ଚାକଚକ୍ୟ ଆଧୁନିକତାର ପରିପାଟୀ ମଧ୍ୟରେ ହଜିଯାଉଛି ସଉରା ଆଦିବାସୀଙ୍କ ପାରମ୍ପାରିକ ନିଆରା ଜୀବନ ଶୈଳୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସମାଜରେ ପଛୁଆବର୍ଗ ଭାବେ ଜୀବନ ଯ଼ାପନ କରିଆସୁଥିବା ଆଦିମ ଜନଜାତି ମଧ୍ୟରୁ ଓଡିଶାର ସଉରା ସଂପ୍ରଦାୟ ଅନ୍ୟତମ । ଆଦିମ କାଳରୁ ଅବହେଳିତ ଏହି ଜନଜାତି ପାଇଁ ସର୍ବଦା ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି । ଉଦ୍ଦେଶ୍ୟ ଏହି ଜାତିର ସଂସ୍କୃତି ପରମ୍ପରା ଓ ଐତିହକୁ ସଂରକ୍ଷିତ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା । ହେଲେ ଆଧୁନିକ ଯୁଗ ବଦଳିବା ସହ ଜାତିର ଭାଷା ଓ ଢାଞ୍ଚା ବଦଳିଯାଇଛି । ଏହାସହ ଲୋପ ପାଇବାରେ ଲାଗିଛି ସଉରା ନୃତ୍ୟ ସଂସ୍କୃତି । ପୂର୍ବରୁ ବ୍ୟବହୃତ ହେଉଥିବା ସାମଗ୍ରୀ ଗୁଡ଼ିକ ମଧ୍ୟ ଏବେ ବିଲୋପ ପ୍ରାୟ ହେବାକୁ ବସିଥିବା ବେଳେ ଜିନିଷ ଗୁଡ଼ିକ ଦେଖିବା ଏବେ ସ୍ବପ୍ନ ସଦୃଶ । ତେବେ ଗଜପତି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିଜସ୍ଵ ପ୍ରଚେଷ୍ଟା ରେ ଏସବୁ ଜିନିଷ କୁ ପୁନଃଉଦ୍ଜିବିତ କରିବା ଉଦ୍ଦେଶ୍ୟରେ ଚନ୍ଦ୍ରଗିରିରେ ନିର୍ମାଣ କରାଯାଇଛି ଜନଜାତିଙ୍କ ସଂସ୍କତି ସଂଗ୍ରହାଳୟ । ଯାହା ଦେଶ ତଥା ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଛି ।ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ସ୍ଥିତ ସଉରା ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ପ୍ରତିଷ୍ଠିତ ହୋଇଛି ବିଶେଷ ଦୁର୍ବଳ ଶ୍ରେଣୀର ଆଦିବାସୀ ଙ୍କ ପାରମ୍ପାରିକ ସଂସ୍କୃତି ସଂଗ୍ରାହଳୟ ଓ ଆଦିବାସୀ ଅଡିଟୋରିୟମ । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏହା ୧୩.୦୭.୨୦୨୨ରେ ଉଦଘାଟନ କରିବା ସହ ଏହି ସଂଗ୍ରାହଳୟଟି ଲୋପ ପାଇଯାଉଥିବା ଆଦୀମ ଜନଜାତୀଙ୍କ ସଂସ୍କୃତିକୁ ବଞ୍ଚାଇରଖିବାର ଏକ ପ୍ରୟାସ ହେବ ବୋଲି ସେ କହିଥିଲେ । ବିଶେଷତଃ ବହୁ ପୁରାତନ କାଳରୁ ଆଦିବାସୀ ମାନେ ବ୍ୟବହାର କରିଆସୁଥିବା ବସ୍ତ୍ର ,ଶସ୍ତ୍ର , ଅଳଙ୍କାର, ବାଦ୍ୟ ଯନ୍ତ୍ର, ଖାଦ୍ୟ ସାମଗ୍ରୀ ସହ ଅବିକଳ ବାସସ୍ଥାନକୁ ସଂଗ୍ରାହଳୟରେ ରଖାଯାଇ ସୁସଜ୍ଜିତ କରାଯାଇଛି । ତେବେ ଏବେ ସମୟ ସ୍ରୋତରେ କ୍ରମଶଃ ଆଦିବାସୀଙ୍କ ଅନେକ ପରିବର୍ତ୍ତନ ଘଟିଛି। ଫଳରେ ପୁରାତନ ସଂସ୍କୃତି କାର୍ଯ୍ୟକଳାପ ବିଲୋପ ପ୍ରାୟ ଯାହା ଅତି ମନୋରୋମ । ଏମାନଙ୍କ ସଂସ୍କତି ଉପରେ ଆଧାରିତ ଅନେକ ବିଷେଶଜ୍ଞ ଅଧ୍ୟୟନ କରୁଥିବା ବେଳେ ଏହି ସଂଗ୍ରାହଳୟକୁ ଆସିଥାନ୍ତି । ସେହିଭଳି ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଆସି ପରିଦର୍ଶନ କରି ଶିକ୍ଷା କ୍ଷେତ୍ରରେ ମଧ୍ୟ ବେଶ ଉପକାରୀ ହୋଇପାରିଛି । ଆଦିବାସୀ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିକ ଚନ୍ଦ୍ରଗିରି ସଉରା ଉନ୍ନୟନ ସଂସ୍ଥା ତରଫରୁ ଏହି ସଂଗ୍ରାହଳୟଟି ନିର୍ମାଣ କରାଯାଇଥିବା ବେଳେ ଏହାର ନିର୍ମାଣ ଲାଗି ଅନେକ ଅନୁସଂନ୍ଧାନ କରି ସଂଗୃହିତ କରି ରଖାଯାଇଛି ବିରଳ ଜିନିଷ । ଏହି ସଂଗ୍ରାହଳୟର ପାରିପାର୍ଶିକ ସୌନ୍ଦର୍ଯ୍ୟକରଣ କରାଯିବା ସହ କୃତ୍ରିମ ପାହାଡି ଝରଣା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ବେଶ ଆକର୍ଶିତ କରିପାରୁଛି। ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଓ ପାହାଡ଼ ପର୍ବତ ଘେରା ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ପ୍ରାୟ ଶତକଡା ୮୦ ଭାଗ ଲାଞ୍ଜିଆ ସଉରା ଓ ସୌରା ଆଦିବାସୀ ସଂପ୍ରଦାୟ ର ଜୀବନ ଜିବିକା କରୁଛନ୍ତି । ଆଦିମ ଜନଜାତି ତଥା ସଉରା ଆଦିବାସୀ ମାନଙ୍କ ଉନ୍ନତି ପାଇଁ ସରକାର ମୋହନା ବ୍ଳକ ଚନ୍ଦ୍ରଗିରି ଠାରେ ୧୯୭୯ ମସିହାରେ ସଉରା ଉନ୍ନୟନ ସଂସ୍ଥା ନିର୍ମାଣ କରିଛନ୍ତି । ଏହି ସଂସ୍ଥା ମାଧ୍ୟମରେ ଅତି ଗରୀବ ଅନଗ୍ରସର ଅନୁନ୍ନତ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବା ୩୨ ଗୋଟି ଆଦୀମ ଜନଜାତି ଗାଁ ଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ , ଜିବନ ଜୀବିକା ତଥା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସରକାର ବିଭିନ୍ନ ସଂସ୍ଥାର ସଂଯୋଜନାରେ କରୁଛନ୍ତି । ସମୟ ସହିତ ବିକାଶ ବଜାୟ ରହିଥିବା ବେଳେ ଏବେ ବଦଳିଛି ଜୀବନ ଜୀବିକା । ଏଥିସହ ସଉରା ଆଦିବାସୀଙ୍କ ଜୀବନ ଶୈଳୀରେ ବ୍ୟବହାର କରୁଥିବା ଜିନିଷ ଗୁଡ଼ିକ ମଧ୍ୟ କିଭଳି ସୁରକ୍ଷିତ ରହିବ ସେଥିପାଇଁ ପଦକ୍ଷେପ ନେଇଛନ୍ତି ସରକାର । ଲୋପ ପାଇଥିବା ସଉରା ଜନଜାତିଙ୍କ ଅଳଙ୍କାର ବସ୍ତ୍ର , ଅସ୍ତ୍ର , ଶସ୍ତ୍ର,ବାଦ୍ୟ ଯନ୍ତ୍ର, କୃଷି ବିହନ , ଆଦି ବିଭିନ୍ନ ସାମଗ୍ରୀ, ଖାଦ୍ୟ, ଦୈନନ୍ଦିନ ଚଳଣି ରେ ବ୍ୟବହାରିକ ଜିନିଷ ମଧ୍ୟକୁ ସଂଗ୍ରହ କରି ଏକ ସଂଗ୍ରହାଳୟ ରଖାଯାଇଛି ।ଏହି ସଂଗ୍ରହାଳୟରେ ସେମାନଙ୍କ ସମସ୍ତ ଜିନିଷ ଥିବା ବେଳେ ଏହାକୁ ଦେଖିବାକୁ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଗତ ମାସରେ ଶ୍ରମ ବିଭାଗ ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ୍ ଏହି ସଂଗ୍ରହାଳୟ ପରିଦର୍ଶନ କରି ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ । ପର୍ଯ୍ୟଟନୀ କ୍ଷେତ୍ର ଭାବେ ବେଶ ପ୍ରସିଦ୍ଧ ପାହାଡିଆ ଝରଣା ମାଙ୍କଡଡିଆଁ ବୃହତ ଜଳପ୍ରପାତ ,ଖସଡ଼ା ଜଳପ୍ରପାତ , ଜୀରାଙ୍ଗ ସ୍ଥିତ ବୌଦ୍ଧକିର୍ତ୍ତିର ସମ୍ଭାର ତଥା ପ୍ରସିଦ୍ଦ ପଦ୍ମସମ୍ଭଭ ମହାବିହାର ,ନିକଟରେ ରହିଥିବା ହେତୁ ଏହା ମଧ୍ୟ ପର୍ଯ୍ୟଟନ ସ୍ଥଳରେ ରୂପେ ମାନ୍ୟତା ପାଇବାକୁ ଦାବି ହେଉଛି । ଗଜପତି ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମାରୀୟମ ରାଉତ ଏହି ସଂଗ୍ରାହଳୟ ପରିଦର୍ଶନରେ ଆସି ନିଜ ଜାତି ଓ ସଂସ୍କୃତି ପରମ୍ପରାକୁ ବଞ୍ଚେଇ ରଖିବାରେ ଜିଲ୍ଲା ପ୍ରସାଶନର ସୁପଦକ୍ଷେପ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଏହାକୁ କେବଳ ସଂଗ୍ରହାଳୟ ଭିତରେ ସୀମିତ ନ ରଖି ଏଥିପାଇଁ ଶିକ୍ଷାନୁଷ୍ଠାନ ରେ ଏକ ସ୍ବତନ୍ତ୍ର ପାଠ୍ୟକ୍ରମ କରିବାକୁ ପଦକ୍ଷେପ ନେଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି । ଏବଂ ସଉରା ଭାଷା ମଧ୍ୟ ବିଲୋପ ହେବାକୁ ବସିଥିବା ଯୋଗୁଁ ଭାଷା ପ୍ରଚଳନ ପାଇଁ ପ୍ରଶାସନ ଉଦ୍ୟମ କରିବା ଆବଶ୍ୟକ ବୋଲି ମୋହନା ବିଧାୟକ ଦାଶରଥି ଗମାଙ୍ଗ କହିଛନ୍ତି ।