ତସ୍ମେଇ ନମଃ
ଟ୍ରାଫିକ ଜାମ ଭିତରେ ଅଟୋରୁ ଓଲ୍ହେଇପଡି ଆନମନା ହୋଇଗଲେ ଅସ୍ମିତା. ଆଗକୁ ଗଲେ ବସଷ୍ଟାଣ୍ଡ ପଛକୁ ଫେରିଲେ ଅଟୋ ଷ୍ଟାଣ୍ଡ. ବସଷ୍ଟାଣ୍ଡକୁ ଗଲେ ବାଟ ପାସେଞ୍ଜର ମାନଙ୍କୁ,ସବୁଠୁ ପଛରେ ଉଠେଇବେ, ପୁଣି ବସ ପଛରେ ଦଉଡ଼େଇ ଦଉଡ଼େଇ. ସେଥିରେ ଦୂର ଯାତ୍ରୀମାନେ ବସି ସାରିବା ପରେ ପଛ ସିଟରେ ଖାଲି ଜାଗା ଥିଲେ ବସ,ନଚେତ ଠିଆ ହୋଇ ରହିବାକୁ ବାଧ୍ୟ. ଠିଆ ହେବାର ଅନୁଭୂତି ଯିଏ ଭୋଗିଛି ସେ ଜାଣିଛି. ନା ଅଟୋ ଷ୍ଟାଣ୍ଡକୁ ବରଂ ଚାଲିଗଲେ ଭଲ. ହୁଏତ ଚାରି ପାଞ୍ଚ ଜଣ ହୋଇଗଲେ, ଅଧିକା ଦୁଇ ପଇସା ନଉ ପଛେ ଭଲରେ ଅନ୍ତତଃ ଯାଇହେବ ଭାବି, ସୁବାସବୋଷ ଛକରୁ କେତେ କଷ୍ଟ କରି ଆସିଥିବା ଅଟୋରୁ ଓଲ୍ହେଇ ପଡିଲା ବେଳକୁ, ସ୍ତ୍ରୀ ଲୋକ ଟିଏ ଲାଗିଯାଇଛି ପଛରେ,ମା ନିଅ ବହିଟିଏ. ତୁମକୁ ମୁଁ ଚିନ୍ହିଛି ମା. ତୁମେ ପରା ଆମ ଗାଁରେ କବିତା ବୋଲିବାକୁ ଯାଇଥିଲ, ନିଅ ମାଆ ନିଅ ମାତ୍ର କୋଡିଏ ଟଙ୍କା. ସେପଟେ ଅଟୋ ଵାଲା ଭାଇ ପାଟିକରୁଛି, ଶୀଘ୍ର ପଇସା ଦିଅନ୍ତୁ ମାଡାମ. ପୋଲିସ ଏବେ ଜୁଲମ କରିବ ମୁଁ ଶୀଘ୍ର ଏଠୁ ଗାଡି ନିଏ. ହଉ ହଉ କହି ପର୍ସ କାଢି କୋଡିଏ ଟଙ୍କା ଅଟୋ ବାଲାକୁ ଦେଲାବେଳକୁ, ଏ ସ୍ତ୍ରୀ ଲୋକଟିର କଟାଳ, ନିଅ ମାଆ ବହି ଖଣ୍ଡେ, ତୁମେ ପଢିଲେ ବୁଝିବ, ମୋ ଜୀବନ କାହାଣୀ ଏଥିରେ ଲେଖା. ତୁ ମତେ ବିରକ୍ତ କରନି ଜମା. ଏବେ ମତେ ଅଟୋ ନମିଳିଲେ ମୁଁ କୋଉ କୁଳର ହେବି. ଏଣେ ବସ ଷ୍ଟାଣ୍ଡ ଗଲିନି, ଅଟୋ ଚାଲିଗଲା. ତେଣେ ଅଟୋ ମିଳୁଛି କି ନା କହି, ବ୍ୟସ୍ତ ବିବ୍ରତ ଭାବରେ, ଟ୍ରାଫିକ ଅତିକ୍ରମ କରି ଡାକ୍ତରଖାନା ଛକକୁ ଆସିବାକୁ ଢେର ସମୟ ଲାଗିଗଲା. ବାଇକ ଵାଲା ଭାଇ ହାଁ ହାଁ କହୁ କହୁ ମୁଁ ପଛକୁ ବୁଲି ଚାହିଁଲା ବେଳକୁ ସେହି ସ୍ତ୍ରୀ ଲୋକଟି ମୋ ସାମ୍ନାରେ. ହସୁଛି ଦାନ୍ତ ନିକୁଟି ଆଉ କହୁଛି ବହି ଖଣ୍ଡେ ନିଅ ମାଆ, କେତେ ପଇସା ଖର୍ଚ୍ଚ କରୁଛ, କୋଡିଏ ଟା ଟଙ୍କା ମାତ୍ର.
ମୁଁ ସେତେବେଳକୁ ଅଟୋକୁ ପଚାରୁଥାଏ କୋଉ ଯାଏଁ ଯିବ ଅଟୋ. ଚନ୍ଦନପୁର. ବସନ୍ତୁ.ହେଲେ ସେଠୁ ସାକ୍ଷୀଗୋପାଳ କେମିତି ଯିବି??ଆମେ ବସେଇଦେବୁ ସାକ୍ଷୀଗୋପାଳ ଅଟୋରେ. ଅଟୋ ଭାଇର ମତେ ମିଶାଇ ଆବଶ୍ୟକୀୟ ଯାତ୍ରୀ ଯୋଗାଡ଼ ହୋଇଯାଇଥିଲେ ତ, ସଙ୍ଗେ ସଙ୍ଗେ ଛାଡିଦେଲା. ଆଜି ପୁରୀ ଯାଏଁ ଆସିବାକୁ ଯେତିକି ନାକେଦମ ସେତିକି ଖର୍ଚ୍ଚାନ୍ତ ଜୀବନରେ କେବେ ହୋଇନଥିଲି. ଆସିଲା ବେଳେ ଷ୍ଟାଣ୍ଡରେ ବସ ନଥିଲା ତ ଭୁବନେଶ୍ୱର ଆଡୁ ଆସୁଥିବା ଅଟୋରେ ବସିଗଲି. ପୁରୀକୁ ପଚାଶ ଟଙ୍କା. ତିରିଶ ଜାଗାରେ ପଚାଶ କହିଲାଣି ଭୁବନେଶ୍ଵରିଆ ଅଟୋ ଵାଲା ଭାଇ, ହଉ ପଛେ ମତେ ଟିକେ ସଂସ୍କୃତି ଭବନ ଯାଏଁ ଛାଡ଼ିଦେବେ. ହଉଯେ, ସେଇଟା କୋଉଠି?ତ ଅସ୍ମିତା ଉତ୍ତର ଦେଲେ ସୁବାସ ବୋଷ ଛକରେ, ବାମ ପଟକୁ.ସେଇଟା ପୁଣି କୋଉଠି?? ମଲା ମଣିଷ,କହି କହି, ବାଟ ବତେଇ ବତେଇ,ସେଠାରେ ପହଁଚିଲା ପରେ କହିଲା ଆଉ ପଚାଶ ଟଙ୍କା,ମାନେ ଶହେ ଟଙ୍କା. କେତେ କବି କବୟିତ୍ରୀ, ସାହିତ୍ୟିକ ଓ ସାହିତ୍ୟିକା ଭିତରେ,ଚୁପଚାପ ଶହେ ଟଙ୍କା ଦେଇ ଉତ୍ତରି ଗଲି. ଆଉ ଯିବା ବେଳକୁ ଏ ଚନ୍ଦନପୁର ଯାଏଁ ଯାଉଛିତ ସାକ୍ଷୀଗୋପାଳ ଅଟୋ ମିଳିବକି ନା କେଜାଣି? ନିଜ ବିକଳ ଅବସ୍ଥା ଭିତରେ ସେ ବିକଳିଆ ସ୍ତ୍ରୀ ଲୋକଟାର ଅନୁନୟ ବିନୟ ମୁହଁ ଟି ମନେ ପଡିଗଲା. ମାତ୍ର କୋଡିଏ ଟଙ୍କାରେ ବହି ଭଳି ଅମୁଲ୍ୟ ପଦାର୍ଥ ଖଣ୍ଡେ ବିକିବାକୁ ଚାଁହୁଥିଲା, ପୁଣି ଚିହ୍ନିଛି କହୁଥିଲା. କୋଉଠି, କୋଉ ଗାଁ, କେବେ ଇତ୍ୟାଦି କିଛି ପଚାରି ହେଲାନାହିଁ. ଅନ୍ୟର ଉପକାରରେ ଆସିପାରୁନଥିବା ମୋ ଭଳି ମଣିଷ ଧିକ କହି ନିଜକୁ କ୍ଷମା କରିପାରୁନଥିବା ଅସ୍ମିତା ଭାବୁଥିଲେ.
କେତେ କାହା ପ୍ରେରଣାରେ ସେ କବି ଓ ଲେଖକ. କୁଆଡେ ଯିବାକୁ ହେଲେ ସାଙ୍ଗ ସାଥି ଲୋଡ଼ା. କୋଉଠିକି ଗଲେ କେତେ କଷ୍ଟ. ଆଜି କବି ସମ୍ମିଳନୀରେ ତାଙ୍କ ବେଳକୁ ଆଉ ଖାଦ୍ୟ ନାହିଁ. ଲୋକ ଯାଇଛନ୍ତି, ଆଣି ଆସିବେ ତ ଖାଇବାକୁ ପଡିବ, ଦିନ ତିନିଟା ବାଜିଲାଣି ବୋଲି ଅପେକ୍ଷା ନକରି,ସେ ଚାଲିଆସିଥିଲେ.ମନ ତୋହର ନିଜ ଗୁରୁ.. ଉଦ୍ଧବ କେତେ ତୁ ପଚାରୁ ଭଳି, ନିଜ କର୍ମ ଆନୁଯାଇ ଫଳ, ନଚେତ ସ୍ତ୍ରୀ ଲୋକଟିକୁ,କୋଡିଏ ଟଙ୍କା ଦେଇ ବହିଟିକୁ ରଖିଥିଲେ ହେଇନଥାନ୍ତା ଭାବି ଭାବି ସନ୍ତୁଳିତ ହେଉ ହେଉ ଚନ୍ଦନପୁର. ଦୂରରେ ସାକ୍ଷୀଗୋପାଳ,ସାକ୍ଷୀଗୋପାଳ ବୋଲି ଡାକ ଛାଡ଼ୁଛି ଅଟୋ, ତରତରରେ ପଇସା ଦେଇ, ଏକରକମ ଦଉଡି ଯାଇ ବଳି ପଡି ଥିବା ଏକମାତ୍ର ସିଟରେ ବସିବାକୁ ଯାଉଛନ୍ତି,ପୁରୀ ଅଟୋ ଵାଲା ଭାଇ ଦଉଡି ଆସି ବହିଟିଏ ବଢ଼େଇଲେ. କହିଲେ, ଆପଣଙ୍କର. ସେଇ ସ୍ତ୍ରୀ ଲୋକ ଦେଇଯାଇଥିଲା କହିଲା ତାଙ୍କ ଗ୍ରାମକୁ ଗଲେ ସେ ଆପଣଙ୍କଠୁ ପଇସା ନେଇଯିବ. ହଉ ହଉ କହି କୁତାର୍ଥ ହୋଇଗଲି. ବାଟରେ ଏପଟେ ଶିବଶଙ୍କର ସେପଟେ ମାଆ ଦକ୍ଷିଣକାଳୀଙ୍କୁ ମୁଣ୍ଡିଆ ମାରି ଭଲରେ ଭଲରେ ଆସି ଘରେ ପହଞ୍ଚି, ସନ୍ଧ୍ୟା ଧୂପ ବୁଲାଇସାରି,କିଛି ଖାଇସାରି ବହିଟିକୁ ଦେଖେତ, ସୁବାସ ବୋଷଙ୍କ ଉପରେ ଲିଖିତ ବହିଟି ଆଉ ଲେଖିକା ସରସ୍ବତୀ ଦାସ. ଗ୍ରାମ, ଇଶ୍ୱରପୁର.ଏମିତି ଗ୍ରାମ ଅସ୍ମିତା ଶୁଣି କି ଜାଣି ନଥିଲେ. ଏବେ ଯୋଉଠି କବିତା ଆସରକୁ ଯାଆନ୍ତି ଖୋଜି ଖୋଜି ନାମ ଗ୍ରାମ ନୟାନ୍ତ ହୁଅନ୍ତି ହେଲେ ଠିକଣା ମିଳେନି. ପୁରୀ ଆସିଲେ ବସ ଷ୍ଟାଣ୍ଡ ଓ ଅଟୋ ଷ୍ଟାଣ୍ଡରେ ଅନେକ ଖୋଜି ମଧ୍ୟ ବୃଥା. ହେଲେ ସୁବାସ ବୋଷଙ୍କ ଉପରେ କବିତା ଲେଖିବାକୁ ବହିଟି ବହୁ ସାହାଯ୍ୟ କରିଥିଲା. ଅନୁଆରୀ ଛବିଶ ଦିନ ମଧ୍ୟ ପିଲାଙ୍କୁ ଭାଷଣ ଦେଲାବେଳେ ବହିରୁ କିଛି ପାଇଥିଲେ ତଥ୍ୟ ଅସ୍ମିତା.ଆଉ ନାମରୁ ମାଆ ସରସ୍ବତୀଙ୍କ ଦାନ ଭାବୁ ଭାବୁ ଦେହରେ ଶୀହରଣ ଓ ହୃଦୟରେ ଆବେଗ ଭିତରେ ସରସ୍ବତୀ ପୂଜା ମଧ୍ୟ ଆସିଯାଇଥିଲା. ଅଭୁଲା କଥାଟି ଜୀବନର ଏକ ରୋମାଞ୍ଚ କହିଲେ ଅତ୍ୟୁକ୍ତି ହେବନାହିଁ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ