ଡାକ୍ତରଙ୍କୁ ଗିରଫ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଭୁଲ ଇଞ୍ଜେକସନ ଦେଇ ନାବାଳକକୁ ହତ୍ୟା କରିଥିବା ଡା. କିଶୋର ମିଶ୍ରଙ୍କୁ ଗିରଫ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତ ନାବାଳକ ସୂର୍ଯ୍ୟକାନ୍ତର ପରିବାର ପକ୍ଷରୁ ଗୁରୁବାର ଧାରଣା ଦିଆଯାଇଛି । ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ନାବାଳକ ସୂର୍ଯ୍ୟକାନ୍ତଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା । ଠିକ ଇଞ୍ଜେକସନ ଦିଆଯାଇଥିଲେ ସେ ସୁସ୍ଥ ହୋଇଯାଇଥାନ୍ତା । କିନ୍ତୁ ଡାକ୍ତର ମିଶ୍ର ସୂର୍ଯ୍ୟକାନ୍ତଙ୍କୁ ଭୁଲ ଇଞ୍ଜେକସନ ଦେଇ ମାରିଦେଲେ । ତେଣୁ ଭୁଲ ଇଞ୍ଜେକସନ ଦେଇଥିବା ଡା. ମିଶ୍ରଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବିକରି ପରିବାର ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହି ଥିଲେ । ଏହି ଦାବି ପରେଌିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସରୁ ସୂର୍ଯ୍ୟକାନ୍ତଙ୍କ ପରିବାରକୁ ୧୦ହଜାର ଟଙ୍କା ଶବ ସତ୍କାର ପାଇଁ ପ୍ରଦାନ କରାଯାଇଛି । ଏଥିସହ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୃତ ସୂର୍ଯ୍ୟକାନ୍ତଙ୍କ ପରିବାରକୁ ପ୍ରତିଶୃତି ଦେଇଥିଲେ । ଫଳରେ ପରିବାର ସଦସ୍ୟ ଧାରଣାସ୍ଥଳରୁ ମୃତଦେହ ଉଠାଇ ନେଇଥିଲେ । ସୂଚନା ଥାଉକି ରାଜନଗର ବ୍ଲକର ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିନ ଶୈଳେନ୍ଦ୍ରନଗର ଗ୍ରାମର ରାଜେଶ ଜାନାଙ୍କ ପୁଅ ସୂର୍ଯ୍ୟକାନ୍ତର ଦେହ ଅସୁସ୍ଥ ହୋଇପଡିବାରୁ ପରିବାର ପକ୍ଷରୁ ତାକୁ କେନ୍ଦ୍ରାପଡାର ଶିଶୁରୋଗ ବିଶେଷଜ୍ଞ ଡା. କିଶୋର ମିଶ୍ରଙ୍କ କ୍ଲିନିକକୁ ନିଆଯାଇଥିଲା । ସେଠାରେ ଡାକ୍ତର ମିଶ୍ର ନିକଟସ୍ଥ ସୁମିତ୍ରା ଔଷଧ ଦୋକାନରୁ ୩ଟି ଇଞ୍ଜେକସନ ଆଣି ସୂର୍ଯ୍ୟକାନ୍ତକୁ ଦେଇଥିଲେ । ଏହାଦ୍ୱାରା ସୂର୍ଯ୍ୟକାନ୍ତଙ୍କ ପାଟିରୁ ଫେଣ ବାହାରି ଥିଲା ଓ ସେ ଅଚେତ ହୋଇଯାଇଥିଲେ । ସୂର୍ଯ୍ୟକାନ୍ତ ମରିଯାଇଥିବା ଜାଣି ଡା. ମିଶ୍ର ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବାକୁ ପରାମର୍ଶ ଦେଇଥିଲେ । ତେଣୁ ପରିବାର ଲୋକେ ସୂର୍ଯ୍ୟକାନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭୁଲ ଇଞ୍ଜେକସନ ଦେଇ ପୁଅକୁ ମାରିଦେଲେ ବୋଲି ସୂର୍ଯ୍ୟକାନ୍ତଙ୍କ ପିତା ରାଜେଶ ଜାନା ଟାଉନ ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତ୍ତିକରି ପୋଲିସ ୨୫୫/୨୦୨୪ରେ ଭାରତୀୟ ନ୍ୟାୟ ସଂହିତାର ଦଫା୧୦୬(୩)(୫)ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ କହିଛନ୍ତି ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପାଇଁ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରିଛି । ଏ ନେଇ ଏକ କମିଟି ଗଠନ ହେବା ପରେ କମିଟି ତଦନ୍ତ କରି ଚିକିତ୍ସା ଅବହେଳା ସଂକ୍ରାନ୍ତରେ ତଥ୍ୟ ପ୍ରଦାନ ପରେ ସଂପୃକ୍ତ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗୁରୁବାର ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିବା ପାଇଁ ପରିବାର ଲୋକେ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ । ଏସଂକ୍ରାନ୍ତରେ ଡା. ମିଶ୍ର କହିଛନ୍ତି ସେ ଠିକ ଇଞ୍ଜେକସନ ଦେଇଥିଲେ । କିନ୍ତୁ ପିଲାଟିକୁ ଗୁରୁତର ଅବସ୍ଥାରେ ତାଙ୍କ ପାଖକୁ ଅଣାଯାଇଥିବାରୁ ତା’ର ମୃତ୍ୟୁ ଘଟିଛି । ଏଥିରେ ଡାକ୍ତରଙ୍କର କୈାଣସି ଭୁଲ ନାହିଁ ।