ଟାଟା ଓ ଅନ୍ୟାନ୍ୟ କମ୍ପାନୀକୁ ରୁଷିକୂଲ୍ୟା ନଦୀର ପାଣିକୁ କମ୍ପାନୀ ହାତରେ ଟେକିଦେବା ପାଇଁ ଜନ ଶୁଣାଣିରେ ବିରୋଧ
ବ୍ରହ୍ମପୁର,(ୱାଇଏନଏସ):ଗାଜଲବାଡ଼ି ପଂଚାୟତ କାର୍ଯ୍ୟାଳୟ ଠାରେ ଗାଜଲବାଡି,ଶିଙ୍କୁଳାପଦର, ଗଣପଙ୍କାଳ, ରାମନାବାଡ଼ି ଓ ରୁବାଙ୍ଗି ମୌଜାକୁ ନେଇ ଆଜି ସରକାରଙ୍କ ତରଫରୁ ପିପଳପଙ୍କା ଡ୍ୟାମ ନିର୍ମାଣ ଉଧେଶ୍ୟରେ ସୋରଡ଼ା ତହସିଲଦାର,ବିଡ଼ିଓ ଓ ରାଜସ୍ବ କର୍ମଚାରୀଙ୍କ ଉପସ୍ଥିତିରେ ଜନ ଶୁଣାଣି ଅନୁଷ୍ଠିତ ହେଇଯାଇଛି। ଏହି ଜନ ଶୁଣାଣି ରେ ଉପରୋକ୍ତ ମୌଜାର କିଛି ଲୋକ ଉପସ୍ଥିତ ହୋଇ ପିପଳପଙ୍କା ଡ୍ୟାମ ନିର୍ମାଣ ହେଲେ ଆମ ପାଞ୍ଚ ଖଣ୍ଡ ମୌଜାର ସରଂକ୍ଷିତ ଜଙ୍ଗଲ ଜମି ବୁଡିଯିବା ସହିତ ଜୀବନ ଜୀବିକା ଚାଲିଯିବାର ସମ୍ଭାବନା ଅଛି ଏଣୁ ଉକ୍ତ ପିପଳ ପଙ୍କା ଡ୍ୟାମକୁ ତୁରନ୍ତ ବାତିଲ କରାଯାଉ ବୋଲି ଉପସ୍ଥିତ ଜନ ସାଧାରଣ ଖୋଲାଖୋଲି ବିରୋଧ କରିଥିଲେ। ଯଦି ଡ୍ୟାମକୁ ବିରୋଧ କରିବା ସତ୍ୱେ ବଳପୂର୍ବକ ଭାବେ ଡ୍ୟାମ ନିର୍ମାଣ କରାଯାଏ ତାହାହେଲେ ଆଗାମୀ ଦିନରେ ଏକ ବୃହତ ଆନ୍ଦୋଳନର ସମ୍ମୁଖୀନ ହେବେ ରାଜ୍ୟ ସରକାର ବୋଲି ଚେତେଇ ଦେଇଥିଲେ। ଏ ନେଇ ପୂର୍ବରୁ ମଧ୍ୟ ଚାଷୀ ମୁଲିଆ ସଂଘ, ଓଡ଼ିଶା ରାଜ୍ୟ ନେତା ନିରାକାର ନାୟକ ଓ ଅବନୀ ଗୟାଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାପାଳ,ଉପଜିଲ୍ଲାପାଳ ତହସିଲଦାରଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରାଯାଇଥିଲା। ସୋରଡ଼ା ବ୍ଲକ, ଗୋଛା ପଂଚାୟତର ପିପଳପଙ୍କା ଠାରେ ଡ୍ୟାମ ନିର୍ମାଣ କରି ରୁଷିକୂଲ୍ୟା ନଦୀର ପାଣିକୁ ଗୋପାଳପୁରସ୍ଥିତ ଟାଟା ଓ ଅନ୍ୟାନ୍ୟ କମ୍ପାନୀକୁ ଯୋଗାଇବା ପାଇଁ ପୂର୍ବ ସରକାର ପିପଳପଙ୍କା ଠାରେ ୧୦୦୦କୋଟି ଟଙ୍କାର ଏକ ଡ୍ୟାମ୍ ନିର୍ମାଣ ପାଇଁ ଘୋଷଣା କରିଥିଲେ l ଏହି ପ୍ରକଳ୍ପ ନିର୍ମାଣ ହେଲେ ବହୁ ସଂଖ୍ୟକ ଚାଷୀ ଓ ଆଦିବାସୀ ପରିବାର ବିସ୍ଥାପିତ ହେବା ସହ ସବୁଜ ବନାନୀ ଓ ଉର୍ବର ଚାଷ ଜମି ଓ ଜଙ୍ଗଲ ସମ୍ପଦ ସବୁଦିନ ପାଇଁ ଡ୍ୟାମ ତଳେ ବୁଡ଼ିଯିବ। ସୋରଡ଼ା ସମେତ ଧରାକୋଟ, ସାନଖେମୁଣ୍ଡି ,ଆସ୍କା,ଶେରଗ ଡ଼,ଛତ୍ରପୁର,ପୁରୁଷୋତ୍ତମପୁର ,ଗୋପାଳପୁର ଆଦି ଅଂଚଳରେ ଯେଉଁ ଲକ୍ଷ ଲକ୍ଷ ଚାଷୀ ବର୍ଷ ତମାମ ଋଷିକୂଲ୍ୟା ନଦୀରୁ ନିଜ ନିଜ ଚାଷ ଜମିକୁ ପାଣି ନେଇ ଚାଷବାସ କରୁଛନ୍ତି,ସେମାନେ ତାହା ଆଉ ପାଇବେ ନାହିଁ । ଫଳରେ ଏଠାକାର ଚାଷୀଙ୍କ ସମେତ ନଦୀ କୂଳ ଅବବାହିକାର ସମସ୍ତ ଅଂଚଳର ଚାଷ ଜମିରେ ଅକାଳ ମରୁଡି ପଡିବ ଓ ଚାଷୀଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିବ l ବର୍ତମାନ ସୋରଡ଼ା ସମେତ ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ,ଭାରତୀୟ ବିରଳ ମୂର୍ତ୍ତିକା,ଗୋଳାବନ୍ଧ ଆର୍ମି କ୍ୟାଣ୍ଟିନ,ପୁରୁଷୋତ୍ତମପୁର, ଗଞ୍ଜାମ, ହୂମ୍ମା ଆଦି ଅଞ୍ଚଳବାସୀ ପାନୀୟ ଜଳ ଓ ଦୈନନ୍ଦିନ ବ୍ୟବହାର ପାଇଁ ଏକମାତ୍ର ରୁଷିକୂଲ୍ୟା ନଦୀ ଜଳ ଉପରେ ନିର୍ଭରଶୀଳ ଅଟନ୍ତି l କିନ୍ତୁ ଟାଟା ଓ ଅନ୍ୟାନ୍ୟ କମ୍ପାନୀର ଆବଶ୍ୟକତା ମେଣ୍ଟାଇବାପାଇଁ ହେଉଥିବା ପିପଳପଙ୍କା ପ୍ରକଳ୍ପ ଦ୍ୱାରା ଜନଗଣ ପିଇବା ଓ ସାରବାର କରିବା ନିମନ୍ତେ ପାଣି ଟୋପାଏ ପାଇବେ ନାହିଁ। ପାଣି ଅଭାବରେ ଡହଳ ବିକଳ ହେବା ସୁନିଶ୍ଚିତ l ଏହା ସହ କାଳ କାଳରୁ ପ୍ରକୃତି ଦତ୍ତ ଏହି ଚିରଶ୍ରୋତା ନଦୀ ଅଳ୍ପ ଦିନରେ ଶୁଖିଯିବ l ଏଥିରେ ଜୀବଜନ୍ତୁ,ବନ୍ୟଜନ୍ତୁ,ଗାଈ ଗୋରୁ,ବଣ ଜଙ୍ଗଲ ସମେତ ସମସ୍ତ ଜୀବନ ଗଭୀର ଭାବେ ପ୍ରଭାବିତ ହେବ l ଏଠାରେ କହିବା ପାଇଁ ଚାହୁଁ ଯେ, ରାଜ୍ୟ ସରକାରଙ୍କ ପରିବେଶ ମଞ୍ଜୁରୀ, ଜଙ୍ଗଲ ସୁରକ୍ଷା ଆଦି ପାଇଥିବା ବିଭିନ୍ନ ପ୍ରକାର ଆଇନଗତ କଟକଣାକୁ ଭାଙ୍ଗି ଟାଟା କମ୍ପାନୀ ହାତକୁ ଋଷିକୂଲ୍ୟା ନଦୀକୁ ଟେକିଦେବାପାଇଁ ପୂର୍ବ ସରକାର ହୀନ ଉଦ୍ୟମ ଆରମ୍ଭ କରିଥିଲେ। ବର୍ତମାନ ରାଜ୍ୟରେ ନୂଆ ବିଜେପି ସରକାର ଶାସନରେ ଆସିଛନ୍ତି l ଜଣେ ଆଦିବାସୀ ଭାବେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଅଛନ୍ତି।ଆଦିବାସୀ,ଦଳିତ ଓ କୃଷକ ସମୁଦାୟର ଦାବି ପ୍ରତି ଦୃଷ୍ଟି ଦେଇ ପୂର୍ବ ସରକାରଙ୍କ ଜନ ବିରୋଧି ଏହି ନିଷ୍ପତ୍ତି ପରିବର୍ତ୍ତନ କରିବେ ବୋଲି ଆମର ଆଶା ରହିଛି।ରୁଷିକୂଲ୍ୟା ନଦୀ କେବଳ ଗୋଟିଏ ନଦୀ ନୁହଁ, ଏହା ସମଗ୍ର ଗଞ୍ଜାମ ଜିଲ୍ଲା ବାସୀଙ୍କ ପାଇଁ ଏକ ଜୀବନରେଖା ଅଟେ। ଆଜିର ଜନ ଶୁଣାଣି ରେ ସୋରଡ଼ା ତହସିଲଦାର, ବିଡ଼ିଓ ଓ ଗାଜଲବାଡ଼ି ରାଜସ୍ୱ ନିରୀକ୍ଷିକ ସମେତ ସରପଞ୍ଚ ରଶ୍ମିତା ଆଚାର୍ଯ୍ୟ, ସମିତି ସଭ୍ୟା ମଞ୍ଜୁଳା ନାଇକ, ଜିଲ୍ଲା ପରିଷଦ ସଭ୍ୟ ସମେରେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିବା ବେଳେ ଅଲ ଇଣ୍ଡିଆ କ୍ଷେତ ମଜଦୁର କିଷାନ ସଭା ଆଞ୍ଚଳିକ କମିଟି ଜିତେଶ୍ୱର ମଳିକ, ଅଜୁ ନାଇକ,ଦୁଃଶାସନ ମଳିକ, ଭଗବାନ ନାଇକ,ବିଷ୍ଣୁ ପତ୍ର,ପ୍ରମୋଦ ପାତ୍ର, ଗୋବିନ୍ଦ ନାଇକ, ପ୍ରଶାନ୍ତ ଦଳବେହେରା,ବ୍ଲକ କମିଟି ସଭ୍ୟ ନମ ଶିବା ନାଇକ, କମିଟି କୈଳାଶ ମଳିକ ଉପସ୍ଥିତ ରହି ପିପଳ ପଙ୍କା ଡ୍ୟାମକୁ ବିରୋଧ କରିଥିଲେ।