ଜଳ ହିଁ ଜୀବନ
ଦିପ୍ତିମୟୀ ନାୟକ
ଆମ ମାନଙ୍କ ଦୈନନ୍ଦିନ ଜୀବନ ଭିତରେ ଜଳର ଆବଶ୍ୟକତା ରହିଥାଏ | ମଣିଷ ଖାଦ୍ୟ ନଖାଇଲେ ଦିନେ କି ଦୁଇଦିନ ଓପାସ ରହିପାରେ କିନ୍ତୁ ଜଳ ବିନା କୌଣସି ମଣିଷ ବଞ୍ଚି ପାରିନଥାଏ କାହିଁକି ନା ଜଳ ହିଁ ଜୀବନ ହୋଇଥାଏ | ଜଳ ବିନା ସୃଷ୍ଟିର ବିନାଶ ହୋଇଥାଏ | ଜଳ ପାଇଁ ହିଁ ପ୍ରକୃତି ଗଢ଼ା ହୋଇଥାଏ | ପ୍ରକୃତିରୁ ଗଢ଼ା ମଣିଷ, ଜୀବଜନ୍ତୁ, ପଶୁପକ୍ଷୀ, ଗଛଲତା, ପ୍ରକୃତିର ସୌନ୍ଦର୍ଯ୍ୟ ମାଟି, ପାଣି, ପବନ |
ଜୀବନ ପାଇଁ ରକ୍ତ ଯେପରି ଦରକାର ଠିକ ସେହିପରି ଜୀବନ ରକ୍ଷା ପାଇଁ ଜଳ ନିହାତି ଆବଶ୍ୟକ ଆଉ ଏହି ଜଳ ହିଁ ପ୍ରକୃତିର ପ୍ରାଣ | ତେବେ ଏହି ଜଳ ଆମର ଜୀବନ ହୋଇଥିବାବେଳେ ଆମେ କଣ ଜଳ ଉତ୍ସକୁ ସଠିକ ଭାବରେ ସୁରକ୍ଷା ଦେଇପାରୁଛେ | ଯଦି ଆମେ ଜଳ ଉତ୍ସ ଗୁଡିକୁ ସୁରକ୍ଷା ଦେଉଛେ ତାହେଲେ କାହିଁକି ଜଳ ସମସ୍ୟା ଦେଖା ଯାଉଛି ଏହା ସାଧାରଣରେ ପ୍ରଶ୍ନ |
ଦିନକୁ ଦିନ ଜଳ ସମସ୍ୟା ବୃଦ୍ଧି ପାଉଛି | ଯଦି ଜଳର ପ୍ରାପ୍ତି, ବ୍ୟବହାର, ଉପଯୋଗୀତା, ସଦୁପଯୋଗ, ସମୟୋପଯୋଗୀ ବ୍ୟବହାର, ସମ୍ବନ୍ବିତ ବ୍ୟବହାର, ପୁରାତନ ଜଳ ଉତ୍ସର ଉଦ୍ଧାର, ରକ୍ଷଣା ବେକ୍ଷଣା ହୋଇପାରନ୍ତା ତାହେଲେ ଜଳ ଉତ୍ସ ଗୁଡିକୁ ସୁରକ୍ଷା ମିଳିପାରନ୍ତା ଏବଂ ଆଗାମୀ ଦିନରେ ମଧ୍ୟ ଜଳ ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ, ଆତ୍ମ ନିଯୁକ୍ତି, ଆତ୍ମନିର୍ଭରଶୀଳତା ସହ ସାମାଜିକ ପ୍ରଥା ଜଳ ହିଁ ଜୀବନ ସଚେତନତାର ବାର୍ତ୍ତା ଦେଇ ଜଳର ସୁରକ୍ଷା ମଧ୍ୟ ହୋଇପାରନ୍ତା |
ଯଦି ଆମେ ଗୋଟିଏ ପକ୍ଷରେ ଦେଖିବା ଜଳ ଉତ୍ସର ସଙ୍କୋଚନ ହେଉଥିବାବେଳେ ଅନ୍ୟପକ୍ଷରେ ଜଳ ଦୂଷିତ ହେବା ଏବଂ ମିଳୁଥିବା ଜଳ ଠିକ ହିତାଧିକାରୀଙ୍କ ନିକଟରେ ପଂହଁଚି ନପାରି ଅଯଥା ଅପବ୍ୟୟ ହେବା ଏକ ଚିନ୍ତାଜନକ ବିଷୟବସ୍ତୁ ପାଲଟିଛି | ଏକ ଆକଳନରୁ ଜଣାଯାଏ ସହରାଞ୍ଚଳ ଓ ଉନ୍ନୟନ ନିଗମରେ ପ୍ରତ୍ୟେକ ଜନସାଧାରଣ ଦୈନିକ ୧୫0 ରୁ ୨00 ଲିଟର ଜଳ ଖର୍ଚ୍ଚ କରୁଥିବାବେଳେ ଅର୍ଦ୍ଧସହର ଓ ଅନୁନ୍ନତ ଅଞ୍ଚଳରେ ଜନସାଧାରଣଙ୍କ ମୁଣ୍ଡପିଛା ଦୈନିକ ଜଳ ଖର୍ଚ୍ଚ ୧0 ଭାଗରୁ କମ ଅର୍ଥାତ ୧୫ରୁ୨0 ଲିଟରରେ ସୀମିତ ରହିଛି ଅର୍ଥାତ ଏହି ପରିପ୍ରେକ୍ଷୀରେ ଜଳର ଠିକ ବ୍ୟବହାର କରିବା ସହ ଲୁପ୍ତ ଓ ଅବହେଳିତ ପ୍ରାୟ ସମସ୍ତ ଝରଣା, ଗାଡ଼ିଆ, ପୋଖରୀ, କୂଅ, ନଳକୂଅ ଆଦିର ପୁନରୁଦ୍ଧାର କରିବା ସହିତ ଏଗୁଡିକରେ ଜଳ କିପରି ସଂଗୃହିତ ଓ ଗଚ୍ଛିତ ହେବ ସେଥିପ୍ରତି ଗୁରୁତ୍ୱ ଦେଇ ପୁନଶ୍ଚ ଜଳର ସୁବଣ୍ଟନ ଓ ସୁବିନିଯୋଗ କରିବା ଜରୁରୀ |
ବିଶେଷ ଭାବରେ ଆପଣମାନେ ଜାଣନ୍ତି ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି | ଧର୍ମୀୟ ବିବିଧତା ମାଧ୍ୟମରେ ସାମାଜିକ ସଂହତି ରକ୍ଷା ସହ, ସାମାଜିକ ସଂସ୍କୃତି, ଅର୍ଥନୀତି, କୃଷି, ଶିଳ୍ପ, ବାଣିଜ୍ୟ, ସାହିତ୍ୟ ଆଦି ବିଭିନ୍ନ ପ୍ରସଙ୍ଗକୁ ପୃଷ୍ଠ କରିଥାଏ | ହିନ୍ଦୁମାନେ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି | ଆମେମାନେ ଯାହାବି ପର୍ବପର୍ବାଣି ପାଳନ କରୁ ତାହା ପରିଵେଶ, ଜଳ, ବାୟୁ, ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦକୁ ନେଇ ହୋଇଥାଏ | ଅନେକ ସମୟରେ ଆମେମାନେ ଅନୁଭବ କରିଥିବା ଯେ, ଆମେ ଯେଉଁସବୁ ପର୍ବପର୍ବାଣି ପାଳନ କରୁଛେ ଆମ ପରିବେଶ ଓ ପକୃତି ଉପରେ କେତେ କୁପ୍ରଭାବ ପକାଉଛି | ଯାହାଫଳରେ ସମସ୍ତ ପୂଜା ପର୍ବାଣିରେ କିଛି ମାତ୍ରାରେ ଜଳ, ବାୟୁ, ମୃତ୍ତିକା ପ୍ରଦୂଷଣ ହୋଇଥାଏ | ଆମ ରାଜ୍ୟରେ ବର୍ଷାଋତୁ ଆରମ୍ଭ ହେବା ସହିତ ଖୁଦୁରୁକୁଣୀ ଓଷା, ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀପୂଜା, ଦୀପାବଳି ଆଦିର ବିଭିନ୍ନ ପର୍ବପର୍ବାଣି ପାଳନ ହୋଇଥାଏ | ବର୍ତ୍ତମାନର ମୁଖ୍ୟ କାରଣ ହେଲା ଜଳ ଉତ୍ସକୁ କିପରି ଆମେ ସୁରକ୍ଷା ଦେବା ଏବଂ କିଭଳି ଭାବରେ ଆମେ ଆମ ପରିବେଶକୁ ସୁରକ୍ଷିତ ରଖି ନିଜେ ସୁସ୍ଥ ଜୀବନ ଯାପନ କରିବା | କାରଣ ପରିବେଶ ପ୍ରଦୂଷଣ ହେବାଦ୍ବାରା ପକୃତି ତାର ଭାରସାମ୍ୟ ହରାଇବାରେ ଲାଗିଛି |
ଓଡ଼ିଶାରେ କାର୍ତ୍ତିକ ମାସକୁ ଧାର୍ମିକ ମାସ ବୋଲି କୁହାଯାଏ | ମାସ ସାରା ନିରାମିଷ ଖାଇ ହବିଷ୍ୟାଳି ମାନେ ପଞ୍ଚୁକ ପାଞ୍ଚ ଦିନ ପାଳନ କରିଥାନ୍ତି ଏବଂ ଅନ୍ୟ ଲୋକମାନେ ମଧ୍ୟ ପଞ୍ଚୁକ ପାଞ୍ଚ ଦିନ ଡ଼ଙ୍ଗା ଭସାଇ, ବାଣ ଫୁଟାଇ ପାଳନ କରିଥାନ୍ତି | କାରଣ ଏହି ପର୍ବ ଓଡ଼ିଶାର ଆଚାର, ବିଚାର, ଚାଲି ଚଳନ ତଥା ଧର୍ମୀୟ ଭାବନା ସହ ଉତ୍କଳ ପ୍ରାଚୀନ ଇତିହାସରେ ଥିବା ସାଧବ ପୁଅଙ୍କ ନୌବାଣିଜ୍ୟ ଦୃଷ୍ଟିକୋଣରୁ ଏହି ପର୍ବର ବୈଶିଷ୍ଟ୍ୟ ରହିଛି |
ତେଣୁ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାପାଇଁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗାଁ ଗହଳି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଡ଼ଙ୍ଗା ଭଷା ବା ବୋଇତ ବନ୍ଦାଣ ପାଳନ କରାଯାଇଥାଏ କିନ୍ତୁ କାର୍ତ୍ତିକ ପୂର୍ଣ୍ଣମୀ ଦିନ ଲୋକମାନେ ଯେଉଁ ବିପୁଳ ସଂଖ୍ୟାରେ ଜଳ ଉତ୍ସ ଗୁଡିକରେ ପ୍ରାଚୀନ ନୌବାଣିଜ୍ୟର ପ୍ରତୀକ ଭାବେ ଜୈବ ଓ ଅଜୈବ ପଦାର୍ଥ ଗୁଡିକରେ ତିଆରି ଡ଼ଙ୍ଗାଗୁଡିକୁ ଭସାଇ ଦେଇ ଚାଲିଯାଉଛନ୍ତି | ଏହାକୁ କେହି ପରିଷ୍କାର କରିବା କଥା ଭାବୁ ନାହାନ୍ତି |ଶେଷରେ ଜଳ ପ୍ରଦୂଷଣ ହେଉଛି ପ୍ରାଣୀ ଓ ଉଦ୍ଭିଦ ଜଗତ ପ୍ରଭାବିତ ହେଉଛନ୍ତି | ଯାହାଦ୍ୱାରା ବିଶ୍ୱର ମୁଖ୍ୟ ସମସ୍ୟା ପାଲଟିଛି ଜଳ ପ୍ରଦୂଷଣ ସମସ୍ୟା |
ଆମ ରାଜ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ସର୍ବାଧିକ ଜଳ ପ୍ରଦୂଷଣ ହୋଇଥାଏ |
“ମାସକ ଧର୍ମ ତୋର ଧର୍ମ ଦିନକ ଧର୍ମ ମୋର ” ଦ୍ୱାହି ଦେଇ ବ୍ୟବହୃତ ଅବ୍ୟବହୃତ ପୋଖରୀ, ଗାଡ଼ିଆ ଓ ନଦୀ ଆଦିରେ ଲକ୍ଷ ଲକ୍ଷ ଡ଼ଙ୍ଗା ଲୋକମାନେ ଭସାନ୍ତି | ଡ଼ଙ୍ଗା ଭସାଇବା ସମୟରେ ସୋଲ ଡ଼ଙ୍ଗା, କଦଳୀ ପଟୁଆ, କାଗଜ ଡ଼ଙ୍ଗା ଗୁଡିକୁ ବିଭିନ୍ନ ରଙ୍ଗରେ ସୁସଜ୍ଜିତ କରି ଜିଙ୍କ ଦେଇ ବହୁତ ମନଲୋଭା ଡ଼ଙ୍ଗାମାନ ତିଆରି କରି ସେଥିରେ ଧୂପ-ଦୀପ, କ୍ୟାଣ୍ଡେଲ, ଗୁଆ, ପାନପତ୍ର, କଦଳୀ, ପଇସା, ଚାଉଳ ଆଦି ରଖି ପୂଜା ପାଠ କରି ନଦୀ, ନାଳ, ପୋଖରୀ, ଗାଡ଼ିଆ, ସମୁଦ୍ରରେ ଭସାଇ ଦିଅନ୍ତି | ଯାହାଫଳରେ ଆମ ପରିବେଶ କେତେ ପ୍ରଦୂଷିତ ହେଉଛି ଏକଥା କେହି ଭାବନ୍ତିନି | ଜୀବଜଗତ ଉପରେ କେତେ କୁପ୍ରଭାବ ପଡୁଛି ସେଥିପାଇଁ କେହି ଧ୍ୟାନ ଦିଅନ୍ତିନି | ଯେଉଁ ଅଞ୍ଚଳ ଗୁଡିକରେ ଲୋକମାନେ ରହୁଛନ୍ତି ସେମାନଙ୍କ କଥା କେହି ଭାବନ୍ତିନି | ହଜାର ହଜାର ଲୋକ ଯେଉଁଭଳି ଭାବରେ ପାରମ୍ପରିକ ରୀତିନୀତିରେ ଡ଼ଙ୍ଗା ଭଷାଉଛନ୍ତି ଯଦି ସେହିଭଳି ଭାବରେ ହଜାର ହଜାର ଲୋକ ସେହି ଜଳକୁ ପରିଷ୍କାର କରିବା କଥା ଭାବନ୍ତେ ହୁଏତ କିଛି ପ୍ରଦୂଷଣ ରୋକି ହୋଇପାରନ୍ତା | ଲୋକଙ୍କର ଭାବନା ଥାଏ ଯେ ଆମେ ଡଙ୍ଗାରେ ଯେଉଁ ଦୀପ-ଧୂପ, ପାନପତ୍ର, ଗୁଆ, କ୍ୟାଣ୍ଡେଲ, ପଇସା ଥୋଇଲୁ ସେଟା ପାଣିରେ ମିଶିଯିବ ଆଉ ସେ ପଇସାକୁ ଛୋଟ ଛୋଟ ଛୁଆମାନେ ଚୁମ୍ବକ ପକାଇ ନେଇଯିବେ ସେଟା ଭୁଲ | ହୁଏତ ଛୋଟ ଛୁଆମାନେ ଚୁମ୍ବକ ପକାଇ ସେହି ପଇସା ଗୁଡିକୁ ନେଇଯିବେ କିନ୍ତୁ ପାନପତ୍ର, ବେଲପତ୍ର ପାଣିରେ ସମ୍ପୂର୍ଣ୍ଣ ରୂପେ ପୋଚିଯିବ ଏବଂ ପାଣି ସମ୍ପୂର୍ଣ୍ଣ ରୂପେ ପ୍ରଦୂଷଣ ହୋଇଯିବ | ପାଣି ଭିତରେ ଥିବା ଜଳଚର ପ୍ରାଣୀମାନେ ପାଣି ଭିତରେ କିଛି ମରିଯାଆନ୍ତି ତ ଆଉ କିଛି ପାଣି ଉପରେ ଭାସିବାକୁ ଲାଗନ୍ତି | ଏହା ଏତେ ମାତ୍ରାରେ ଦୁର୍ଗନ୍ଧ ହୋଇଥାଏ ଯେ ସେହି ରାସ୍ତାରେ ଯିବା ସମ୍ଭବ ହୋଇନଥାଏ |
ପରିବେଶର ଭାରସାମ୍ୟ ରକ୍ଷା କରିବା ଦିଗରେ ଜଳାଶୟ ଗୁଡିକରେ ରହୁଥିବା ମାଛ, ବେଙ୍ଗ ଏବଂ ଅନ୍ୟାନ୍ୟ ଜଳଚର ପ୍ରାଣୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ | ଜଳାଶୟ ଗୁଡିକରେ ଯାନବାହାନ ଧୋଇବା, ମୃତକ ମାନଙ୍କର କ୍ରିୟାକର୍ମ କରିବା, ବିଭିନ୍ନ ପୂଜା ଦ୍ରବ୍ୟ ସାମଗ୍ରୀର ବ୍ୟବହାର ପରେ ଫୋପାଡ଼ି ଦେବା ତଥା ମୂର୍ତ୍ତି ବିସର୍ଜନ ଭଳି କାମରେ ଲାଗୁଛି | ଯାହାଫଳରେ ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି | ନଦୀ କେବଳ ଜଳ ଉତ୍ସ ନୁହେଁ | ଏହା ସାମାଜିକ ଓ ବ୍ୟକ୍ତିର ଶାରୀରିକ ମାନସିକ, ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ମାନଦଣ୍ଡ ସହିତ ଓତପ୍ରୋତ ଭାବରେ ଜଡିତ | ତେଣୁ ସର୍ବ ବୃହତ ଜଳାଶୟ ଗୁଡିକୁ ସୁରକ୍ଷା ଦେବା ଆମର ପରମ କର୍ତ୍ତବ୍ୟ | ଜଳ ସୁରକ୍ଷିତ ରହିଲେ ପରିବେଶ ସୁରକ୍ଷିତ ରହିବ | ଜୀବଜନ୍ତୁ, କୀଟପତଙ୍ଗ, ଜଳଚର ପ୍ରାଣୀମାନେ ମଧ୍ୟ ସୁରକ୍ଷିତ ରହିବେ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନଟିକୁ ଜଳ ଉତ୍ସ ସୁରକ୍ଷା ଦିବସ ଭାବରେ ମାନ୍ୟତା ଦିଆଯାଉ | ଭୁବନେଶ୍ୱରର ସର୍ବ ବୃହତ ପୁଷ୍କରିଣୀ ବିନ୍ଦୁ ସାଗରକୁ ଅନେକ ଲୋକମାନେ ଡ଼ଙ୍ଗା ଭସେଇବାକୁ ଆସନ୍ତି ଆଉ ପ୍ରାୟ ଦୁଇଘଣ୍ଟା ଭିତରେ ଏହି ପୁଷ୍କରିଣୀ ଡ଼ଙ୍ଗା ଭର୍ତ୍ତି ହୋଇଯାଏ | ଲୋକଙ୍କର ଏହି ସଉକ ପୂରଣ ପାଇଁ ବିଭିନ୍ନ ପୋଖରୀ ଓ ନଈ ନିକଟରେ ଦୋକାନ ଗୁଡିକ ଖୋଲୁଛି |ଏହା ଉପରେ ପ୍ରତିବନ୍ଧକ ଲଗାଯାଉ କାରଣ ଏସବୁ ପ୍ରଦୂଷଣ ବଢ଼ାଇବାରେ ସହାୟକ ହୋଇଥାଏ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ