ଡ଼କ୍ଟର କୁମାର ବାବୁଲି ସାମ୍ବାଦିକ ଗୌରବ ସମ୍ମାନରେ ସମ୍ମାନୀତ
ବଡ଼ସାହି,(ନିରଞ୍ଜନ ମହାନ୍ତ): ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ଜିଲ୍ଲାସ୍ତରୀୟ ବାର୍ଷିକ ଉତ୍ସବ ଉଦଳା ସିପ୍ରନ୍ ଇନ୍ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଅରୁଣ କୁମାର ଓତା ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଗୋପାଳକୃଷ୍ଣ ମହାପାତ୍ର, ସମ୍ମାନିତ ଅତିଥି ଭାବେ ରାଜ୍ୟ କଳିଙ୍ଗ ପେସାଦାର ସାମ୍ବାଦିକ ସଂଘର ସଭାପତି ମନୋଜ କୁମାର ଦାସ, ବିନାୟକ ମିଶ୍ର, ସୌରଭ ପଟ୍ଟନାୟକ, ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ସଂପାଦକ ସଞ୍ଜୟ କୁମାର ଅଗ୍ରୱାଲା, ପୂର୍ବତନ କାଉନସିଲର ପ୍ରଭାତ କୁମାର ପରିଡ଼ା ଯୋଗଦେଇ ଡକ୍ଟର କୁମାର ବାବୁଲିଙ୍କୁ ‘ସାମ୍ବାଦିକ ଗୌରବ’ ସମ୍ମାନରେ ସମ୍ମାନିତ କରିଥିଲେ। ସେ ୧୯୮୮ ମସିହା ସାପ୍ତାହିକ ସମ୍ବାଦପତ୍ର ‘ଭଞ୍ଜପ୍ରଭା’ରୁ ତାଙ୍କର ସାମ୍ବାଦିକତା କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ପରେ ‘ବିରଜା ଭୂମି’ ୧୯୯୧ ମସିହା ଠାରୁ, ‘ନୂତନବାର୍ତ୍ତା’ ୧୯୯୨ ଠାରୁ, ‘ପ୍ରଜାତନ୍ତ୍ର’ ୨୦୦୨ ଠାରୁ, ‘ଜନବାଣୀ’ ୨୦୦୫ ଠାରୁ, ‘ଖବର’ ୨୦୦୯ ଠାରୁ, ‘ଧରିତ୍ରୀ’ ୨୦୧୦ ଠାରୁ, ‘ଓଡିଶା ଭାସ୍କର’ ୨୦୧୯ ଠାରୁ ଏବଂ ‘ଓଡିଶା ମୋବାଇଲ ଟି.ଭି’, ‘ଓଡିଶା ଭିଜନ ଟି.ଭି’, ‘ଟିଭି ଓ.ଏନ୍.ଏ ଖବର’ ଇତ୍ୟାଦିରେ କାମ କରି ଜନ ମାନସରେ ଏକ ଅଫୁରନ୍ତ ଆନନ୍ଦ ଆଣିଦେବା ସହ ଏକ ସଂସ୍କାରବାଦୀ ବୈପ୍ଳବିକ ଚେତନାର ଉଦ୍ରେକ ସୃଷ୍ଟି କରିଛନ୍ତି। ପ୍ରେସ୍ କ୍ଲବ ଚବିଶ୍ ଗୁଣନ ସାତ, ଅଲ୍ ଇଣ୍ଡିଆ ମିଡିଆ ଏସୋସିଏସନ, ମୟୂରଭଞ୍ଜ ସାମ୍ବାଦିକ ସଂଘ ଓ ବଡ଼ସାହି ସାମ୍ବାଦିକ ସଂଘର ଆଜୀବନ ସଦସ୍ୟ ଥିବାବେଳେ ଗୋପବନ୍ଧୁନଗର ପ୍ରେସ କ୍ଲବର ସଂପାଦକ ଭାବେ କାର୍ଯ୍ୟ ତୁଲାଉଛନ୍ତି। ସମ୍ପ୍ରତି ସେ ‘ବାଣୀପୀଠ’ର ଅଧ୍ୟକ୍ଷ ଅଟନ୍ତି। ଆମ ସୁନାଚାନ ଜାତୀୟ ଶିଶୁ ସାହିତ୍ୟ ସଂସ୍ଥାନ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଓ ରାଷ୍ଟ୍ରଭାଷା ସାହିତ୍ୟ ସଂସ୍କୃତି ଅକାଦମୀର ସେ ପ୍ରାଣପ୍ରତିଷ୍ଠାତା । ଅବସର ସମୟରେ କୋମଳମତି ଶିଶୁ ମାନଙ୍କ ପାଇଁ ଲେଖି ଚାଲନ୍ତି ଅନେକ ଶିଶୁ କବିତା, ଗଳ୍ପ ଓ ରମ୍ୟରଚନା । ବର୍ତ୍ତମାନ ସୁଦ୍ଧା ସାତ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି। ତାଙ୍କ ସମ୍ପାଦନାରେ ପ୍ରକାଶିତ ଓଡିଆ ମାସିକ ଶିଶୁ ପତ୍ରିକା ‘ଆମ ସୁନାଚାନ୍ଦ’ ୧୯୮୮ ମସିହା ଠାରୁ ତଥା ହିନ୍ଦୀ ମାସିକ ଶିଶୁ ପତ୍ରିକା ‘କାକଳୀ’ ୨୦୧୯ ଠାରୁ ପ୍ରକାଶ ପାଇ ଓଡିଶାର ପୁରପଲ୍ଲୀରେ ବେଶ୍ ଲୋକପ୍ରିୟତା ହାସଲ କରିଛି । ସେ ଜଣେ ସଫଳ ଶିଶୁ ସାହିତ୍ୟିକ, ସାମ୍ବାଦିକ, ସଂଗଠକ ତଥା ସଂସ୍କୃତି ପ୍ରେମୀ ଭାବରେ ରାଜ୍ୟ ଓ ରାଜ୍ୟ ବାହାରେ ଏକ ସ୍ଵତନ୍ତ୍ର ପରିଚୟ ମଧ୍ଯ ସୃଷ୍ଟି କରିପାରିଛନ୍ତି । ଶିଶୁ ସାହିତ୍ୟରେ ପିଏଚଡ଼ି କରିଥିବା ବେଳେ ଦିଲ୍ଲୀର ଆର୍ଟ, ଲିଟେରୀ ଏଣ୍ଡ ମ୍ୟାଜିକ୍ ୟୁନିଭରସିଟି ତରଫରୁ ସମ୍ମାନ ଜନକ ଡକ୍ଟରେଟ୍ ଉପାଧି ମଧ୍ୟ ପ୍ରାପ୍ତ ହୋଇଛନ୍ତି ଏତଦବ୍ୟତୀତ ଓଡ଼ିଶା ତଥା ଓଡ଼ିଶା ବାହାରୁ ଶତାଧିକ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି।