ଚକ୍ରବ୍ୟୁହରେ ଚତୁର୍ଥ ସ୍ତମ୍ଭ

ଗଣତନ୍ତ୍ରକୁ ସୁଦୃଢ ଓ ସଶକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଗଣମାଧ୍ୟମ। ଆଉ ଗଣମାଧ୍ୟମକୁ ସଠିକ୍ ଭାବରେ ପରିଚାଳନା କରିବାରେ ସାମ୍ବାଦିକମାନେ ଜାଗ୍ରତ ପ୍ରହରୀ ଭଳି ଉଭା ହୋଇଥାନ୍ତି। ଯେଉଁ ଦେଶରେ ଗଣତନ୍ତ୍ରର ସ୍ୱର ଯେତେ ପ୍ରଖର, ସେ ଦେଶ ସେତେ ଉନ୍ନତ ଓ ଦୁର୍ନୀତିମୁକ୍ତ। ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରିବାରେ ଗଣତନ୍ତ୍ର ପ୍ରମୁଖ ଅସ୍ତ୍ର ଭାବେ କାର୍ଯ୍ୟ କରିଥାଏ। ସେଥିପାଇଁ ଗଣମାଧ୍ୟମକୁ ଚତୁର୍ଥସ୍ତମ୍ଭର ମାନ୍ୟତା ମିଳିଛି। ଗଣମାଧ୍ୟମ କେବଳ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ନୁହେଁ, ବରଂ ଦେଶ ବିଦେଶରେ ଘଟୁଥିବା ଘଟଣାବଳୀକୁ ନେଇ ସାଧାରଣ ଜନତାଙ୍କ ନିକଟରେ ଖବର ପହଞ୍ଚାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସତ୍ୟ, ନିର୍ଭୀକ ଓ ନିରପେକ୍ଷ ଖବର ପରିବେଷଣ ଦ୍ୱାରା ହିଁ ଗଣମାଧ୍ୟମ ଉପରେ ବିଶ୍ୱାସନୀୟତା ବଢିଥାଏ। କଲମ ମୁନରେ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା, ଗଣତନ୍ତ୍ରର ମୂଲ୍ୟବୋଧକୁ ସମ୍ମାନର ସହ ବଞ୍ଚାଇ ରଖିବା ଓ ସାଧାରଣ ଜନତାଙ୍କ ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଗଣମାଧ୍ୟମର ମୂଳ ଲକ୍ଷ୍ୟ। ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଭାରତ ଏକ ସାର୍ବଭୌମ, ଧର୍ମନିରପେକ୍ଷ, ସମାଜବାଦୀ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ମାନ୍ୟତା ପାଇଥିଲା ଏବଂ ଗଣତନ୍ତ୍ର ରାଷ୍ଟ୍ରରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଏବଂ ଗଣମାଧ୍ୟମକୁ ନେଇ ଚାରୋଟି ସ୍ତମ୍ଭ କାର୍ଯ୍ୟକାରୀ ହୋଇଥିଲା। ଦେଶର ସାମଗ୍ରିକ ବିକାଶ ଦିଗରେ ଗଣମାଧ୍ୟମର ଭୂମିକା ରହିଛି। ସେହିପରି ଗଣତନ୍ତ୍ରକୁ ସୁପରିଚାଳନା କରିବା ଦିଗରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ସଂଗଠିତ ହେଉଥିବା ଘଟଣାବଳୀ ସମ୍ପର୍କରେ ସଠିକ୍ ତଥ୍ୟ ଉପସ୍ଥାପନ କରିବା ଗଣମାଧ୍ୟମର କର୍ତ୍ତବ୍ୟ। ସେହି ଦୃଷ୍ଟିରୁ ଚାରିସ୍ତମ୍ଭ ମଧ୍ୟରୁ ଗଣମାଧ୍ୟମକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସମାଜର ପରଦା ପଛରେ ଲୁଚି ରହିଥିବା ଅବହେଳିତ, ନିଷ୍ପେସିତ ପ୍ରତିଭାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାରେ ମଧ୍ୟ ଗଣମାଧ୍ୟମର ଯଥେଷ୍ଟ ଅବଦାନ ରହିଛି। ଗଣମାଧ୍ୟମକୁ ସଠିକ୍ ଭାବେ ପରିଚାଳନା କରିବାକୁ ହେଲେ ସାମ୍ବାଦିକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦିନରାତି, ଶୀତ କାକର, ଖରା, ବର୍ଷା ଓ ଭୋକ ଉପାସକୁ ଖାତିର ନକରି ବର୍ଷକ ୩୬୫ ଦିନ ନିଜର ଦାୟିତ୍ୱ ସମ୍ପାଦନ କରୁଥିବା ଗଣମାଧ୍ୟମ ଓ ସାମ୍ବାଦିକ ସର୍ବଦା ସମାଜରେ ସୁନାମ କମାଇ ଥାଆନ୍ତି।
୨୦୦୩ ମସିହାରେ ଚାଇନା ଦେଶରେ ଏକ ଭୟଙ୍କର ରୋଗ ମହାମାରୀର ରୂପ ନେଇଛି ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ଖବର ଛାପି ଜଣେ ବ୍ୟକ୍ତି ସରକାରଙ୍କ ଦ୍ୱାରା ଗିରଫ ହେବା ଏବଂ ପରବର୍ତ୍ତୀ ସମୟରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଖବର ବିଭିନ୍ନ ଖବରକାଗଜରେ ପ୍ରକାଶନ କରି ମୁଖ୍ୟ ଶିରୋନମା ପାଲଟିଥିଲେ ଜଣେ ସାମ୍ବାଦିକ। ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସାମ୍ବାଦିକ ଜଣକ ରୋଶର ଶିକାର ହୋଇଥିଲେ ଏବଂ ଜେଲ୍ ମଧ୍ୟ ଯାଇଥିଲେ। ତତ୍କାଳୀନ ସମୟରେ ଚାଇନାରେ ଖବରକାଗଜଗୁଡ଼ିକର ମାଲିକ ଥିଲେ ଖୋଦ୍ ଶାସକ ଦଳ। ହେଲେ ସାମ୍ବାଦିକ ଜଣକ ଏସବୁକୁ ଭ୍ରୁକ୍ଷେପ ନକରି ବା ଶାସକ ଦଳକୁ ଭୟ ନକରି ନିଜର ଚିରାଚରିତ ଭାବେ ନିରପେକ୍ଷ ଖବର ପରିବେଷଣ କରିଚାଲିଥିଲେ। ସରକାରଙ୍କ ନାଲିଆଖି ଓ ଜେଲ୍‌ର ଭୟ ସାମ୍ବାଦିକ ଜଣଙ୍କୁ ପ୍ରଭାବିତ କରିନଥିଲା। ଅଶୀ ଠାରୁ ମସିର ବଳ ବେଶି ଉକ୍ତିକୁ ପ୍ରତିପାଦନ କରି ଉକ୍ତ ସାମ୍ବାଦିକ ଜଣକ ଆଗକୁ ଆଗକୁ ମାଡ଼ି ଚାଲିଥିଲେ। ଚାଇନାରେ ଚାଲୁଥିବା ଏକଛତ୍ରବାଦ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସାମ୍ବାଦିକତାର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିଲେ ଉକ୍ତ ସାମ୍ବାଦିକ ଜଣକ। ନିଜର ନିଷ୍ଠାପର ଉଦ୍ୟମ ଯୋଗୁ ପରବର୍ତ୍ତୀ ସମୟରେ ସାମ୍ବାଦିକ ଜଣକ ୨୫ ହଜାର ଡଲାର ପୁରସ୍କାର ପାଇଥିଲେ। ସେହିବର୍ଷ ଠାରୁ ସେଠାରେ ଜଣେ ନିର୍ଭୀକ ଓ ସଚ୍ଚୋଟ ସାମ୍ବଦିକଙ୍କୁ ପୁରସ୍କାର ବାବଦରେ ଏହି ଅର୍ଥରାଶି ପ୍ରଦାନ କରାଯାଇ ଆସୁଅଛି।
ଦେଶ ସ୍ୱାଧୀନତାପ୍ରାପ୍ତିର ୧୯ ବର୍ଷ ପରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ ଓ ସଫଳ କରିବା ଉଦ୍ଦେଶ୍ୟରେ ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ଭାରତରେ ପ୍ରେସ୍ କାଉନ୍‌ସିଲ୍ ଗଠନ କରାଯାଇ କାର୍ଯ୍ୟ ଆରମ୍ଭ କରିଥିଲା ଓ ସମ୍ବାଦବାହୀ ଗଣମାଧ୍ୟମକୁ ସାମଗ୍ରିକ ଭାବେ ପ୍ରେସ୍ ବୋଲି କୁହାଗଲା। ଏକ ନିର୍ଭୀକ, ନିରପେକ୍ଷ, ମୁକ୍ତ ଓ ଦାୟିତ୍ୱଶୀଳ ପ୍ରେସ୍‌ର ପ୍ରତୀକ ଭାବରେ ଏହି ଦିନଟିକୁ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଉଛି। ପ୍ରେସ୍ କାଉନ୍‌ସିଲ୍ ଏକ ନୈତିକ ପ୍ରହରୀ। ଦୁଇଟି ମୁଖ୍ୟ ଉଦ୍ଦେଶ୍ୟରେ ଏହା ଗଠିତ ହୋଇଥିଲା। ପ୍ରଥମ ସମ୍ବାଦବାହୀ ଗଣମାଧ୍ୟମର ମାନ, ସମ୍ମାନ, ପରମ୍ପରା, ମୂଲ୍ୟବୋଧକୁ ବଜାୟ ରଖିବା ସହ ଏହାର ମୌଳିକ ଅଧିକାର, କର୍ତ୍ତବ୍ୟ ଏବଂ ଗୁରୁଦାୟିତ୍ୱ ସମ୍ପନ୍ନ ଅଟେ। ଦ୍ୱିତୀୟଟି ଏହାକୁ ଚାପ ଓ ପ୍ରଭାବରୁ ମୁକ୍ତ ରଖିବା ମୌଳିକ କର୍ତ୍ତବ୍ୟ। କାହାକୁ ଭ୍ରୁକ୍ଷେପ ନକରି ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତିତ୍ୱ ଭାବରେ ସଠିକ୍ କଲମ ପରିଚାଳନା କରିବାରେ ଅବହେଳା ନ କରିବା ଏହାର ପ୍ରାଥମିକତା ଅଟେ। ଗଣମାଧ୍ୟମ ହେଉଛି ସମ୍ବିଧାନର ହର୍ତ୍ତା, କର୍ତ୍ତା, ଦଇବ ବିଧାତା, ତାହା ପୁଣି ରକ୍ଷାକବଚ। ଦର୍ନୀତିରେ ସମ୍ପୃକ୍ତ ଥିବା ରାଜନେତା ଓ ପୋଲିସ୍ ପ୍ରଶାସନମାନଙ୍କ କଳା କାରନାମା ଖୋଲି ଦେବାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଯଥେଷ୍ଟ ଅବଦାନ ରହିଛି। ମହାମାରୀ କରୋନା ସମୟରେ ସାରା ବିଶ୍ୱରେ ଗଣମାଧ୍ୟମ ବିଶେଷକରି ସମ୍ବାଦପତ୍ର ପ୍ରକାଶନ ଓ ପ୍ରସାରଣ କ୍ଷେତ୍ରରେ ଘୋର ସଙ୍କଟ ସୃଷ୍ଟି ହୋଇଥିଲା। ସେ ସବୁ ସଙ୍କଟ ଧୀରେ ଧୀରେ ଦୂର ହେଉଥିବା ବେଳେ, ମୁଦ୍ରିତ ଗଣମାଧ୍ୟମ ସହିତ ପ୍ରତିଯୋଗିତାର ସମ୍ମୁଖୀନ ହୋଇଛନ୍ତି କିଛି ଘରୋଇ ଟିଭି ଓ ୱେବ୍ ଚାନେଲ। ଯେଉଁଥିପାଇଁ ପୁରୁଣା ତଥା ପ୍ରତିଷ୍ଠିତ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମର ମାଲିକ ଓ ସାମ୍ବାଦିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାର ତଥା ସମ୍ବାଦପତ୍ରର ମାଲିକମାନେ ଏଥିପ୍ରତି ସଚେତନ ନହେଲେ, ଏହି ବିବାଦ ଆହୁରି ତୀବ୍ରତର ହେବ। ଯେଉଁ ସମ୍ବାଦିକମାନେ ସାମ୍ବାଦିକ ସଂଘ ଗଠନ କରିଛନ୍ତି, ସେମାନେ ସାମ୍ବାଦିକ ବା ସମ୍ବାଦପତ୍ର କର୍ମଚାରୀଙ୍କ ସ୍ୱାର୍ଥରକ୍ଷା ଲାଗି ସେଭଳି କୌଣସି ସକ୍ରିୟ ଭୂମିକା ନେଇଥିବା ମନେ ହେଉନାହିଁ। ବର୍ତ୍ତମାନ ଗଣମାଧ୍ୟମ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି। ଯେଉଁ ଗଣମାଧ୍ୟମ ଦିନେ ସତ୍ୟ ଓ ନିର୍ଭୀକ ଖବର ସାଧାରଣ ଜନତାଙ୍କ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ