ଜିଲ୍ଲା ରେଡ କ୍ରସ ଶାଖା ପକ୍ଷରୁ ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ରେଡ କ୍ରସ ଶାଖା (ଡିଆରସିବି)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଆଜି ଅପରାହ୍ନ ଘ. ୫.୩୦ ମି ସମୟରେ ସ୍ଥାନୀୟ ସଦ୍ଭାବନା ସଭା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାପାଳ ତଥା ଡିଆରସିବିର ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମଣ୍ଡଳୀୟ ବନ ଅଧିକାରୀ ଶ୍ରୀ ଖୁଶୱନ୍ତ ସିଂ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ସଚିବ, ଡିଆରସିବି ଶ୍ରୀ ସାଇ କୃଷ୍ଣ ଜେନା ପ୍ରମୁଖ ମଞ୍ଚାସୀନ ହୋଇ ଏହି ସଙ୍ଗଠନର କାର୍ଯ୍ୟଧାରା ଓ ଗୋଷ୍ଠୀ ପ୍ରଭାବକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ ପୂର୍ବକ କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ I ଉକ୍ତ ବୈଠକରେ ପରିଚାଳନା କମିଟିର ସଭାପତି, ଉପାଧ୍ୟକ୍ଷ ଓ କୋଷାଧ୍ୟକ୍ଷଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କୁ ଚୟନ କରାଯାଇଥିଲା I ଏଥି ସହିତ ଉପ-ସମିତିର ଅଧ୍ୟକ୍ଷମାନଙ୍କୁ ମଧ୍ୟ ଚୟନ କରାଯାଇଥିଲା I ଏହି କ୍ରମେ ୨୦୦୮-୦୯ ମସିହାରୁ ବକେୟା ଥିବା ରାଜ୍ୟ ଅଂଶଧନର ୩୦% ଅର୍ଥ ପ୍ରଦାନ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ନୂତନ କମିଟିକୁ ବାର୍ଷିକ କାର୍ଯ୍ୟ ଯୋଜନା ଓ ବଜେଟ୍ ପ୍ରସ୍ତୁତ କରିବାର ଦାୟିତ୍ୱ ଦିଆଯାଇଥିଲା। ଏହି ବୈଠକରେ ଡିଆରସିବି, ୱାଇଆରସି, ଜେଆରସି, ବିପର୍ଯ୍ୟୟ କମିଟି ଏବଂ ସ୍ୱାସ୍ଥ୍ୟ କମିଟି ମଧ୍ୟରେ ସମନ୍ୱୟ ବୈଠକ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା ।ଯୁଗ୍ମ ସଚିବଙ୍କ ବକେୟା ଦରମା ପ୍ରଦାନ ଏବଂ ନୂଆ ସଚିବଙ୍କ ସମ୍ଭାବ୍ୟ ପଦୋନ୍ନତି କିମ୍ବା ନିୟୁକ୍ତିକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଅନ୍ୟାନ୍ୟ ବିଷୟ ଗୁଡିକ ମଧ୍ୟରେ ଜିଲ୍ଲା ରେଡକ୍ରସ କାର୍ଯ୍ୟାଳୟର ପୃଥକ କାର୍ଯ୍ୟ ଓ କମ୍ପ୍ୟୁଟରୀକରଣ, ମାସିକ ରକ୍ତଦାନ ଓ ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା, ରେଡକ୍ରସ ସମ୍ପତ୍ତି ପାଇଁ ଜବରଦଖଲ ଓ ଭଡା ସମ୍ପର୍କିତ ସମସ୍ୟାର ସମାଧାନ ଏବଂ ୧୨ ଗୋଟି ବହୁମୁଖୀ ରେଡକ୍ରସ ବାତ୍ୟା ଆଶ୍ରୟସ୍ଥଳୀର ମରାମତି ପାଇଁ ଅର୍ଥ ପ୍ରଦାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା I ଉକ୍ତ ବାର୍ଷିକ ବୈଠକରେ ଆଲୋଚନା କରାଯାଇଥିବା ସମସ୍ତ ପ୍ରସଙ୍ଗର ସମୀକ୍ଷା, ପ୍ରମୁଖ ପ୍ରାଥମିକତା ଉପରେ ସାମଞ୍ଜସ୍ୟ ଏବଂ ଜିଲ୍ଲାରେ ରେଡକ୍ରସର ଉପସ୍ଥିତି ଏବଂ ପ୍ରଭାବକୁ ଆହୁରି ସୁଦୃଢ଼ କରିବା ଦିଗରେ ସମସ୍ତଙ୍କ ମିଳିତ ସହଯୋଗ ପାଇଁ ଜିଲ୍ଲାପାଳ ଶ୍ରୀ ବିକାଶ ଆଶା ପ୍ରକାଶ କରିଥିଲେ I ଏଠାରେ ସୂଚନା ଥାଉ କି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଜେନା ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ