ଜୀଵନ କୁହୁକ
ଜୀବନରେ ସଫଳତା ଶିଡ଼ି ଚଢିବା ପାହାଚ ଅନେକ ଥିଲେ ମଧ୍ୟ ସାଧାରଣତଃ ସମସ୍ତଙ୍କ ଜୀବନରେ ଚାରିଗୋଟି କୁହୁକ ପାହାଚ ନିଶ୍ଚୟ ଥାଏ. ପିଲାଦିନ, ଯୌବନରୁ ଗ୍ରାହସ୍ଥ୍ୟ ଜୀବନକୁ ନେଇ ମଧ୍ୟାହ୍ନ, ତାପରେ ଅପରାହ୍ନ ଓ ସାୟାହ୍ନ. ପିଲାଦିନରୁ ରବି ବଢିଥିଲା ଜେଜେମା ଓ ଜେଜେଙ୍କ କୋଳରେ ତେଣୁ ପ୍ରଥମ ପାହାଚ ତାର ଥିଲା କୁହୁକମୟ କାରଣ ସେ ପିଲାଦିନୁ ଜେଜେଙ୍କ ବଙ୍କୁଲି ବାଡ଼ି ଚୋରାଇ ନେଇ ଜେଜେଙ୍କ ସଙ୍ଗେ ଥଟାମଜ୍ଜା କଲାବେଳେ ବୁଝିଥିଲା କି ବୃଦ୍ଧ ଅବସ୍ଥା ଆସିଲେ ଏମିତି ହିଁ ହୁଏ.ମଣିଷର ଆଶ୍ରୟ ଓ ସାହାରା ଦରକାର ହୁଏ. ପୁଣି ରାତିରେ ଜେଜେମାଆଙ୍କ ପାଖରୁ ରାମାୟଣ ଓ ମହାଭାରତର କାହାଣୀ ସହ ଗୁରୁଙ୍କ ବିଷୟରେ ଜାଣିଥିଲା ରବି. ଗୁରୁ ସେବା କରିବା ପାଇଁ ଏକଲବ୍ୟ ହାତ ଆଙ୍ଗୁଠି କାଟିବା, ଉପମନ୍ୟୁ ଓ ଆରୁଣୀ କଷ୍ଟ ପାଇଲେ ମଧ୍ୟ କଷ୍ଟ ସହିଷ୍ଣୁ ହେବା ତଥା ଗୋପବନ୍ଧୁଙ୍କ ଗୁରୁ ସେବା ଇତ୍ୟାଦି ଭକ୍ତି ଗାଥା ରବିକୁ କୁହୁକ ପେଡି ପରି ଲାଗୁଥିଲା. ସେଥର ସ୍ବାଧୀନତା ଦିବସ ଦିନ ସ୍କୁଲରେ ଜଣେ ଗରୀବ ବୁଢୀଙ୍କୁ ସେ ତା ଭାଗର ବିସ୍କୁଟ, ଛଣା ସେଉ ଓ ବିସ୍କୁଟ ଦେଇଦେଇ ଖୁବ ଆନନ୍ଦ ଅନୁଭବ କରିଥିଲା ଓ ଘରକୁ ଆସି ପିଞ୍ଜରା଼ରୁ ଶୁଆକୁ ଉଡେଇ ଦେଇଥିଲା. ଶୁଆ ସିନା ଉଡ଼ିଗଲା ହେଲେ କୁକୁରର ଶିକୁଳି ଖୋଲି ଦେଇଥିଲେ ମଧ୍ୟ ସେ କୁଆଡେ ଯାଇନଥିଲା. ଗାଈର ପଘା ଖୋଲିଦେଇଥିଲେ ମଧ୍ୟ ସେ ଚରି ବୁଲି ସନ୍ଧ୍ୟାରେ ଘର ଚିହ୍ନି ଆସି ପହଁଞ୍ଚିଯାଇଥିଲା. ଏସବୁ ତାକୁ କୁହୁକ ଭଳି ଲାଗୁଥିଲା ତ ଜେଜେ ଜେଜେମା ତାକୁ ସବୁକଥା ବୁଝାଇ ଦିଅନ୍ତି. ଇଶ୍ୱରଙ୍କ ସୃଷ୍ଟିରେ ସେ ମଣିଷକୁ ଏତେ ବୁଦ୍ଧି, ବିଦ୍ୟା, ସୌନ୍ଦର୍ଯ୍ୟ, ଆୟୁଷ, ଆଶିଷ, ଜ୍ଞାନ ଓ ଶକ୍ତି ଦେଇଛନ୍ତି କି କୋଉ ପଶୁକୁ କିପରି ବ୍ୟବହାର କଲେ ସେ ଠିକ ରହିବ ବୁଝିବା ସହ ଅନ୍ୟ ଜନ୍ତୁ ଓ ପଶୁ ପକ୍ଷୀ ତଥା କୀଟ ପତଙ୍ଗ ପରି ପଶୁ ଜନ୍ତୁଙ୍କୁ ସେ ଠିକଠାକ ଉପଯୋଗ କରିପାରିବ, ଯେମିତି ସ୍କୁଲରେ ସ୍ବାଧୀନତା ପାଳନ ଅର୍ଥ ନୁହେଁ ମନଇଛା କ୍ଲାସରେ ଅନୁପସ୍ଥିତ ରହି ଏଣେ ତେଣେ ବୁଲିବ, ବୁଝିଯାଇଥିଲା ରବି ଅନେକ କିଛି.
ସେଦିନ ସଂସ୍କୃତ ଶିକ୍ଷକ ଆସି ଦେଖିଲେ ରାମୁ କ୍ଲାସରେ ନାହିଁ. ରବି କହିଥିଲା ସାର ସେ କ୍ଲାସରେ ମନିଟରକୁ ଅର୍ଥାତ ମତେ ନକହି ଯାଇଛି. ଖୋଜା ପଡିଲା ତ ରାମୁ କୋଉଠି ନଥିଲା. ଶେଷକୁ ଦେଖାଗଲା ଆମ୍ବ ଗଛରେ ଚଢି ଆମ୍ବ ତୋଳୁ ତୋଳୁ ଗଛରୁ ପଡି ହାତ ଗୋଡ଼ ଖଣ୍ଡିଆ କରି ଗଛ ମୂଳେ କାନ୍ଦୁଛି. ସଙ୍ଗେ ସଙ୍ଗେ ତାକୁ ହସ୍ପିଟାଲକୁ ନିଆଗଲା ସତ କିନ୍ତୁ ରାମୁ ଏଥର ବୁଝି ଯାଇଥିଲା ସ୍ବାଧୀନତା ଅର୍ଥ ନୁହେଁ ଲଗାମ ବିହୀନ ବରଂ ଵ୍ୟକ୍ତି ହେଉ, ଗୋଷ୍ଠୀ ହେଉ ବା ପରିବାର, ଶୃଙ୍ଖଳାର ଶୃଙ୍ଖଳ ପିନ୍ଧି ରହିଲେ ନିଜର କିଛି କ୍ଷତି ହେବନାହିଁ ବୋଲି ରବି ବୁଝେଇ ଦେଇଥିଲା ତାକୁ . ପରିବାରରେ ବଡମାନଙ୍କ କଥା ଯେମିତି ମାନି ଚଳିଲେ ବିପଦ ନଥାଏ ସ୍କୁଲରେ ଆମ ଗୁରୁଜୀ ଗୁରୁମାଙ୍କ କଥା ତଥା ଘରେ, ବାହାରେ, ସ୍କୁଲରେ ସବୁଠି ଥିବା ନିୟମ ମାନି ନାଚଳିଲେ ଖାଲି ନିଜର କ୍ଷତି ନୁହେଁ ବରଂ ପରିବାର,ଜାତି,ସହର, ନଗର, ଜିଲ୍ଲା ରାଜ୍ୟ ଓ ଦେଶର କ୍ଷତି ହୁଏ ନାହିଁ.ଏଥର ରାମୁ ପଚାରିଲା ତେବେ ଇଂରେଜମାନଙ୍କୁ ତଡି ଆମ ଦେଶ ଭାରତକୁ ସ୍ବାଧୀନ କରିବା କଣ ଦରକାର ଥିଲା? ରବି କହିଥିଲା ଆରେ ବୋକା ତୁମ ଘରେ ଯଦି ଜୋର ଜବରଦସ୍ତି ଆମେ ଯାଇ ରହିବୁ ଓ ତୁମକୁ ଗୁହାଳରେ ଶୋଇବାକୁ କହିବୁ ଓ ତୁମ ଦ୍ୱାରା ସବୁ କାମ କରେଇ ଆମେ ତୁମ ରୋଜଗାର ଟଙ୍କାରେ ଚଳିବୁ ତେବେ ତୁମେ କଣ ଚାହିଁବ? ରାମୁ କହିଲା ଆମ ଘର, ଆମ ହକ.ଆମକୁ ଆମ ଘର ଦେଇ ତୁମେ ତୁମ ଘରକୁ ଯାଅ କହିବୁ. ଆଉ ଯଦି ଆମେ ନଗଲୁ!ତେବେ ମୋ ଜେଜେ, ବାପା, ଦାଦା ତୁମକୁ ମାଡ଼ମାରି ବାହାର କରିବେ ବା ଥାନାକୁ ଯିବେ. ହଁ ଏଥର ବୁଝିଲୁ ତ. ଘର କଥା ବୋଲି ଆମେ ଥାନାକୁ ଯିବା କିନ୍ତୁ ଇଂରେଜମାନେ ଆମ ଦେଶରେ ରହି ଥାନା ଇତ୍ୟାଦି ସବୁଠି ତାଙ୍କ ଲୋକ ରଖିଥିଲେ ତ ଆମ ରାଜ୍ୟର ଲୋକେ ଥାନାକୁ ଯାଇଥିଲେ ତାଙ୍କ ଗୁହାରି କେହି ଶୁଣିନଥାନ୍ତେ ଆଉ ବାଡ଼ିଆପିଟା ଭଳି ଆନ୍ଦୋଳନ କରିଥିଲେ ଥାନାକୁ ଯାଉ ଯାଉ ଜେଲ ଭୋଗିଥାଆନ୍ତେ. ଆମ ଦେଶର ପିତା, ମହାତ୍ମା ଗାନ୍ଧି,ବିନା ଅସ୍ତ୍ରରେ, ଅହିଂସା ନୀତିରେ ସବୁ ଭାରତୀୟବାସୀଙ୍କୁ ଏକାଠି କରି, ଜେଲ ଯାଇ, କାରାବରଣ କରି ଇଂରେଜମାନଙ୍କୁ ଆମ ଦେଶରୁ ତଡି ଆମ ଦେଶକୁ ଆମ ଦେଶର ଲୋକଙ୍କୁ ଦେଇଥିଲେ. ନିୟମ କାନୁନ ପ୍ରଣୟନ କରି ନିଜ ଦେଶକୁ ନିଜେ ଶାସନ କରିଥିଲେ.ଏଥର ରାମୁ କିଛି କିଛି ବୁଝି କହୁଥିଲା ତୁ ଏତେ ସରଳ ଭାବେ ସ୍ବାଧୀନତାର ଅର୍ଥ କୋଉଠୁ ଶିଖିଲୁ? ରବି କହୁଥିଲା ମୋ ଜେଜେ ଓ ଜେଜେମାଙ୍କଠାରୁ. ଖାଲି ଏତିକି ନୁହେଁ ଗୁରୁଦିବସ କାହିଁକି ପାଳନ ହୁଏ ଇତ୍ୟାଦି ଅନେକ କଥା ମୋ ଜେଜେ ଓ ଜେଜେମା ଜାଣନ୍ତି.
ପିଲାଦିନେ ସାଙ୍ଗ ରାମୁକୁ ସ୍ବାଧୀନତା ଅର୍ଥ ଶିଖାଉ ଶିଖାଉ ରବି ଘରର ବଡ଼ ଭାଇ ହୋଇଯାଇଥିଲା. ତା ତଳକୁ ଆଉ ଦୁଇଭାଇ ଆସି ସାରିଥିଲେ. ସେମାନଙ୍କ ପାଠ ପଢ଼ା ପାଇଁ ରବି ଉଦବିଗ୍ନ ହୋଇପଡୁଥାଏ. ନିଜେ ସିନା ପ୍ରାଇମେରୀ ସ୍କୁଲ ପାଠ ପଢା ଶେଷ ପରେ ପାଠରେ ଡୋରି ବାନ୍ଧିଲେ ହେଲେ ଭାଇ ଦୁହେଁ କେମିତି ଜୀଵନ କୁହୁକ ଜାଣିବାକୁ ଅଧିକ ପଢିବେ ବୋଲି ଜେଜେ, ଜେଜେମା, ବାପା ଓ ବୋଉଙ୍କ ପରେ ସେ ହିଁ ଭାବୁଥିଲେ. ପ୍ରତିଦିନ ଟ୍ୟୁସନ ନେଇ ଦୁଇଭାଇଙ୍କୁ ଛାଡ଼ିବା ଆଣିବା ବେଳ ଏବେ ନାହିଁ. ଦୁଇଭାଇ ଭଲ ପଢି ସହରରେ ଭଲ ଚାକିରୀ କରି ରହୁଛନ୍ତି. ବବିର ସରକାରୀ ଚାକିରୀ ଓ କବିର କମ୍ପାନୀ ଚାକିରୀ ଭିତରେ ଯିଏ ଯାହାର ଜଞ୍ଜାଳରେ ବୁଡି ରହି ଗାଁକୁ ଆସିପାରୁନନ୍ତି ସତ ହେଲେ ବୁଝିଯାଆନ୍ତି ରବି. ସ୍ବାଧୀନଚେତା ମଣିଷ ରବି, ଭାଇମାନଙ୍କଠାରୁ କେବେ କିଛି ଆଶା କରୁନଥିବା ବେଳେ ଭାଗ୍ୟ ତାଙ୍କୁ ଉପହାସ କରିଛି. ସ୍ତ୍ରୀ ଚାଲିଗଲା ପରେ ମଧ୍ୟ ତାଙ୍କ ସ୍ବାଧୀନଚେତା ମନୋବଳ ଯୋଗୁଁ ନିଜର ଦୁଇ ଝିଅ ଆଜି ବିବାହ କରି ଯିଏ ଯାହା ସଂସାରରେ ଭଲରେ ଥିଲା ବେଳେ ସାନ ଭାଇର ବେସରକାରୀ ଚାକିରିରୁ ଲେ ଅଫ ହୋଇଯିବା ଘଟଣାରେ ମଧ୍ୟ ସେ ଭାଙ୍ଗିପଡିନଥିଲେ ବରଂ ବ୍ୟସ୍ତ ହୁଅନା ମୁଁ ଅଛି କହି କୋଉଥିରେ ଅଭାବ ଅସୁବିଧା ରଖିନଥିଲେ ରବି.ଗଡିଆର ମାଛ ପଡିଆର ଗଛରୁ ସବୁ ଆୟ ଆମଦାନୀ ସାନ ଭାଇ ହାତକୁ ଟେକି ଦେବା ଓ ତାକୁ ସହରୀ ଅୟସ ଆରାମ ଯୋଗାଇଦେବାର ଅଭିଯୋଗ ଆଣିଛନ୍ତି ମଝିଆଁ ବୋହୂ.
ଏବେ ରବି ଭାବନାରେ ପଡିଛନ୍ତି. କଥା ବଢ଼ି ବଢ଼ି ମଝିଆଁ ଯାଆ ଓ ସାନଯାଆ ଅଡ଼ି ବସିଛନ୍ତି ଭିନେ ହେବେ. ଚିଠି ଲେଖି ବବିକୁ ଡକେଇ ପଠେଇଛନ୍ତି ରବି . ବବି ସ୍ତ୍ରୀ କାନ୍ତିକୁ ଯେତେ ବୁଝେଇଲେ ମଧ୍ୟ ସେ ବୁଝୁନି କହୁଛି ଆମର କିଛି ଅସୁବିଧା ନଥିଲେ ମଧ୍ୟ ମୋ ହକ ମୁଁ ପାଇବାକୁ ଯୋଗ୍ୟ ନା ନାହିଁ?ଆମ ଭାଗରେ ଯାହା ପଡିବ ସେସବୁ ବିକ୍ରି କରିଦେବା. ବଡ଼ଭାଇ ଯଦି ନକିଣିବେ ତେବେ ସାନଭାଇ କିଣି ନେଇ ଯେତେ ଅୟସ ଆରାମ କରିବ କରନ୍ତୁ କିନ୍ତୁ ବସି ଖାଇ ନଇ ବାଲି କାହିଁକି ସାରିବେ? ବଡଭାଇ ପରା ନ୍ୟାୟବନ୍ତ ସେ ସୁଵିଚାର କରନ୍ତୁ. ନିର୍ଦ୍ଦିଷ୍ଟ ଦିନ ବବି ଗାଁରେ ପହଞ୍ଚିଥିଲା. ବଡ଼ ଭାଇ ରବି ଷ୍ଟେସନରୁ ବାପାଙ୍କ ସାଇକେଲରେ ସାନାଭାଇ ବବିକୁ ନେଲା ବେଳେ କହୁଥିଲେ କାଲି ଏ ସାଇକେଲ କାହା ଭାଗରେ ପଡିବ କିଏ ଜାଣେ? ବବିଙ୍କ ହୃଦୟ ଭିତରେ ଭିତରେ ଖଣ୍ଡ ଖଣ୍ଡ ହେଇଯାଉଥିଲେ ବି ସେ ଚୁପ ଥିଲା. ଏମିତିରେ ତ ମାଈପ ବୋଲିଆ ହୋଇ ନିଜର ସ୍ବାଧୀନତା ନଥିଲା ଦ୍ୱିତୀୟତଃ ପିଲାଦିନ ଓ ସାତପୁରୁଷି ଘରଟାରେ ଭାଇମାନଙ୍କ ସହ ଘରକୁ ବୋହୂ ହୋଇ ଆସିଥିବା ପର ଝିଅ ମାନଙ୍କର ଯେ ଅଧିକାର ରୂପକ ସ୍ବାଧୀନତା ଅଛି ସେକଥା ସେ ବୁଝି ସାରିଥିଲା.
ସକାଳୁ ସକାଳୁ ଗାଁ ମୁଖିଆ ସବୁ ପହଁଞ୍ଚି ତାଲିକା ପ୍ରସ୍ତୁତ କଲା ବେଳେ ଜମିବାଡ଼ି, ଘର ଓ ଘରର ଜିନିଷ ପତ୍ର ସବୁ ସମାନ ଭାବେ ତିନିଭାଗ ହେଲା ବେଳେ ସାନ ବୋହୂ ଦେଖା ଯାଉନଥିଲେ କି କାନ୍ତା ଆସିନଥିଲେ. ବଡ଼ ଭାଇ ରବିଙ୍କ ପାଖରେ ବବି ନିଜକୁ ବଳି ପଡିବାକୁ ଯାଉଥିବା ଛାଗଳ ପରି ମୁଣ୍ଡ ନୂଆଇଁ ଇଷ୍ଟ ଭଜୁଥିଲା ବେଳେ ଭାବୁଥିଲା ବଡ଼ଭାଇ ତାଙ୍କ ଦୁଇ ଭାଇ ବିଷୟରେ କଣ ଭାବୁନଥିବେ. ଏତେ ଯତ୍ନର ସହିତ ବଢ଼େଇ କୁଢେଇ ଦିନେ ମଧ୍ୟ କିଛି ସହଯୋଗ ବା ସାହାଯ୍ୟ ମାଗିନଥିବା ସ୍ବାଧୀନଚେତା ବଡ଼ଭାଇଙ୍କ ଆଗରେ ଛୋଟ ହୋଇଯାଉଥିଲା ବେଳେ ବବି ଆଖିରେ କେବଳ ଭାଗ ବଣ୍ଟୁଆରା଼ ଜିନିଷ ମାନଙ୍କଭିତରେ ଭାଇଙ୍କ ହାତ ଘଡି ଓ ସାଇକେଲ ଦାଉ ଦାଉ ଦିଶୁଥିଲା ବେଳେ ଆସିଥିବା ପଞ୍ଚମାନେ ଭାଗ ବାଣ୍ଟିଥିଲେ. ବବିର ଭାଗ ସାନ ଭାଇ କୋଡିଏ ହଜାରରେ କିଣି ନେବାକୁ ପ୍ରସ୍ତୁତ ଥିଲା ବେଳେ ବଡ଼ଭାଇ ତାଙ୍କ ଭାଗ ନନେଇ କେବଳ ଜେଜେଙ୍କ ବଙ୍କୁଲି ବାଡ଼ି ଓ ଜେଜେମାଆଙ୍କର ବଟୁଆଟିକୁ ଉଠେଇ ନେଇ କହିଥିଲେ ଏ ଦୁଇ କୁହୁକ ବାଡ଼ି ଓ କୁହୁକ ପେଡି ଛଡା ତାଙ୍କର ଆଉ କିଛି ଦରକାର ନାହିଁ କିନ୍ତୁ ହଠାତ ରବିଙ୍କ ସାଙ୍ଗ ରାମୁ ଉପସ୍ଥିତ ହୋଇ ସାଇକେଲ ଓ ରବିଙ୍କ ଭାଗ କିଣି ନେଇଥିଲେ. ରାତି ପାହିଲା ବେଳକୁ ସାନଭାଇ କବି ଦିଶୁନଥିଲା କି ବବି ନଥିଲା କିନ୍ତୁ ରାମୁ କହୁଥିଲା ଆରେ ରବି ମନ ଦୁଃଖ କରନା. ଘର ବଣ୍ଟା ଗୋଟେ ପ୍ରହସନ ଥିଲା.ତୋ ଭାଇମାନେ ନାଟକ କରିଥିଲେ କେବଳ. କବିର ଚାକିରୀ କରାଇବାକୁ ବବି ତାକୁ ସାଙ୍ଗରେ ନେଇ ଯାଇଛି. ଆଉ ତୋ ଭାଗ କିଣି ନେବାକୁ ମତେ ବବି ହିଁ ପଇସା ଦେଇଥିଲା. ନେ ସେ ଟଙ୍କା, ସାଇକେଲ ଓ ଘରର କାଗଜପତ୍ର. ରାମୁ ମୁହଁକୁ ଚାହିଁ ରବି କହୁଥିଲେ ଏତେ କୁହୁକ କୋଉଥି ପାଇଁ!ରାମୁ କହୁଥିଲେ ସବୁ ସେଇ ଲୀଳାମୟ ଜଗନ୍ନାଥଙ୍କ ଇଛା.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ