ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ, ପ୍ରତିବର୍ଷ ପାଣି ଯୋଗାଇବାକୁ ଦାବି

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଳକର ବଞ୍ଚୋ, ଅକରୁଆ, ଶାସଙ୍ଗ, ପଞ୍ଚୁଗୋଛିଆ ଆଦି ୪ଟି ପଞ୍ଚାୟତରେ ପାଣିପାଇଁ ହା ହା କାର ଦେଖା ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଓ ସାଂସଦ ପ୍ରତିନିଧିଙ୍କ ନିଜସ୍ଵ ଉଦ୍ୟମକ୍ରମେ ୪୦ ବର୍ଷ ଧରି ମୃତ ପ୍ରାୟ ହୋଇ ପଡିଥିବା କେନାଲରେ ଏବେ ପାଣି ଆସି ପାରିଛି । ଯାହାକୁ ନେଇଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ବ୍ଳକର ବଞ୍ଚୋ, ଅକରୁଆ, ଶାସଙ୍ଗ, ପଞ୍ଚୁଗୋଛିଆ ଆଦି ପଞ୍ଚାୟତରେ ଜଳସେଚ଼ନର ବ୍ୟବସ୍ଥା ଥିଲେ ବି କେନାଲ ରେ ପାଣି ଆସୁନଥିଲା । ଜଳସେଚ଼ନ ପାଇଁ ଏଠାରେ ୧୯୮୫ ମସିହାରେ ବଞ୍ଚୋଲିପ୍ଟ କେନାଲ ନାମରେ ଏକ କେନାଲ ନିର୍ମାଣ ହୋଇଥିଲା। ତତ୍କାଳୀନ ମନ୍ତ୍ରୀ ବସନ୍ତ ବିଶ୍ଵାଳ ଏହାକୁ ଉଦ୍‌ଘାଟନ କରିଥିଲେ। ମାତ୍ର ଗୋଟିଏ ଦିନ କେନାଲରେ ପାଣି ଆସିବା ପରେ ଆଉ ପାଣି ଆସିନଥିଲା । ପ୍ରତିବର୍ଷ ଅଞ୍ଚଳବାସୀ ଦାବି କରିଆସୁଥିଲେ ବି ଜଳସମ୍ପଦ ବିଭାଗ ମୃତକେନାଲ କହି ବସି ଯାଇଥିଲା। ଗତ ୨୦ଦିନ ହେଲା ପ୍ରଚଣ୍ଡ ଖରା ସାଙ୍ଗକୁ ବର୍ଷା ନଥିବାରୁ ଧୋଡ଼ ବାହାରିବା ସମୟରେ ବିଲଗୁଡିକରେ ଧାନଗଛ ସବୁ ଶୁଖି ଯିବାକୁ ବସିଛି। ଏପରି ପରିସ୍ଥିତିରେ ଲୋକଙ୍କ ଦାବୀକୁ ଦୃଷ୍ଟିରେ ରଖି ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତ ଓ ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଅକରୁଆ ସରପଞ୍ଚଙ୍କ ପ୍ରତିନିଧି ଚ଼ତୁର୍ତ୍ତଜ ସ୍ୱାଇଁ ଙ୍କ ନିଜସ୍ଵ ଉଦ୍ୟମରେ ଦୀର୍ଘ ୬ କିଲୋମିଟର ମୃତପ୍ରାୟ କେନାଲକୁ ମେସିନ ସାହାଯ୍ୟରେ ସଫା କରି ବୈତରଣୀ ବ୍ୟାରେଜ ପ୍ରୋଜେକ୍ଟର ଲିକେଜ ପାଣିକୁ ଆଣି ଚାଷୀଙ୍କ ପାଖରେ ପହଞ୍ଚାଇଛନ୍ତି। ଯାହାକୁ ନେଇ ଚାଷୀକୁଳ ଆସ୍ବସ୍ଥ ଅନୁଭବ କରିବା ସହ ଚାଷଜମି ଗୁଡିକ ମରୁଡି କବଳରୁ ରକ୍ଷାପାଇବା ନେଇ ଆଶା ବ୍ୟକ୍ତ କରିଛନ୍ତି। ବୈତରଣୀ ବ୍ୟାରେଜ ପ୍ରୋଜେକ୍ଟର ଘୋଷରାପଦା ନିକଟରେ ଯଦି ଏକ ଆଡିବନ୍ଧ ନିର୍ମାଣ କରାଯାଇ ପୁର୍ବରୁ ନିର୍ମାଣ ହୋଇଥିବା କେନାଲ ସାହାଯ୍ୟରେ ଜଳସେଚନର ବ୍ୟବସ୍ଥା କରାଯିବ ତେବେ ଉପରୋକ୍ତ ୪ଟି ପଞ୍ଚାୟତର କାଠିଆସରା, ଘୋଷରାପଦା, ଦଧିବାବନପୁର, ଅକରୁଆ, ଆମ୍ବଗଡ଼ିଆ, ବଞ୍ଚୋ, ଶିବନାରାୟଣପୁର, ସିଙ୍ଗଡୋବ, ଶାସଙ୍ଗ, ଗୋପାଳପୁର, ଚୋରଗଡ଼ିଆ, ପଞ୍ଚୁଗୋଛିଆ, ଆଡ଼ହୁରିଆ, ନୀଳାପୁର, ବଳଭଦ୍ରପୁର ଆଦି ଗ୍ରାମର ହଜାର ହଜାର ଏକର ଚାଷଜମି ଜଳସେଚିତ ହୋଇପାରନ୍ତା ବୋଲି ମାଝୀ ଜେନା, କୁଳମଣି ଜେନା, ବିନାଦ ଖଟୁଆ, ପ୍ରତାପ ଯେନା, ଦେବେନ୍ଦ୍ର ଯେନା, କଣ୍ଟିଆ ଖଟୁଆ, ରମେଶ ଯେନା, ସନ୍ୟାସୀ ଖଟୁଆ, ରଙ୍କନାଥ ଯେନା, ହାଡିବନ୍ଧୁ ଯେନା, ଦିପକ ଯେନା, ଲମ୍ବୋଦର ଯେନା ପ୍ରମୁଖ ଚାଷୀମାନେ ଦାବି କରିଛନ୍ତି। ସେହିପରି ସରପଞ୍ଚ ଓ ସାଂସଦ ପ୍ରତିନିଧି ମଧ୍ୟ ଏ ସମ୍ପର୍କରେ ବିଧାୟକ ଓ କେନ୍ଦୁଝର ସାଂସଦଙ୍କୁ ଅବଗତ କରାଇ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ