ଟାଟା ଷ୍ଟିଲ ସ୍ପଞ୍ଜ କାରଖାନା ଫାଟକ ସମ୍ମୁଖରେ ପଞ୍ଚାୟସବାସୀଙ୍କ ଧାରଣା
ଯୋଡା, (ସମୀର କୁମାର ଦାସ):ଖଣି ଓ ଶିଳ୍ପ ନିଗରୀରେ ଏବେ ହାହାକାର ପରିସ୍ଥିତି । ଲୋକଙ୍କ ହାତରେ କାମ ନାହିଁ । ଗାଡି ମୋଟର ବ୍ୟବସାୟ ଏକ ପ୍ରକାର ଠପ ହେବାକୁ ବସିଲାଣି । ଏପରିସ୍ଥଳେ ଜନସାଧାରଣ ଏବେ ଉଗ୍ରରୂପ ଧାରଣ କରୁଥିବା ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ ଧର୍ମଘଟ, ଧାରଣା, ଆନେ୍ଦାଳନ ଭଳି ପନ୍ଥା ଅବଲମ୍ବନ କରୁଥିବା ଫଳରେ ଅଞ୍ଚଳର ବାତାବରଣ ଅଶାନ୍ତ ହେବାରେ ଲାଗିଛି । ଯୋଡା ବ୍ଲକ ବେଲଇପଦାଠାରେ ଅବସ୍ଥିତ ଟାଟା ଷ୍ଟିଲ ସ୍ପଞ୍ଜ ଆଇରନ କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ୫ଟି ପଞ୍ଚାୟତର ଶହ ଶହ ସଂଖ୍ୟାରେ ମହିଳା ପୁରୁଷ ୧୬ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ୨୮ନଂ ଜୋନ ଅଧିନରେ ଥିବା ବିରିକଳା, କଣ୍ଡରା, ଚମକପୁର, ଦେଓଝର ଓ ଅଂଶେଇକଳା ଏହି ୫ଟି ପଞ୍ଚାୟତର ଜନପ୍ରତିନିଧି ଓ ସ୍ଥାନୀୟ ଗ୍ରାମବାସୀ ଏହି ଆନେ୍ଦାଳନରେ ସାମିଲ ଅଛନ୍ତି । ଶୁକ୍ରବାର ଠାରୁ ଏହି ଆନେ୍ଦାଳନକାରୀମାନେ ବିଲେଇପଦା ଛକ ନିକଟରେ ଏକତ୍ରିତ ହୋଇ ଏକ ବିରାଟ ପଟୁଆରରେ କମ୍ପାନୀ ବିରୁଧରେ ବିଭିନ୍ନ ସ୍ଲୋଗାନମାନ ଦେବା ସହ କମ୍ପାନୀର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଏବେ ଧାରଣାରେ ବସିଥିବା ଜଣାପଡିଛି । ଏହି ୧୬ ଦଫା ଦାବି ମଧ୍ୟରେ ସ୍ଥାନୀୟ ଯୁବକ, ଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି, ମାଗଣା ଆମ୍ବୁଲାନ୍ସ ସେବା ସହ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଦେବା, ଉଚ୍ଚ ଗୁଣାତ୍ମକ ଶିକ୍ଷା ପ୍ରଦାନ , ଛାତ୍ର ଛାତ୍ରୀଙ୍କ ଯାତାୟତ ପାଇଁ ମାଗଣା ବସ୍ ସେବା, ବୈଶୟିକ ଶିକ୍ଷା ଓ ଆଇଟିଆଇ ସ୍ଥାପନ କରି ତାଲିମ ପ୍ରଦାନ କରିବା, ମେଧାବୀ ଛାତ୍ର, ଛାତ୍ରୀଙ୍କୁ ବୃତ୍ତି ପ୍ରଦାନ, ପ୍ରଭାବିତ ଅଞ୍ଚଳରେ ପାରିପାଶ୍ୱର୍ିକ ଉନ୍ନୟନ, ପରିବହନ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଦେଇ ଆତ୍ମନିର୍ଭରଶୀଳ କରିବା, ରେଳ ବୋଝେଇରେ ବୋଝେଇ, ଖଲାସ, ସମତୁଲ ଓ ପ୍ୟାକିଂ କାର୍ଯ୍ୟ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଦାନ କରିବା ପ୍ରଭୁତି ଦାବି ଏଥିରେ ମୁଖ୍ୟତଃ ରହିଛି । ଆନେ୍ଦାଳନକାରୀଙ୍କ ଅଭିଯୋଗ ମୁତାବକ କମ୍ପାନୀ ସବୁ କ୍ଷେତ୍ରରେ ପ୍ରଭାବିତ ଅଞ୍ଚଳବାସୀଙ୍କୁ ଅଣଦେଖା କରିଆସୁଛି । ସ୍ଥାନୀୟ ଶିକ୍ଷିତ ବେକାର ଯୁବକ, ଯୁବତୀମାନଙ୍କୁ ନିଯୁକ୍ତି ନଦେଇ ବାହାର ପ୍ରଦେଶର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରୁଅଛି । ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପାରିପାଶ୍ୱର୍ିକ ଉନ୍ନୟନ କ୍ଷେତ୍ରରେ କମ୍ପାନୀ ତାର ସାମାଜିକ ଦାୟିତ୍ୱ ନିର୍ବାହ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ବାରମ୍ବାର ଏହି ଅଭିଯୋଗ ସତ୍ୱେ କମ୍ପାନୀ କର୍ତ୍ତୁପକ୍ଷ ଏଥିପ୍ରତି ସାମାନ୍ୟତମ କର୍ଣ୍ଣପାତ କରୁନଥିବା ପଞ୍ଚାୟତବାସୀ ଅଭିଯୋଗ କରିବା ସହ ଆନେ୍ଦାଳନକୁ ଓହ୍ଲାଇଥିବା ୨୮ନଂ ଜୋନ ଜିଲା ପରିଷଦ ସଭ୍ୟ ଡମ୍ବରୁଧର କୁଦାଃଦା, ଚମକପୁର ଗ୍ରାମପଞ୍ଚାୟତ ନାଏବ ସରପଞ୍ଚ ଅର୍ଜୁନ ବେହେରା, ଅଂଶେଇକଳା ଗ୍ରାମପଞ୍ଚାୟତର ସରପଞ୍ଚ ଭାରତୀ ମୁଣ୍ଡା, ଯୋଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ନାଏକ ପ୍ରମୁଖ ଦାବି କରିଛନ୍ତି । ଏହି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ସେମାନେ ଦୃଢୋକ୍ତି ପ୍ରଦାନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ନିକଟରେ କମ୍ପାନୀ ଏହି ୫ଟି ପଞ୍ଚାୟତର ବେକାର ଯୁବକ, ଯୁବତୀମାନଙ୍କୁ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ଅତ୍ୟନ୍ତ ଚତୁରତାର ସହିତ ଗୁପ୍ତ ଭାବେ ବାହାର ରାଜ୍ୟର ୯ଜଣ ବ୍ୟକ୍ତିଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିଥିବା ଜଣାପିଡିଛି । ଏଥିରେ ବ୍ୟାପକ ଅର୍ଥ କାରବାର ହୋଇଥିବା ମଧ୍ୟ ସୂଚନା ମିଳିଛି । ତେଣୁ ଅଞ୍ଚଳବାସୀ କମ୍ପାନୀର କାର୍ଯ୍ୟ କଳାପରେ ଅସନ୍ତୋଷ୍ଟ ହୋଇ ଏବେ ରକ୍ତମୁଖା ପାଲଟିଯାଇଥିବା ଦେଖିବାକୁ ମିଳିଛି । ଏହି ଧାରଣା ଯୋଗୁଁ କମ୍ପାନୀର ସମସ୍ତ ପ୍ରକାରର ପରିବହନ ବନ୍ଦ ରହିଛି । ୮ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ କମ୍ପାନୀର କୌଣସି କର୍ତ୍ତୁପକ୍ଷ ଆନେ୍ଦାଳନକାରୀଙ୍କ ନିକଟକୁ ଆଲୋଚନା ନିମନ୍ତେ ଆସିନଥିବା ଜଣାପଡିଛି । ତେବେ ଏ ନେଇ କମ୍ପାନୀ ଅଧିକାରୀ ରଘୁବର ସୋମନାଥ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ରୋକ ଠୋକ ମନାକରିଦେଇଛନ୍ତି । ଫଳରେ ଏହି ଆନେ୍ଦାଳନ ଆହୁରି ଉଗ୍ରରୂପ ନେବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।