ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ନିମନ୍ତେ ତ୍ରିଶମ୍ଭୁଙ୍କ ନୀତି ସମ୍ପାଦନ ବୈଠକ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସ୍ଥିତ ଯାତ୍ରୀ ନିବାସ ସମ୍ମେଳନ କକ୍ଷ ଠାରେ ପୁରୀ ଉପଜିଲ୍ଲାପାଳ ରାଜ କିଶୋର ଜେନାଙ୍କ ଅଧ୍ୟକ୍ଷତାରେ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘସପ୍ତମୀ ମେଳା ନିମନ୍ତେ ତ୍ରିଶମ୍ଭୁଙ୍କ ଦେବନୀତି ଓ ନୀତିକାନ୍ତି ସଂପାଦନ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପବିତ୍ର ମାଘସପ୍ତମୀ ବୁଡ ନିମନ୍ତେ ମାଧିପୁର ଗ୍ରାମର ତ୍ରିବେଣୀଶ୍ବର ମହାଦେବ, ସନ୍ଥପୁର ଗ୍ରାମର ଐଶାନେଶ୍ଵର ଓ କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ବର ମହାଦେବଙ୍କ ସ୍ନାନ ନୀତି, ପୂଜାର୍ଚ୍ଚନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ତ୍ରିଶମ୍ଭୁଙ୍କ ତ୍ରିବେଣୀଶ୍ବର, ଐଶାନେଶ୍ଵର ଓ ଦକ୍ଷିଣେଶ୍ବର ମହାଦେବ ନିଜ ନିଜ ବିଜେସ୍ଥଳୀରୁ ମାଘ ଷଷ୍ଠୀ ରାତି ୯ଘ ୪୫ ମିନିଟ ସମୟରେ ସୁସଜ୍ଜିତ ବିମାନରେ ବିଜେ କରିବା ପାଇଁ ନୀତି ଚୁଡାନ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ ତ୍ରିଶମ୍ଭୁଙ୍କ ବିମାନ ବିଜେ କରିବା ପରେ ମାଘ ଷଷ୍ଠୀ ରାତି ୧ଘ ୧୬ ମିନିଟ ସମୟରେ କୋଣାର୍କ ଏନଏସି ପୂଜା ମଣ୍ଡପରେ ଅବସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି। କୋଣାର୍କ ଏନଏସି ପୂଜା ମଣ୍ଡପରେ ତ୍ରିଶମ୍ଭୁଙ୍କ ନିକଟରେ ଭୋଗ ଲାଗି ପରେ କୋଣାର୍କ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଓ ଶେଷରେ କୋଣାର୍କ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ଠାରେ ଭୋଗ ଖାଇବାର ନୀତି ନିର୍ଦ୍ଧାରଣ କରାଯାଇଛି। ଏହାପରେ ତ୍ରିଶମ୍ଭୁ ପୁଣ୍ୟତୋୟା ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଅଭିମୁଖେ ଯାତ୍ରା ଆରମ୍ଭ କରି ଷଷ୍ଠୀ ରାତ୍ରି ୪ଟା ସମୟରେ ତୀର୍ଥ ପୁଷ୍କରିଣୀ ସ୍ନାନ ମଣ୍ଡପ ଠାରେ ଅବସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି। ଦେବନୀତି ଅନୁଯାୟୀ ତୀର୍ଥ ପୁଷ୍କରିଣୀରୁ ପବିତ୍ର ଜଳ ଆଣିବା ପରେ ତ୍ରିଶମ୍ଭୁଙ୍କ ପୂଜାର୍ଚ୍ଚନା କରାଯିବା ପରେ ମାଘସପ୍ତମୀ ତୀର୍ଥ ଭୋର ୪ଟା ୩୭ ମିନିଟ ସମୟରେ ଶ୍ରଦ୍ଧାଳୁ ଭକ୍ତମାନେ ତୀର୍ଥ ପୁଷ୍କରିଣୀରେ ପବିତ୍ର ମାଘସପ୍ତମୀ ବୁଡ ପକାଇବା ପାଇଁ ଶନିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ନୀତି ସଂପାଦନ କମିଟି ବୈଠକରେ ସ୍ଥିର କରାଯାଇଛି। ଏହି ପରିପ୍ରେକ୍ଷୀରେ ଭାରତ ବର୍ଷର କୋଣ ଅନୁକୋଣରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନଙ୍କ ନିମନ୍ତେ ଶୃଙ୍ଖଳିତ ସ୍ନାନ ନିମନ୍ତେ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରଓ୍ବାଲ ଙ୍କ ନେତୃତ୍ଵରେ ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ ଆଖପାଖ ଅଞ୍ଚଳରେ ୩୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ତୀର୍ଥ ପୁଷ୍କରିଣୀ ପଡିଆ ତଥା ସଂଲଗ୍ନ ଅଂଚଳରେ ଓ୍ବାଟକୋ ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ନିମନ୍ତେ ସ୍ବଚ୍ଛ ପାନୀୟଜଳ ଯୋଗାଣ ନିମନ୍ତେ ୪୦ ଗୋଟି ନଳକୂପ, ୪୦ ଗୋଟି ପାନୀୟଜଳ ଷ୍ଟାଣ୍ଡ ପୋଷ୍ଟ ଓ ୪ ଗୋଟି ଟ୍ଯାଙ୍କର ଯୋଗେ ନିରବଛିନ୍ନ ପାନୀୟଜଳ ଯୋଗାଣ ପାଇଁ ନିଷ୍ପତ୍ତି ହୋଇଛି। ଶ୍ରଦ୍ଧାଳୁ ଭକ୍ତମାନଙ୍କ ନିମନ୍ତେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ମେଳା ପଡିଆ, ରାମଚଣ୍ଡୀ ପୀଠ, ବେଗୁନିଆ, କୋଣାର୍କ ବସଷ୍ଟାଣ୍ଡ ଓ ହେଲିପ୍ଯାଡ ଠାରେ ଅସ୍ଥାୟୀ ସ୍ବାସ୍ଥ ଶିବିର ଖୋଲାଯିବା ସହିତ କୋଣାର୍କ ମେଡିକାଲ ଠାରେ ୪୮ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ସହିତ ଆମ୍ବୁଲାନ୍ସ ସେବା ପ୍ରଦାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ଡ୍ରେନେଜ ବିଭାଗ ପକ୍ଷରୁ ତୀର୍ଥ ପୁଷ୍କରିଣୀ ଖନନ, ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ସ୍ନାନ ପାଇଁ ୩୫୦ ଜଣ ସ୍ବେଚ୍ଛାସେବୀ ମୁତୟନ, ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ରାତି ତମାମ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ହଜିଲା ଖୋଜିଲା ମଂଚ, ପୂର୍ତ୍ତବିଭାଗ ବିଭାଗ ପକ୍ଷରୁ ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵରେ ବ୍ଯାରିକେଡ ନିର୍ମାଣ ଓ ରାସ୍ତା ମରାମତି ନେଇ ସ୍ଥିର କରାଯାଇଛି। ପୋଲିସ ପକ୍ଷରୁ ପାର୍କିଂ ବ୍ୟବସ୍ଥା ଓ ଟ୍ରାଫିକ ବ୍ୟବସ୍ଥା ସୁଧାର, କୋଣାର୍କ ଏନଏସି ପକ୍ଷରୁ ପରିମଳ ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା ସମେତ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି। ତୀର୍ଥ ପୁଷ୍କରିଣୀ ଓ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଅଗ୍ନିଶମ ବିଭାଗ ପକ୍ଷରୁ ୨୬ ଜଣ ଅଧିକାରୀ, ୨୦ ଜଣ ଲାଇଫଗାର୍ଡ ମୁତୟନ ସହ ୩ଗୋଟି ଅଗ୍ନିଶମ ସେବା ଗାଡି ରଖାଯିବାର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ପବିତ୍ର ମାଘସପ୍ତମୀ ବୁଡ ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ବୁଡ ନିମନ୍ତେ ସବୁ ପ୍ରକାର ବ୍ଯବସ୍ଥା କରାଯାଇଛି ବୋଲି ଉପଜିଲ୍ଲାପାଳ ରାଜ କିଶୋର ଜେନା ପ୍ରକାଶ କରିଛନ୍ତି। ଏହି ନୀତି ସଂପାଦନ କମିଟି ବୈଠକରେ ପୁରୀ ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଛବିରାଣୀ ସାହୁ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଲଲାଟେନ୍ଦୁ ମିଶ୍ର, ଗୋପ ତହସିଲଦାର ଅନିଲ କୁମାର ମହାନ୍ତି, କାକଟପୁର ତହସିଲଦାର ଅନିତା ଅନିନ୍ଧିତା, ପୁରୀ ଜିଲ୍ଲା ପରିବହନ ଅଧିକାରୀ ରବିନ ପଟ୍ଟନାୟକ, କୋଣାର୍କ ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ବିଶ୍ବାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସମେତ ତିନି ଠାକୁରଙ୍କ ସେବାୟତ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ