ଡେରାବିଶ ବ୍ଲକରେ ରାଜନେତା ଓ ସମାଜସେବୀଙ୍କ ମଧ୍ୟରେ ହାତାହାତି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଜଣେ ରାଜନେତା ଓ ଅନ୍ୟ ଜଣେ ସମାଜସେବୀଙ୍କ ମଧ୍ୟରେ ଶୁକ୍ରବାର ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ପରିସ୍ଥିତି ଏପରି ହୋଇଥିଲା ଯେ ଉଭୟ ଉଭୟଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷା ପ୍ରୟୋଗ କରିବାକୁ ମଧ୍ୟ ପଛାଇ ନଥିଲେ । ସମାଜସେବୀ ଅଜୟ ରାଉତ ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳରୁ ଟିକେଟ ପାଇବାକୁ ଆଶାୟୀ ଥିଲେ । ଡେରାବିଶ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସରୋଜ ସାହୁ ମଧ୍ୟ ସେହି ଦଳରୁ ଟିକେଟ ଆଶାୟୀ ଥିଲେ । ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସରୋଜଙ୍କର ଦବ୍‌ଦବା ରହିଛି । ସମାଜସେବୀ ଶ୍ରୀ ରାଉତ ତୃତୀୟ ମହଲା ସହିତ ଯୋଗାଯୋଗ କରି ଟିକେଟ ଫାଇନାଲ କରିଥିବା ସରୋଜଙ୍କୁ କହିଥିଲେ । ନିର୍ବାଚନ ସମୟରେ ସାଂଗଠନିକ କାର୍ଯ୍ୟ ଜରିଆରେ ସରୋଜ ଭୋଟ କରେଇଦବା ପାଇଁ ଅଜୟଙ୍କୁ ପ୍ରତିଶୃତି ଦେଇଥିଲେ । ଏହାବଦଳରେ ଅଜୟ ସରୋଜଙ୍କୁ ୧୨ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ରାଜନୈତିକ ପାଣିପାଗ ବଦଳି ଯାଇଥିଲା । ଅଜୟ ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ । ସରୋଜ ବିଜେପିକୁ ଡେଇଁ ପଡିଥିଲେ । ନିର୍ବାଚନ ଶେଷ ହେବା ପରେ ଅଜୟ ସରୋଜଙ୍କୁ ୧୨ଲକ୍ଷ ଟଙ୍କା ଫେରାଇ ଦେବା ପାଇଁ ବହୁବାର କହିଥିଲେ । କିନ୍ତୁ ସରୋଜ ଉତ୍ତର ରଖିଥିଲେ ଯେ ଟଙ୍କା ସେ ନେଇ ନାହାନ୍ତି ବୋଲି । ଶୁକ୍ରବାର ଡେରାବିଶ ପଞ୍ଚାୟତ ସମିତିର ଅଧିବେଶନ ଥିଲା । ଏଥିରେ ପଞ୍ଚାୟତ ସମିତି ସଭ୍ୟ ଭାବେ ସରୋଜ ଯୋଗଦେଇଥିଲେ । ଖବର ପାଇ ଅଜୟ ଡେରାବିଶ ବ୍ଲକକୁ ଯାଇଥିଲେ । ବୈଠକ ଶେଷ ହେବା ପରେ ବ୍ଲକ ହତାରେ ସରୋଜ ଓ ଅଜୟ ଭେଟା ଭେଟି ହୋଇଯାଇଥିଲେ । ଫଳରେ ଅଜୟ ସରୋଜଙ୍କୁ ସେ ଦେଇଥିବା ୧୨ଲକ୍ଷ ଟଙ୍କା ଫେରାଇ ଦେବାକୁ କହିଥିଲେ । ଏହି ସମୟରେ ସରୋଜ ଅଜୟଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା କେତେକ ଗଣମାଧ୍ୟମ ପ୍ରତିନିଧି ଉଭୟଙ୍କୁ ବୁଝାଶୁଝା କରିଥିଲେ । କିନ୍ତୁ ଉଭୟ ସଦର ଥାନାରେ ଏତଲା ଦେଇଛନ୍ତି । ଉଭୟ ଏତଲାକୁ ଭିତ୍ତିକରି ସଦର ଥାନା ପୋଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ବିମଳ ମଲ୍ଲିକ ସୂଚନା ଦେଇଛନ୍ତି । ଏହି ରୋଚକ ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ