ଗାଡ଼ି ଯାଂଚ ସହ ଜୋରିମାନା ଆଦାୟ
ହିଞ୍ଜିଳିକାଟୁ, (ୱାଇଏନଏସ): ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ପ୍ରତ୍ୟେହ ସକାଳ ୭ଟା ଠାରୁ ମଧ୍ୟାନ୍ନ ୧୨ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର ଖୋଲିବା ସକାଶେ ଅନୁମତି ପ୍ରଦାନ କରାଯାଇଛି । ଅତ୍ୟାବଶ୍ୟକ ହେଲେ ଘରୁ ବାହାରକୁ ବାହାରିବା ଏବଂ ଜରୁରୀ ପରିସ୍ଥିତିରେ ଗାଡ଼ି ମୋଟର ବ୍ୟବହାର କରିବା ସକାଶେ ପରାମର୍ଶ ଦିଆଯାଇଛି । ହେଲେ ପ୍ରଶାସନର କଟକଣାକୁ ଖାତିର ନକରି ସ୍ଥାନୀୟ ଅଂଚଳର କିଛି ଅମାନିଆ ବିନା କାରଣରେ ବାଇକରେ ସହରସାରା ଚକ୍କର କାଟୁଥିବାର ନଜିର ରହିଛି । ଏହାକୁ ନଜରରେ ରଖି ପୁଲିସ ଓ ରାଜସ୍ୱ କର୍ମଚାରୀ ମାନେ ସହରର ବିଭିନ୍ନ ସ୍ଥାନରେ ଯାଂଚ କରି ବିନା କାରଣରେ ବାଇକରେ ବୁଲୁଥିବା ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରୁଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ରକ୍ଷା କରୁନଥିବା ବ୍ୟବସାୟିକ ପ୍ରତିଷ୍ଠାନ ମାଲିକଙ୍କ ଠାରୁ ଏବଂ ବିନା ମାସ୍କରେ ବାହାରକୁ ଆସିଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି । ତହସିଲଦାର ଗୋପିନାଥ କୁଅଁର ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ମିଳିତ ସହଯୋଗରେ ପୁଲିସ ଓ ରାଜସ୍ୱ କର୍ମଚାରୀ ମାନେ ସହରର ବିଭିନ୍ନ ଛକ ସ୍ଥାନରେ ଯାନବାହାନ ଯାଂଚ କରି ଜୋରିମାନା ଆଦାୟ କରୁଥିବା ବେଳେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ତତ୍ୱାବଧାନରେ ପୌର କର୍ମଚାରୀ ମାନେ ପୌରାଂଚଳର ବିଭିନ୍ନ ବଜାର ପରିଦର୍ଶନ କରି ସୋସିଆଲ ଡ଼ିସଟାନ୍ସ ରହିନଥିବା ବ୍ୟବସାୟିକ ମାଲିକଙ୍କ ଠାରୁ ଜୋରିମାନା ଆଦାୟ କରୁଛନ୍ତି ।