ଗୁରୁ ହିଁ ସାକ୍ଷାତ ଇଶ୍ଵର
ଗାଁଟା ସାରା ଲୋକ ଜମା ହୋଇଥିଲେ ବୁନୁ ଘରେ. ଘର କହିଲେ ବତା ବାଉଁଶ ଆଁ କରିଥିବା ମାଟିଘରେ ବର୍ଷାପାଣି ଆଉ ଦାଣ୍ଡ ଦୁଆରେ ଜିପ ଲାଗିଛି. ଆଶ୍ରମର କର୍ମକର୍ତ୍ତା ମାନେ ବୁନୁକୁ ଫେରାଇ ନେବାକୁ ଆସିଛନ୍ତି କିନ୍ତୁ ବୁନୁ ପାଗେଳା ଗଡି ଯାଉଛି ଘରେ. ଗାଉଛି ଗୀତଟିକୁ. ଏଇ ଘରଟିରେ ଜନମ ମୋର.. ଏଇ ଘରେ ମା ପରିବା କାଟେ.. ଯାଇ ରଗଡ଼େ.. ବେସର ବାଟେ.. ହଉ ପଛେ ଘର ଚାଳ ଛପର… ମୋ ଘରେ ଅଛନ୍ତି ମୋ ପିତା ମାତା ଠାକୁର. ବୁନୁର ପିତା ମାତା ନଥିଲେ. ଜଣଙ୍କ ପରେ ଜଣେ ଚାଲିଯିବା ପରେ ଯାହା ଯେମିତି ବୁନୁ ନିଜ ବାପାଙ୍କ ମନ୍ଦିର ସେବାୟତଗିରି କାମ କରି ଚଳିଯାଉଥିଲା କିନ୍ତୁ ସେ ଯେବେ ପାଗଳ ହେଲା, ସମସ୍ତଙ୍କୁ ବକାବନା କଲା. ପାଳିକରି ଗାଁର ଘରୁ ଘରୁ ଖାଦ୍ୟ ଦେଲେ ମଧ୍ୟ ଫିଙ୍ଗା ଫୋପଡ଼ା କଲା ତ ଗ୍ରାମବାସୀ ଏକାଠି ବସି ଫଇସଲା କଲେ ବୁନୁକୁ ଆଶ୍ରମରେ ଛାଡ଼ିଦେବା. ଖାଇପିଇ ରହିବ ବିଚରା ପାଗଳ. ଯଦି ଭାଗ୍ୟ ସାଥ ଦେବ ତ ବୁନୁ ପୁଣି ଆଗ ପରି ସବୁ ବୁଝିବ. ମନ୍ଦିରରେ ସେବା କଲେ ତା ପେଟ ଅପୋଷା ରହିବ ନାହିଁ. ଆଶ୍ରମରେ ଖାଇବା ସହ ମାନସିକ ଅସନ୍ତୁଳନ ପାଇଁ ଯୋଗଗୁରୁ, ଶିକ୍ଷାଗୁରୁ, ଦୀକ୍ଷାଗୁରୁ ମଧ୍ୟ ଅଛନ୍ତି. ସେହିମାନଙ୍କ ଶିକ୍ଷା ପାଇ ତ ବୁନୁ ଗାଉଛି ସେହି ଛବିଳ ବର୍ଣ୍ଣବୋଧ ବହିର ଗୀତ ସାଙ୍ଗକୁ ଛୋଟ ମୋର ଗାଁଟି ଓ ଏଇଘରଟିରେ ଜନମ ମୋର. ନିର୍ଭୁଲ ନହେଲେ ମଧ୍ୟ ଅର୍ଥ ଆଣି ପଦସବୁକୁ ବୁଝିବା ସମର୍ଥ କରି ଗାଉଛି, କିନ୍ତୁ ଆଶ୍ରମରୁ ଆସିଲା କେମିତି? ଏଠି ଖାଇବ କଣ? ତା ଅବସ୍ଥାରେ ପରିବର୍ତ୍ତନ ହେବ କେମିତି. ଯୋଗାଯୋଗ କରି ଗ୍ରାମଲୋକ ପୁଣି ଡକାଇଲେ ସେମାନଙ୍କୁ ହେଲେ ବୁନୁ ଯାଉନି. ଶେଷକୁ ଲୋକେ ନିଷ୍ପତ୍ତି ନେଲେ ବୁନୁର ଭଙ୍ଗା ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଉ. ଘର ଥିବ ନା ବୁନୁ ଘର ଘର ହୋଇ ବେଘର ହେବାକୁ ଚାଲିଆସିବ. ସେୟା ହେଲା ଘରର ଅବାଶିଷ୍ଠ ଚାଳ, ରୁଅ, ବାଉଁଶ ସବୁକୁ ମାଟିରେ ମିଶାଇ ଦିଆଗଲା ଓ ବୁନୁକୁ ଜୋର ଜବରଦସ୍ତ ଜିପରେ ବସାଇଦିଆଗଲା.
ଆଜି ସେପ୍ଟେମ୍ବର ପାଞ୍ଚ ତାରିଖ. ଗୁରୁଦିବସ. ଗାଁ ପିଲାମାନେ ସ୍କୁଲକୁ ଯିବେ. ଗୁରୁପୂଜା କରିବେ ବୋଲି ଅନ୍ଧାରୁ ଅନ୍ଧାରୁ ଉଠି ଫୁଲ ତୋଳିବାକୁ ଗଲେ. ବୁନୁ ଘର ଡିହରେ ଗାଁ ଲୋକ ଫୁଲଗଛ ପୋତିଛନ୍ତି. ହେଲେ ଏତେ ରାତିରୁ ଗୋଟିଏ ଫୁଲ ଗଛରେ ନାହିଁ ଦେଖି ପିଲାଏ ଫେରିଲେ. ବଡ଼ମାନେ କହିଲେ ଆରେ ଅନ୍ଧାର ହଟୁ ଯିବ. ଫୁଲ ଦେଖାଯାଉନଥିବେ. ପିଲାମାନେ କିଛି କହିବା ପୂର୍ବରୁ ଫର୍ଚ୍ଚା ହୋଇଥିଲା. ସକାଳର ସୁନେଲି ଖରାରେ ପିଲାଠାରୁ ବୁଢା ଯାଏଁ ଯାହା ଦେଖିଲେ ଆଚମ୍ବିତ କଣ ତାଜୁବ ହେଲେ. ବୁନୁ ଫୁଲ ତୋଳି ମାଳ କରିଛି ଆଉ ଆସ୍ଥାନ ପକାଇ କହୁଛି ମୋ ମାତା ପିତା ମୋର ପ୍ରଥମ ଗୁରୁ. ଏ ଘରେ ସେମାନେ ଥିଲେ, ଅଛନ୍ତି ଓ ରହିଥିବେ. ତାଙ୍କୁ ଛାଡି ମୁଁ କୋଉଠି ରହିଁବିନି. ମତେ ଦୟା କର. ସେମାନଙ୍କୁ ପୂଜା କରି ମୁଁ ଗୁରୁଦିବସ ପାଳି ପୁଣି ଚାଲିଯିବି. ତୁମକୁ ହଇରାଣ କରିବିନି ଜମା. ତୁମେ ସବୁ ମଧ୍ୟ ମୋର ଗୁରୁ. ଆସ ଆସ ଏ ଫୁଲ ଚନ୍ଦନ ପିନ୍ଧେଇ ଦେବି ଓ ପ୍ରଣାମ କରିବି ସମସ୍ତଙ୍କୁ. କାହା ପାଟିରେ ବଚନ ନଥିଲା ଥିଲା କେବଳ ଆଖିରେ ଲୁହ.
ସେଇ ଗାଁରେ ରହନ୍ତି ଗୁରେଇ ମାଉସୀ ଗାଁଟା ସାରା ଗୁରେଇ ମାଉସୀ ସବୁରି ପ୍ରିୟ. ସମସ୍ତେ ତାଙ୍କୁ ଭଲ ପାଆନ୍ତି. ଯିଏ ଯେତେବେଳେ ଡାକିଲେ ବୁଢ଼ୀ ତାଙ୍କ ଘରେ ହାଜର. କାହାର ମୁଢି ଭାଜନ୍ତି ତ କାହାର ବଡି ପାରନ୍ତି, କାହାକୁ ପିତା ଶାଗ ତୋଳି ଦିଅନ୍ତି ତ କାହା ଘରେ ନଡ଼ିଆ କୋରାନ୍ତି. ପୁଣି କୋଉଦିନ ପାଚିଲା ତାଳରୁ ଦୋରୁଅ କାଢି ତାଳ ପିଠା କରି ବାଣ୍ଟନ୍ତି ତ କେଵେ ଆରିଷା ପିଠା ଛାଣୁଥାଆନ୍ତି କିନ୍ତୁ ମନ ତାଙ୍କର ଖୁବ ଦୁଃଖ ଥାଏ ଯେ ସେ ଠାକୁରଙ୍କର କିଛି ସେବା କରିପାରୁନାହାଁନ୍ତି. ସେ ଲଗାଉଥିବା ଭୋଗ ମଧ୍ୟ ଠାକୁର କେଵେ ଖାଉନାହାଁନ୍ତି ବରଂ ପିମ୍ପୁଡି ଜନ୍ଦା ଖାଉଛନ୍ତି. କେହି କେହି ତାଙ୍କୁ ବୁଝାନ୍ତି ଆଲୋ ଗୁରେଇ ମାଉସୀ ଠାକୁର ପରା ସମସ୍ତଙ୍କ ଦେହରେ ଅଛନ୍ତି. ଆମେ ସବୁ ଖାଉଛୁ ଶ୍ରଦ୍ଧାରେ ତୁମ ହାତ ପ୍ରସ୍ତୁତ କୋରା,ଲଡ଼ୁ, ପିଠା ଇତ୍ୟାଦି. ସକଳ ଘଟେ ପରା ନାରାୟଣ. ଆମେ ସବୁ ଖାଉଛୁ ମାନେ ଠାକୁର ଖାଉଛନ୍ତି. ଏସବୁ କଥା ଗୁରେଇ ମାଉସୀ ଶୁଣି ଖୁସି ହୁଅନ୍ତି ସତ ହେଲେ ମନ ବୁଝିଲେ ଆଖି ବୁଝେନା ଭଳି ଲାଗେ ତାଙ୍କୁ.ଆଜି ଯେବେ ବୁନୁ କଥା ଶୁଣିଲେ ତ ବୁନୁକୁ କହିଲେ ତୁ ମୋ ଭଗବାନ ପୁଅ. ଅଜ୍ଞାନ ବାଳକ ପରି କିଛି ବୁଝୁନଥିବା ଜାଣୁନଥିବା ବୁନୁ କହୁଥିଲା ହଁ ମା ମୁଁ ତୁମର କୁନି ଠାକୁର. ସେହି ଦିନ ଠାରୁ ବୁନୁର ସମସ୍ତ ଭାର ଗୁରେଇ ମାଉସୀ ନେଇଥିଲେ. ବୁନୁ ଯେବେ ମାଆ ବୋଲି ଡାକିଦିଏ ଗୁରେଇ ମାଉସୀ ଛାତି କୁଣ୍ଢେମୋଟ ହୋଇଯାଏ.
ସେଦିନ ରାମଚରିତମାନସ ପାରାୟଣ ଗାଁରେ ବୋଲା ଯିବାକୁ ସ୍ଥିର ହେଲା. ଅଧ୍ୟାୟ ଲେଖାଏଁ ପାଠ କରିସାରିବା ପରେ ପଣ୍ଡିତମାନେ ସେସବୁକୁ ବାଖ୍ୟା କରନ୍ତି ତା ସହିତ ଅନ୍ୟାନ୍ୟ ଉପାଦେୟ କଥା ସବୁକୁ ସୁନ୍ଦର କାହାଣୀ ଆକାରରେ ବୁଝେଇ କହନ୍ତି. ସେଦିନ ଭଗବାନଙ୍କୁ ପ୍ରତ୍ୟେକ୍ଷ ନଦେଖିଲେ ମଧ୍ୟ ଆମେ ପରୋକ୍ଷରେ ଦେଖିଥାଉ କଥାଟି କହି ପଣ୍ଡିତ ମହାଶୟ ଗୋଟେ ସୁନ୍ଦର କାହାଣୀ କହୁଥାନ୍ତି. ପଣ୍ଡିତମାନଙ୍କ ପାଇଁ ନିଷ୍ଠାରେ ରନ୍ଧାବଢ଼ା କରିବା ଦାୟିତ୍ୱ ଗୁରେଇ ମାଉସୀଙ୍କ ଉପରେ ପଡିଥାଏ. ସେ ମଧ୍ୟ ଶୁଣୁଥାଆନ୍ତି. ପଣ୍ଡିତ କହିଲେ ଗୁରୁ ଶିଷ୍ୟ ଦୁହେଁ ସେଦିନ ବାଟରେ ଯାଉ ଯାଉ ଶିଷ୍ୟ କହିଲା ସାଧୁଜୀ ଭଗବାନ କୋଉ ରୂପରେ ଦେଖାଯାଆନ୍ତି କହିବେକି ଦୟା କରି ତ ସାଧୁ କହିଲେ ପକା କମଳ ଆରେ ତୁ ପୋତ ଛତା.. ଶୁଣୁ ଅବୋଲକରା କହେ ସେକଥା. ସାଧୁଜୀକହିବାକୁ ଆରମ୍ଭ କଲେ.କହିଲେ ପ୍ରଥମତଃ ଗୁରୁ ରୂପେ ପିଲାଦିନେ ପିତା ମାତା ରୂପେ, ତା ପରେ ବିଦ୍ୟାଗୁରୁ, କର୍ଣ୍ଣମନ୍ତ୍ର ଗୁରୁ ଓ ପ୍ରକୃତି ଗୁରୁ ରୂପେ ଭଗବାନ ଆମ ପାଖେ ବିଦ୍ୟମାନ ଥାଆନ୍ତି.
ଗୋଟିଏ ଗାଁରେ ମନ୍ଦିର ପୂଜକଙ୍କ ମନ ମାନୁନଥିଲଲା.ପୂଜକ କହୁଥିଲେ ଭଗବାନ ତାଙ୍କ ହାତରୁ ଭୋଗ ଖାଉନାହାଁନ୍ତି. ଜମିଦାର ଯେତେ ବୁଝେଇଲେ ମଧ୍ୟ ତାଙ୍କ ମନ ମାନୁନଥାଏ. ସବୁଦିନ ଶୋଇବା ପୂର୍ବରୁ ସେକଥା କହି ପ୍ରଭୁଙ୍କୁ ମୁଣ୍ଡିଆ ମାରି ଶୁଅନ୍ତି ତ ସେଦିନ ରାତିରେ ପ୍ରଭୁ ସ୍ୱପ୍ନରେ ଆସି କହିଲେ ମୁଁ ତ ସବୁଦିନ ଆସେ ତୁମ ଭୋଗ ପ୍ରସାଦ ଖାଇବାକୁ. କେଵେ କୁକୁର ରୂପରେ ତ କେଵେ ଷଣ୍ଢ ରୂପରେ, କେଵେ ଛୋଟ ଶିଶୁ ରୂପରେ ତ କେଵେ ଜନ୍ଦା ପିମ୍ପୁଡି ରୂପରେ. ତୁମେ କିନ୍ତୁ ସେମାନଙ୍କୁ ଚିହ୍ନି ନପାରି ଘଉଡ଼ାଇ ଦିଅ.ମୁଁ ଭଗବାନ ସମସ୍ତଙ୍କ ହୃଦୟ ତଥା ଆତ୍ମାରେ ଥାଏ ଯିଏ ଜ୍ଞାନଚକ୍ଷୁ ଖୋଲି ବୁଝିପାରିଲା ସେ ହିଁ ମତେ ଦେଖିପାରେ. ଗୁରୁଙ୍କ କଥା ସରିଛି କି ନାହିଁ ଶିଷ୍ୟ କହିଲା ବୁଝିଗଲି ଗୋସେଇଁ. ଭୋକିଲା ପଶୁ,ପକ୍ଷୀ, କୀଟପତଙ୍ଗ ଓ ଶରୀସୃପମାନଙ୍କୁ ଖାଦ୍ୟ ପାନୀୟ ଦେବା ହିଁ ଭଗବାନଙ୍କୁ ଦେବା.ସେହିମାନଙ୍କ ରୂପରେ ତ ଭଗବାନ ଆସିଥାଆନ୍ତି. ଗୁରୁ ମଧ୍ୟ ଏସବୁ କଥା ବୁଝେଇ ମନ ଓ ହୃଦୟର ରୁଦ୍ଧ ଦ୍ୱାର ଖୋଲିଦେଇଥାନ୍ତି କହି ଶିଷ୍ୟ ଗୁରୁଙ୍କ ପାଦ ତଳେ ପଡି ସାଷ୍ଟାଙ୍ଗ ପ୍ରଣାମ ହେଉଥିଲେ. ଏଣେ ଏସବୁ ଶୁଣି ଗୁରେଇ ମାଉସୀଙ୍କ ଆଖିରେ ଲୁହ. ତା ପରାଦିନଠୁ ସେ ଭୋଗରୁ ପିମ୍ପୁଡି ଜନ୍ଦାଙ୍କୁ ଝାଡନ୍ତିନି କି କୁକୁରକୁ ବିଲେଇଙ୍କୁ ଭୋଗ ଦେବା ଅନୁଚିତ କୁହନ୍ତିନି. ଦୁଆରକୁ କେହି ଷଣ୍ଢ ଗାଈ କୁକୁର ବା ଶିଶୁ ଆସିଲେ ପେଟ ଭରି ଖାଇବାକୁ ଦିଅନ୍ତି. ଗୁରୁଦିବସ ଦିନ ଗାଁରେ ରାମପାରାୟଣ ଶେଷ ହୋଇଥିଲା ଆଉ ସେହି ଦିନ ଗୁରେଇ ମାଉସୀଙ୍କର ସ୍ବର୍ଗବାସ. ସମସ୍ତେ କହୁଥିଲେ ମଣିଷ ରୂପେ ଗୁରେଇ ମାଉସୀ ଦେବୀ ଥିଲେ ଯିଏକି ନିଜେ ଭଗବାନଙ୍କ ସ୍ୱରୂପ ଥାଇ ଅନ୍ୟମାନଙ୍କ ଭିତରେ ଭଗବାନଙ୍କ ସତ୍ତା ଉପଲବ୍ଧି କରିଥିଲେ. ଅବୁଝା ବୁନୁ କାନ୍ଦୁଥିଲା ଖୁବ.
ସୁନନ୍ଦା ମହାନ୍ତି
ସାକ୍ଷିଗୋପାଳ
ପୁରୀ