ଟୋକନ ଥାଇ ଧାନ ବିକ୍ରି ହେଉନଥିବା ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଟୋକନ ପ୍ରଦାନ କରାଯାଇ ଧାନ କିଣା ଯାଉନଥିବା ପ୍ରତିବାଦରେ ଚାଷୀମାନେ ରାସ୍ତାରୋକ କରିଛନ୍ତି.ଘଟଣାରୁ ପ୍ରକାଶ, ଧାନ ବିକ୍ରି ହୋଇପାରୁ ନ ଥିବା ଅଭିଯୋଗ କରି ଗଜପତି ଜିଲା କାଶୀନଗର ଅଞ୍ଚଳର ଚାଷୀମାନେ ରାସ୍ତାରୋକୋ ଆନ୍ଦୋଳନ କରିଛନ୍ତି. ସେମାନେ କାଶୀନଗର ଷ୍ଟେଟବ୍ୟାଙ୍କ ଛକ, ଠାକୁରାଣୀ ମନ୍ଦିର ଛକ ଓ ବସଷ୍ଟାଣ୍ଡଠାରେ ଏହି ରାସ୍ତାରୋକୋ କରିଥିଲେ। ସେମାନଙ୍କ ଶହ ଶହ କ୍ଵିଇଣ୍ଟାଲ ଧାନ ପଡ଼ି ରହିଛି। ଟୋକନ ଥିଲେ ମଧ୍ୟ ମଣ୍ଡି କର୍ତ୍ତୃପକ୍ଷ ଓ ମିଲରମାନେ ଟାର୍ଗେଟ ହୋଇ ସାରିଥିବା କହି ଧାନ ରଖୁନାହାନ୍ତି ବୋଲି ଚାଷୀ ଅଭିଯୋଗ କରିଥିଲେ । ଏନେଇ ପ୍ରଶାସନ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଚାଷୀ ଦାବି କରିଛନ୍ତି । ଚାଷୀଙ୍କ ଏହି ରାସ୍ତାରୋକୋ ଆନ୍ଦୋଳନ ଯୋଗୁ ସକାଳ ୬ଟାରୁ ମାଧହ୍ନ ଯାଏ ପାରଳାଖେମୁଣ୍ଡି – ଗୁଣପୁର – ଖାନ୍ଦବା ମଧ୍ୟରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିଲା । ଏନେଇ ସୂଚନା ପାଇ କାଶୀନଗର ତହସିଲଦାର ଓ ଆଇଆଇସି ପହଞ୍ଚୁ ଚାଷୀଙ୍କୁ ବୁଝାଶୁରୀ କରିଥିଲେ। ଆସନ୍ତା ୩ ଦିନ ଭିତରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ଯଦି ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ ନ ହୁଏ ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚାଷୀମାନଙ୍କ ପକ୍ଷରୁ କୁହାଯାଇଛି।