ଚାଷୀଙ୍କ ନିଦ ହଜାଇଲା ଅଦିନିଆ ବର୍ଷା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଅଦିନିଆ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ଚାରିଦିନ ପୂର୍ବେ ବର୍ଷା ହେବାରୁ ଧାନ ବିଲରେ ପାଣି ପଶିଯାଇଥିଲା। ଗତକାଲି ଠାରୁ ପୁଣି ବର୍ଷା ଲାଗି ରହିଥିବାରୁ ପରିସ୍ଥିତି ଆହୁରି ସଂଗୀନ ହୋଇଛି। ଜମିରେ ପାଚିଲା ଧାନ ଭିଜୁ ଥିବାବେଳେ ହେକ୍ଟର ହେକ୍ଟର ଜମିରେ ରବି ଫସଲ ନଷ୍ଟ ହୋଇଯାଇଛି। ଯାହାକି ଚାଷୀମାନଙ୍କ ରୋଜଗାର ଛଡ଼ାଇ ନେଇଛି| ବର୍ତ୍ତମାନ ଧାନ ଅମଳ ସମୟ। ହାଟଡିହି ବ୍ଲକର ଅକାରୁଆ , ବଞ୍ଚୋ, ଶାସଙ୍ଗ, ପଞ୍ଚୁଗୋଛିଆ, ସୁଲଣ, ବଡ଼ ରମ୍ପାସ, ଇଞ୍ଚୋଳ, ଓରାଳୀ, ପଢିଆରିପାଲ୍ଲି, ବାଙ୍ଗୋର, ସୋ ସୋ, ଶାଳନିଆ, ଗେଡମା, ବାଲିବରେଇ, ସଢ଼ା, ମରେଇଗାଁ ଆଦି ଅଞ୍ଚଳରେ ଏବେ ଧାନ ଅମଳ ଚାଲିଛି | ଚଳିତ ବର୍ଷ ବିଳମ୍ବରେ ଚାଷ ହୋଇଥିବାରୁ ଏସବୁ ଅଞ୍ଚଳରେ ବିଳମ୍ବରେ ଅମଳ ହୋଇଥାଏ। ଡିସେମ୍ବର ମାସ ମଧ୍ଯ ଭାଗରେ ହିଁ ଧାନକଟା ଯାଇଥାଏ | ଆଉ ଚତୁର୍ଥ ସପ୍ତାହ ଓ ଜାନୁୟାରୀ ପ୍ରଥମ ସପ୍ତାହରେ ଧାନ ଉଠା ଯାଇଥାଏ । ଧାନ କଟା ହୋଇ ବିଲରେ ପଡ଼ିଥିବା ବେଳେ ଲଘୁଚାପ ବର୍ଷା ହୋଇଗଲା। ଏଣୁ ଚାଷୀମାନେ ବାନ୍ଧିକି ଉଠାଇବାକୁ ବେଳ ପାଇଲେ ନାହିଁ। ଏବେ ବର୍ଷା ପାଣି ପଶି ଧାନ ସବୁ ଭିଜିଯାଇଛି। ଗଲା ବର୍ଷାରେ ଯାହା ଭିଜିଥିଲା। ରବିବାର ଓ ସୋମବାର ଚାଷୀମାନେ ବିଲରେ ପଶି ଧାନକୁସବୁ ଏକାଠି କରି ହିଡ଼କୁ ଛାଣିଥିଲେ | ଏବେ ପୁଣି ବର୍ଷା ହେବାରୁ ପରିସ୍ଥିତି ଦୟନୀୟ ହୋଇପଡ଼ିଛି ଧାନ ମୁଠେ ବି ଅମଳ ହେବା ଅବସ୍ଥା ନାହିଁ | ହାଟଡିହି ଅଞ୍ଚଳରେ ଚଳିତ ବର୍ଷ ୧୭ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ହେଲେ ଏପରି ବର୍ଷା ପରେ ପ୍ରାୟ ୩୦ ପ୍ରତିଶତ ଧାନ କ୍ଷତିଗ୍ରସ୍ତ ହୋଇଛି। ଖଳା ବାଡ଼ିରେ ଆଣି ରଖିଥିବା ଅଧିକାଂଶ ଧାନ ଗଜା ହୋଇଗଲାଣି। ବର୍ଷା ଯୋଗୁଁ ଧାନର ରଙ୍ଗ ପରିବର୍ତ୍ତନ ହୋଇ ଯାଉଛି। ଚାଷୀମାନେ ଋଣ କରିବା ସହ ବିଭିନ୍ନ ସୂତ୍ରରୁ ଟଙ୍କା ଆଣି ଚାଷ କରିଥିବା ବେଳେ ଅଦିନିଆ ବର୍ଷାରେ ଫସଲ ନଷ୍ଟ ହୋଇଯାଇଥିବାରୁ ସେମାନେ ଚିନ୍ତାରେ ପଡ଼ିଛନ୍ତି । ସରକାର ଏଫ କ୍ୟୁ ମାନର ଧାନ କିଣିବା ଉପରେ ଗୁରୁତ୍ବ ଦେଉଥିବା ବେଳେ ବର୍ଷା ଯୋଗୁଁ କିପରି ଉନ୍ନତ ମାନର ଧାନ ଅମଳ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଆକଳନ କରି ସହାୟତା ପ୍ରଦାନ କରାଯିବାକୁ ବଦରମ୍ପାସ ଗ୍ରାମର ଚାଷୀ ରବିନ୍ଦ୍ର କୁମାର ଜେନା, କୃଷ୍ଣ ଚନ୍ଦ୍ର ଦାସ, ହେମନ୍ତ ସାମଲ, ସଞ୍ଜୟ କୁମାର ସାହୁ, ଗୋପବନ୍ଧୁ ପେରେଇ, ନାରାୟଣ ବେହେରା, ସୁଶାନ୍ତ ଜେନା, ହାଡିବନ୍ଧୁ ସାମଲ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଡ. ଦେବୀ ପ୍ରସନ୍ନ ଖୁଣ୍ଟିଆ କହିଛନ୍ତି ଯେ ଆଜି ମାତ୍ର ଏକ ମିଲିମିଟର ବର୍ଷା ହୋଇଛି। କିଛି କ୍ଷୟ କ୍ଷତି ରିପୋର୍ଟ ଆସିନି। ରିପୋର୍ଟ ଆସିଲେ ସରକାରଙ୍କ ନିୟମାନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ