ଜାଗର ଯାତ୍ରା ପାଇଁ ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର
ନିମାପଡ଼ା,( ସନ୍ତୋଷ ଦାଶ):ପୁଣ୍ୟ ତୋୟା ପ୍ରାଚୀ ଉପତ୍ୟକା ରେ ରହିଛି ପ୍ରସିଦ୍ଧ ଦ୍ବାଦଶ ଶୈବ ପୀଠ। ସେ ଗୁଡିକ ହେଲା ଅନ୍ଧ କପିଳେଶ୍ଵର, ବେଲେଶ୍ୱର, ତ୍ରିବେଣୀଶ୍ଵର, ରାମେଶ୍ବର, ଅଙ୍ଗେଶ୍ୱର, ଅମରେଶ୍ୱର, ବନ୍ଦେଶ୍ଵର, ଗ୍ରାମେଶ୍ଵର, ସୋମେଶ୍ଵର, ସିଦ୍ଧେଶ୍ୱର, ନାଟେଶ୍ୱର ଓ ମୁକ୍ତେଶ୍ୱର। ଏହି ଶୈବ ପୀଠ ଗୁଡ଼ିକରେ ବୁଧବାର ଦିନ ପାରମ୍ପରିକ ପ୍ରଥାନୁସାରେ ମହା ଶିବରାତ୍ରୀ ବା ଜାଗର ଯାତ୍ରା ପାଳିତ ହେବ। ଶ୍ରଦ୍ଧାଳୁ ଭକ୍ତମାନେ ପୀଠ ରେ ପହଞ୍ଚି ଶମ୍ଭୁ ଙ୍କୁ ଦର୍ଶନ କରିବା ସହିତ ନିଜର ଓ ପରିବାର ର ମଙ୍ଗଳ କାମନା କରି ଜାଗର ଦିପ ଜାଳିବେ। ବିଳମ୍ବିତ ରାତିରେ ସବୁ ଶୈବ ପୀଠ ମାନଙ୍କ ରେ ମହାଦୀପ ମନ୍ଦିର ଚୂଡା କୁ ଉଠିବାର କାର୍ଯ୍ୟକ୍ରମ ରହିଛି। ଜାଗର ଯାତ୍ରା ପାଇଁ ମନ୍ଦିର ସବୁ କୁ ନୂତନ ଭାବେ ରଙ୍ଗ କରାଯାଇ ରଙ୍ଗୀନ ଆଲୋକ ମାଳା ରେ ସଜ୍ଜିତ କରାଯାଇଛି। ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସୁବିଧା ପାଇଁ ମନ୍ଦିର ପ୍ରଶାସନ ଓ ସେବକ ସମାଜ ପକ୍ଷରୁ ବ୍ୟାପକଆୟୋଜନ କରାଯାଇଛି। ବିଭିନ୍ନ ସ୍ଥାନ ରେ ପାଲା, ପ୍ରବଚନ, ବିଶ୍ଵଶାନ୍ତି ମହାଯଜ୍ଞ, ଭଜନ ସମାରୋହ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜାଗର ଯାତ୍ରା ବା ମହା ଶିବରାତ୍ରୀ ପାଳନ ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇଉଠିଛି।