ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ୫ଶହ ସ୍ୱେଚ୍ଛାସେବୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):‘ସାବଧାନ ହୋଇ ଗାଡ଼ି ଚଳାଇଲେ, ଦୁର୍ଘଟଣା ପାଖ ମାଡ଼ିବ ନାହିଁ । ସୁରକ୍ଷାକୁ କଲେ ତୁମ ନିଜର, ଦୁର୍ଘଟଣା ନିଶ୍ଚେ ହୋଇବ ଦୂର’ । ‘ନିଶା ଖାଇ ଗାଡ଼ି ଚଳାନ୍ତୁ ନାହିଁ, ଦୁର୍ଘଟଣାକୁ ଡ଼ାକି ଆଣନ୍ତୁ ନାହିଁ’ । ‘ମୁଣ୍ଡରେ ପିନ୍ଧନ୍ତୁ ହେଲ୍ମେଟ୍, ଖୋଲିବନି କେବେ ଯମର ଗେଟ୍’ । ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୫ଶହରୁ ଉର୍ଦ୍ଧ୍ୱ ଯୁବ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ହାତରେ ପ୍ଲାକାର୍ଡ଼ ଧରି ଏମିତି ଅନେକ ସୁନ୍ଦର ମନଛୁଆଁ ନାରା ଦେଇ ସଡ଼କ ସୁରକ୍ଷା ଜୀବନ ରକ୍ଷାର ସଚେତନତା ବାର୍ତ୍ତା ଜନସାଧାରଣଙ୍କୁ ବାଣ୍ଟିଛନ୍ତି । ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମାଇଁ ଭାରତ (ନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧା), ଶାଖା ଏବଂ ଟ୍ରାଫିକ୍ କମିଶନରେଟ୍ ପୁଲିସ୍, ଭୁବନେଶ୍ୱରର ମିଳିତ ସହଯୋଗରେ ଭୁବନେଶ୍ୱରର ଗୋହିରିଆ ଛକ, ମଦନପୁର, କିଟ୍ ବିଶ୍ୱବିଦ୍ୟାଳୟ ଛକ, ପଟିଆ, ସିଆର୍ପି ଛକ, ନୟାପଲ୍ଲୀ ଥାନା ଛକ, ଏକାମ୍ରକାନନ ପାର୍କ ଛକ, ରାଜା ମଧୁସୂଦନ ଦେବ କଲେଜ ଛକ ଠାରୁ କିଟ୍ ଛକ, ଉତ୍ତରା ଛକ, ବାଳକାଟି ବଜାର, ଇନ୍ଫୋସିଟି ଛକ ଠାରୁ ସାଇ ମନ୍ଦିର, ଶୈଳଶ୍ରୀ ବିହାର ଆଦି ଅଞ୍ଚଳରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ରର ରାଜ୍ୟ ନିର୍ଦ୍ଦେଶକ ଶିବାଜୀ ମୁରଲୀଧର ଖରାତ୍ କହିଥିଲେ, ସଡ଼କ ସୁରକ୍ଷାର ମାର୍ଗ ହେଉଛି ବ୍ୟକ୍ତି ସଚେତନତା, ଗାଡ଼ି ଚଳାଉଥିବା ବେଳେ ଗାଡ଼ି ଚାଳକଙ୍କୁ ସତର୍କତା ଓ ସଚେତନତା ଅବଲମ୍ବନ କରିବା ଉଚିତ୍ । ସଡ଼କ ସୁରକ୍ଷିତ ରହିଲେ ଆମ ଜୀବନ ମଧ୍ୟ ସୁରକ୍ଷିତ ହୋଇପାରିବ । ଉକ୍ତ କାର୍ଯ୍ୟକ୍ରମକୁ ଯୁବ ଅଧିକାରୀ ବିପିନ କୁମାର, ଆକାଉଣ୍ଟାଣ୍ଟ ଶୁଭେନ୍ଦ୍ର ନାଥ ସାହୁ ଏବଂ କୁଳମଣି ମଲ୍ଲିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ୫ ଦିନ ଧରି ଚାଲୁ ରହିବ ବୋଲି ଆୟୋଜକଙ୍କ ନିକଟରୁ ଜଣାପଡ଼ିଛି ।