରୀକ୍ଷା କରିବା ସହ ପିଲାଙ୍କୁ ଖାଇବା ମଧ୍ୟ ପରସି ଥିଲେ ମନ୍ତ୍ରୀ। ହଷ୍ଟେଲ ପରିସର ରେ ପଡ଼ିଥିବା ଅଳିଆ ଆବର୍ଜନା ଓ ନାଳ ନର୍ଦମା ଗୁଡିକ ଦେଖି ବିରକ୍ତ ପ୍ରକାଶ କରିଥିଲେ। ପିଲାଙ୍କୁ ଦିଆଯାଉଥିବା ପାଣିଆ ତରକାରୀ ଦେଖି ଆଗାମୀ ଦିନରେ ତରକାରୀ ର ମାନ ଠିକ କରିବାକୁ ତାଗିଦ କରିଥିଲେ ।ସେହିଭଳି ହଷ୍ଟେଲ ପିଲାଙ୍କ ସହ ବସି ହଷ୍ଟେଲ ଓ ସ୍କୁଲରେ କଣ ସମସ୍ୟା ଅଛି ସେ ବିଷୟରେ ଆଲୋଚନା କରିଥିଲେ।ପିଲାଙ୍କ ପାଇଁ ସରକାର ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଯେ କେହି ବି ନିୟମ ଖିଲାପ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ସେହିଭଳି ହଷ୍ଟେଲ ରେ ୫୦୦ ଛାତ୍ର ଛାତ୍ରୀ ରହୁଥିବା ବେଳେ ବର୍ଷେ ହେଲା ପିଲାଙ୍କୁ ସ୍କୁଲ ୟୁନିଫର୍ମ ମିଳିନାହିଁ ବୋଲି ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା।ଘଟଣା ବିଷୟରେ ଶୁଣି ତୁରନ୍ତ ଉକ୍ତ ଘରୋଇ ଶିକ୍ଷା ଅନୁଷ୍ଠାନ ର ଅଧିକାରୀ ଙ୍କୁ ଡ୍ରେସ ଯୋଗାଇ ଦେବାକୁ ତାଗିତ କରିଥିଲେ ମନ୍ତ୍ରୀ । ହଷ୍ଟେଲର ସମସ୍ତ ଷ୍ଟାଫ ଙ୍କୁ ମଧ୍ୟ ତାଗିଦ କରିବା ସହ ଯଦି ପିଲାଙ୍କ ପ୍ରତି ଅବହେଳା ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।