ଜିଲ୍ଲାର ସର୍ବପୁରାତନ ବୋଇତ ବନ୍ଦାଣ ସମିତିର ୫୬ତମ ବୋଇତ ବନ୍ଦାଣ ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ସର୍ବପୁରାତନ ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡାର ୫୬ତମ ବୋଇତ ବନ୍ଦାଣ ଉତ୍ସବ ସ୍ଥାନୀୟ କପାଳେଶ୍ୱର ପଞ୍ଚାୟତର ଜଜାଙ୍ଗସ୍ଥିତ ଆଦର୍ଶ ଜେନା ପୋଖରୀରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାଧବ ବେଶରେ ସଜ୍ଜିତ ୭ଜଣ କୁନି ପୁଅଙ୍କୁ ସାଧବାଣୀ ବେଶରେ ସଜ୍ଜିତ ୭ଜଣ କୁନି ଝିଅ ତଅପୋଇ ସହ ବନ୍ଦାପନା କରିଥିଲେ । ଏକ ସୁସଜ୍ଜିତ ବୋଇତରେ ସାଧବ ପୁଅମାନେ ଆଦର୍ଶ ଜେନା ପୋଖରୀରେ ପରିଭ୍ରମଣ କରିବା ପରେ କୂଳକୁ ଫେରିଆସିଥିଲେ । ସେଠାରେ ଅନୁଷ୍ଠିତ କୁଇଜ ପ୍ରତିଯୋଗିତାର ୨୫ଜଣ କୃତି ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯାଇଥିଲା । ସମିତିର କର୍ମକର୍ତ୍ତା ଲୋହିତ ମହାନ୍ତି, ସରୋଜକାନ୍ତ ସାହୁ ଓ ରାଜେନ୍ଦ୍ର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ୍ୱାବଧାନରେ ଅନୁଷ୍ଠିତ ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ କପାଳେଶ୍ୱର ପଞ୍ଚାୟତ ସରପଞ୍ଚ କଳ୍ପନା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ପୂର୍ବତଟ ରେଳପଥର ପ୍ରାକ୍ତନ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ, ପୂର୍ବତନ ସରପଞ୍ଚ ଗାୟତ୍ରୀ ମହାନ୍ତି, ସମିତିର ସଭାପତି ଚିନ୍ମୟ ପ୍ରସାଦ ବେହୁରା, ସମ୍ପାଦକ ଉମାଶଙ୍କର ଜେନା, ଅବନ୍ତୀ ବେହେରା, ଶ୍ରୀଧର ମହାନ୍ତି, କମଳାକାନ୍ତ ବେହେରା, ପ୍ରଦୀପ କୁମାର ସେଠୀ, ରଜନୀକାନ୍ତ ଦାସ, ରବୀନ୍ଦ୍ର ନାଥ ରଥ, ମୁକ୍ତାର ଖାଁ ପ୍ରମୁଖ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଦେଖିବାକୁ ଆଦର୍ଶ ଜେନା ପୋଖରୀର ଚର୍ତୁପାଶ୍ୱର୍ରେ ହଜାର ହଜାର ସଂଖ୍ୟାରେ ନରନାରୀମାନେ ଉପସ୍ଥିତ ଥିଲେ । ପରେ ପୌରସଂସ୍ଥା ଟାଉନହଲ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ବାର୍ଷିକ ଉତ୍ସବ, ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସମିତିର ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ୍ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ, ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଚଳଚ୍ଚିତ୍ର ତାରକା ତଥା ଚଳିତ ବର୍ଷର ତଅପୋଇ ସୁଶ୍ରୀ ନମ୍ରତା ଦାସ, କବି ନିରାକାର ଦାସ, ପ୍ରାଧ୍ୟାପକ ଅଜୟ ରାଉତ, ସମିତି ସଭାପତି ଚିନ୍ମୟ ପ୍ରସାଦ ବେହୁରା ପ୍ରମୁଖ ଯୋଗଦେଇ ଅତୀତ ନୌବାଣିଜ୍ୟ ପରମ୍ପରାରେ କେନ୍ଦ୍ରାପଡାର ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ତୁଳସୀ ମହିଳା ମହାବିଦ୍ୟାଳୟରେ ହୋଇଥିବା ତର୍କ, ସଙ୍ଗୀତ, ନୃତ୍ୟ, ଚିତ୍ରାଙ୍କନ, ମେହେନ୍ଦୀ, ମୁରୁଜ, ଝୋଟି ପ୍ରଭୃତି ପ୍ରତିଯୋଗିତାର ୭୨ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିସହିତ ଡା. ସରୋଜକାନ୍ତ କାନୁନଗୋ ସ୍ମାରକୀ ଡା. ରମେଶ ଚନ୍ଦ୍ର ଦାସଙ୍କୁ, ଭାଗବତ ପ୍ରସାଦ ମହାନ୍ତି ସ୍ମାରକୀ ଆଇନଜୀବୀ ଉଷା ଦାସଙ୍କୁ, ନନ୍ଦିତା ବ୍ରହ୍ମା ସ୍ମାରକୀ ବିଧାୟିକା ସୋଫିଆ ଫିରଦୋସଙ୍କୁ, ଇନ୍ଦ୍ରମଣୀ ରାଉତ ସ୍ମାରକୀ ପ୍ରାକ୍ତନ ଶିକ୍ଷକ ସଚିନନ୍ଦନ ଦାସଙ୍କୁ, ଡା. ଅଲେଖ ଚନ୍ଦ୍ର ଦାସ ସ୍ମାରକୀ ସମାଜସେବୀ ଉଦୟନାଥ ବେହେରାଙ୍କୁ, ମହେଶ କର ସ୍ମାରକୀ ଚଳିତବର୍ଷ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ପ୍ରଜ୍ଞା ପାରଙ୍ଗମା, ପିନାକି ପାର୍ଥସାରଥୀ, ଶୈଳେନ୍ଦ୍ର କୁମାର ମହାନ୍ତି, ଇପ୍ସିତା ପ୍ରିୟଦର୍ଶିନୀ ଓ ଦିବ୍ୟଜ୍ୟୋତି ଜେନାଙ୍କୁ, ଦୋଳଗୋବିନ୍ଦ ଜେନା ସ୍ମାରକୀ ଯୁବ ଆଇନଜୀବୀ ମମତାମୟୀ ସାମଲ, ଦୃଷ୍ଟିହୀନ ସଙ୍ଗିତ କଳାକାର ଉମାକାନ୍ତ ଦାସ ଓ ମଞ୍ଚ କଳାକାର ପ୍ରଭାତ କୁମାର ସିଂହଙ୍କୁ, ଗୟାଚାନ୍ଦ ଭୂୟାଁ ସ୍ମାରକୀ କବି ସରୋଜ ସାହୁଙ୍କୁ, ମୀନକେତନ ଦାସ ସ୍ମାରକୀ ଚଳଚ୍ଚିତ୍ର ତାରକା ନମ୍ରତା ଦାସଙ୍କୁ, ଶରତ ପ୍ରସାଦ ସିଂହ ସ୍ମାରକୀ ସଙ୍ଗୀତ ବିଷାରଦ ମନୋଜ କୁମାର ଦାସଙ୍କୁ ପ୍ରଦାନ କରାଯାଇଥିଲା । ସମିତିର ସମ୍ପାଦକ ଉମାଶଙ୍କର ଜେନା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଗୋଲକ ପଢିହାରୀ ଅତିଥି ପରିଚୟ, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ସ୍ୱାଗତ ଭାଷଣ ଓ ପ୍ରମୋଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଗତ ୧୯୮୭ ମସିହାରୁ ସମିତିର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ମହେଶ କରଙ୍କ ନାମରେ ନାମିତ ମହେଶ କର ସ୍ମାରକୀ ଫଳକ ଖ୍ୟାତିସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଇ ଆସୁଅଛି । ପ୍ରାରମ୍ଭରେ ପଲ୍ଲିଶ୍ରୀ ମହିଳା ସମିତି, ସେଣ୍ଟ ଜାଭିୟର ହାଇସ୍କୁଲ ଓ ଶିବାୟ ଟ୍ୟୁଟୋରିଆଲର ପିଲାମାନେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ ଓ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସୁରଭି କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପଟ୍ଟାମୁଣ୍ଡାଇର ଆଞ୍ଚଲ ତ୍ରିପାଠୀ ଓ ତାଙ୍କ କୋରିଓଗ୍ରାଫର ପ୍ରତାପ କୁମାର ପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ରବି ନାରାୟଣ ମହାନ୍ତି, ସାମ୍ବାଦିକ ସୋମନାଥ ସାହୁ, ଦେବେନ୍ଦ୍ର କୁମାର ମହାନ୍ତି, ଲୋହିତ ମହାନ୍ତି, ରାଜେନ୍ଦ୍ର ମହାପାତ୍ର, କମଳାକାନ୍ତ ବେହେରା, ସୁବାଷ ଚନ୍ଦ୍ର ପାତ୍ର, ସରୋଜକାନ୍ତ ସାହୁ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ, ମିନତୀ ପ୍ରଭା ସ୍ୱାଇଁ, ପ୍ରଭାତୀ ଧଳ, ମୁକ୍ତାର ଖାଁ, ସ୍ୱପ୍ନାରାଣୀ ସିଂହ, ସୟଦ ଅବଦୁଲ ସତ୍ତାର, ଶରତ ଚନ୍ଦ୍ର ଧଳ, ପ୍ରମୋଦ ମହାପାତ୍ର, ଶ୍ରୀକାନ୍ତ ନାୟକ, ଶ୍ରୀଧର ମହାନ୍ତି, ବଳରାମ ଦାସ, ରଣଧୀର ଜେନା,ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ