ଚଢେୟାଲଟାରେ ପୋତି ହୋଇପଡୁଛି ଋଷିକୁଲ୍ୟା ଓ ବଦନଦୀର ବାଲୁକାଶଯ୍ୟା
ଆସିକା, (ଯୁଗାବ୍ଦ ନ୍ୟୁଜ):ପ୍ରଶାସନିକ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ଆସିକା ସହରର ଦୁଇ ପାଶ୍ୱର୍ରେ କେଉଁ ଆବାହମାନ କାଳରୁ ପ୍ରବାହିତ ହୋଇ ଆସୁଥିବା ଋଷିକୁଲ୍ୟା ଓ ବଡନଦୀର ବାଲୁକାଶଯ୍ୟା ସଂପ୍ରତି ଚଢେୟାଲଟାରେ ପୋତି ହୋଇପଡୁଥିବା ଯୋଗୁଁ ନଦୀ ଉପରେ ନିର୍ଭର କରୁଥିବା ହଜାର ହଜାର ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏହି ଘଞ୍ଚ ଚଢେୟାଲଟା ବର୍ତ୍ତମାନ ହିଂସ୍ରଜନ୍ତୁ ଓ ବିଷାକ୍ତସର୍ପଙ୍କ ଆଶ୍ରୟସ୍ଥଳୀ ପାଲଟିଥିବା ମଧ୍ୟ ଆଲୋଚିତ ହେଉଛି । ୧୯୯୦ ପ୍ରଳୟଙ୍କରୀ ବନ୍ୟା ଓ ୧୯୯୯ ମହାବାତ୍ୟା, ୨୦୧୩ ବନ୍ୟା, ୨୦୧୮ ବନ୍ୟା ରେ ଉପରମୁଣ୍ଡରୁ ଚଢେୟାଲଟା ସବୁ ଜଳସ୍ରୋତରେ ଭାସିଆସି ଋଷିକୁଲ୍ୟା ଓ ବଡନଦୀର ବାଲୁକା ଶଯ୍ୟାରେ ରହି ପୁଣି ଗୋଟିଏ ପରେ ଗୋଟିଏ ଚଢେୟାଲଟା ଗଛ ଉତ୍ପନ୍ନ ହୋଇ ବର୍ତ୍ତମାନ ଋଷିକୁଲ୍ୟା ଓ ବଡନଦୀର ବାଲୁକାଶଯ୍ୟା ଚଢେୟା ଲଟାରେ ପୋତି ହୋଇ ପଡିଲାଣି । ରାଜସ୍ୱ ବିଭାଗ ପକ୍ଷରୁ ଋଷିକୁଲ୍ୟା ଓ ବଡନଦୀର ବାଲୁକା ଶାଯ୍ୟାର ସରକାରୀ ବାଲିଘାଟକୁ ଲିଜ୍ ଦିଆଯାଇ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ କରାଯାଉଥିଲା ବେଳେ ଜଳସଂପଦ ବିଭାଗ ଉକ୍ତ ଋଷିକୁଲ୍ୟା ନଦୀର ଜଳକୁ କେନାଲ ମାଧ୍ୟମରେ ଚାଷୀଙ୍କୁ ଜଳସେଚନର ସୁବିଧା ଯୋଗାଇ ଆସୁଛି । ସେହିଭଳି ଜନସ୍ୱାସ୍ଥ୍ୟ ବିଭାଗ ଋଷିକୂଲ୍ୟ ନଦୀର ଜଳକୁ ବିଶୋଧନ କରି ଜନସାଧାରଣଙ୍କୁ ପାଣି ଯୋଗାଇ ଜଳକର ମଧ୍ୟ ଆଦାୟ କରିଥାଏ । ଋଷିକୁଲ୍ୟା ଓ ବଡନଦୀରୁ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ପାଉଥିଲେ ମଧ୍ୟ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଚଢେୟାଲଟାକୁ ସଫା କରିବା ଦିଗରେ କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ନଦୀର ଗୋଟିଏ ପାଶ୍ୱର୍କୁ ଅନ୍ୟ ପାଶ୍ୱର୍କୁ ଯାତାୟାତ କରୁଥିବା ଲୋକେ ଅତ୍ୟନ୍ତ ଶଙ୍କାଗ୍ରସ୍ତ ଅବସ୍ଥାରେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଚଢେୟାଲଟା ମଧ୍ୟ ଦେଇ ଯାତାୟାତ କରିଥାନ୍ତି । ସଂପ୍ରତି ଏହି ଚଢେୟାଲଟା ହିଂସ୍ରଜନ୍ତୁ ଓ ବିଷାକ୍ତ ସର୍ପଙ୍କ ଆଶ୍ରୟସ୍ଥଳୀ ମଧ୍ୟ ପାଲଟିଥିବା ଆଲୋଚିତ ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ସହରର ଦୁଇ ପାଶ୍ୱର୍ରେ ପ୍ରବାହିତ ହେଉଥିବା ଋଷିକୁଲ୍ୟା ଓ ବଡନଦୀର ବାଲୁକାଶଯ୍ୟାରୁ ତଢେୟାଲଟାକୁ ସଫା କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଛି ।