ତିଳ ଚି଼ହ୍ନ
ରାସ୍ତାର ୟୁ ଟର୍ଣରେ ଯାଇ ପହଞ୍ଚିଗଲୁ ଆମେ ତାଙ୍କ ଘରେ. ଆମେ ଥିଲୁ ସର୍ବମୋଟ ସାତ ଜଣ. ଘରଟି ଭିତରକୁ ପଶିଯାଇ ଆଶ୍ଚର୍ଯ୍ୟ ହେଲୁ. ଝିଅ ଦେଖିବାକୁ ଆସୁଥିବା ପରିବାର ପାଇଁ ସାଜାସଜ୍ଜା ଅପେକ୍ଷା ପୂଜା ପୂଜିକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା. ଘର ଦୁଆର ମୁଁହରେ ବାସ୍ତୁ ଅନୁଯାୟୀ ପୂର୍ଣ୍ଣକୁମ୍ଭ ରଖାଯାଇଥିଲା. ଘିଅ ବତୀ ଜଳୁଥିଲା. ଧୂପ ଦୀପ, ଚନ୍ଦନ କସ୍ତୁରୀ ମହକରେ ମନ ଭିତରେ ଭକ୍ତି ଭାବ ଆସୁଥିଲା. ଡ୍ରଇଂ ରୁମରେ ମାଆ ଦୁର୍ଗାଙ୍କ ପୂଜା ପାଇଁ ସମସ୍ତ ଆୟୋଜନ ଚାଲିଥିଲା. ଆସନ୍ତା କାଲିଠାରୁ ଷଷ୍ଠୀରୁ ପୂଜା ଆରମ୍ଭ ହେବାକୁ ଥିବାରୁ ସପରିବାର ଯେମିତି ଖୁବ ବ୍ୟସ୍ତ ଥିଲେ. ଆମ ଅପେକ୍ଷା ଘରଟି ଦେବୀ ପୂଜା ଅଭ୍ୟର୍ଥନା ପାଇଁ ଅଧିକ ଚଳଚଞ୍ଚଳ ମନେ ହେଉଥିଲା ବେଳେ, ଛୋଟ ଝିଅଟିଏ ଚନ୍ଦନ ସିନ୍ଦୁର ସମସ୍ତଙ୍କ କପାଳରେ ଲଗେଇ, ଅଗରୁ ଚନ୍ଦନ, ଅରୁଆଚାଉଳ, ଫୁଲ, ଦୁବର ମିଶ୍ରିତ ଉପକରଣ ସବୁକୁ ଆମ ମୁଣ୍ଡ ଉପରେ ପକାଇ ଆମକୁ ସ୍ୱାଗତ କରିଥିଲା. ଭିତରେ ଆମ ପାଇଁ ଗୋଟେ ଘରକୁ ଯିବା ରାସ୍ତାରେ, ଅତୀବ ସୁନ୍ଦର ଶୁଶ୍ରୀ ଝିଅଟିଏ ତଳକୁ ମୁହଁ ପୋତି ପୁରି ବେଲି ଚାଲିଥିଲା. ମାଆ ଚୁପି ଚୁପି କହୁଥିଲେ ଆମେ ଦେଖିବାକୁ ଆସିଥିବା ଝିଅ କଣ ଏହାଠାରୁ ସୁନ୍ଦରୀ, ଶୁଶ୍ରୀ ଓ ଗୃହନିପୁଣା ହେଇଥିବ କେବେ!ବାପା ଇସାରାରେ ଚୁପ ରହିବାକୁ କହିଥିଲେ କାରଣ ସ୍ୱାଗତ ସଂଗୀତ ବାଜିବା ପରେ ପରେ ଭଜନ ପରିବେଷଣ କରାଯାଇଥିଲା. ତତ୍ପରେ ଆମକୁ ଆସନରେ ବସାଇ ସାରି ଗୃହକର୍ତ୍ତା କୁଶଳ ସମାଚାର ସହିତ ଘରଟି ପାଇବାରେ କିଛି ଅସୁବିଧା ହୋଇନିତ ପଚାରିଥିଲେ ଆଉ କହିଥିଲେ ରାସ୍ତାର ସେହି ୟୁ ଟର୍ଣ ଜାଣିନପାରି ଅନେକ ଅତିଥି ଅଭ୍ୟାଗତ ଏମିତିକି ଅତି ପରିଚିତ ବନ୍ଧୁ ବାନ୍ଧବ ରାସ୍ତା ଭୁଲି ଯାଆନ୍ତି. ନାହିଁ ନାହିଁ ଆମେ ସେମିତି କିଛି ଅସୁବିଧାରେ ପଡିନୁ କହି ହସିଦେଇଥିଲୁ ପ୍ରତ୍ୟୁତ୍ତରରେ.
ଏଥର ଜଳଯୋଗର ବ୍ୟବସ୍ଥାରେ ମନ୍ଦିର ଭୋଜନ ଭଳି ଲାଗୁଥିଲା. ପାଖାପାଖି ତିରିଶ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନରେ ଆତ୍ମତୃପ୍ତି ମିଳିଗଲା ବେଳେ ପୁରି ଭିତରେ ଗୋରା ଗୋରା ହାତ ଦୁଇଟି ଚମକୁ ଥିଲା ଯେମିତି . ପୁରି ବେଲୁଥିବା ଝିଅଟିର ପରିଚୟ ଜାଣିବାକୁ ଚାହିଁ ବି ପଚାରିବାକୁ ଉଚିତ ମନେକରୁନଥିବା ବେଳେ ସେହି ଝିଅଟି ଆଉ କଣ ଦେବି କହି ବଡ଼ ଗୋଟେ ଟ୍ରେରେ ସବୁ ଖାଦ୍ୟରୁ କିଛି କିଛି ରଖି ପଚାରୁଥିଲା କଣ ଦେବି? କାହାର କିଛି ଦରକାର ନଥିଲେ ମଧ୍ୟ ଝିଅଟିର କଥାର ଯାଦୁରେ ସମସ୍ତେ କିଛି କିଛି ନେଇଥିଲେ. ଘରର ମୁରବୀ ଠିକ ସେହି ସମୟରେ କହୁଥିଲେ ମୋ ବଡ଼ ଝିଅ. ସମସ୍ତେ ମନ୍ତ୍ରମୁଗ୍ଧ ଭାବେ ଚାହିଁଥିଲେ ଝିଅଟିକୁ. ଟ୍ରେ ରଖିଦେଇ ପ୍ରତ୍ୟେକଙ୍କୁ ସମ୍ମାନ ସୂଚକ ପ୍ରଣାମ ଜଣେଇ ଚାଲିଥିଲା ଝିଅଟି. ବାପା ତାର କହି ଚାଲିଥିଲେ ମାଆ ନଥିବା ଦୁଇ ଝିଅଙ୍କୁ କେତେ ସଂସ୍କାରୀ କରିଛି ଜାଣେନା କିନ୍ତୁ ମାଆ ଦୁର୍ଗାଙ୍କ କରୁଣାରୁ ଝିଅ ଦୁହେଁ ଆଗେଇ ଚାଲିଛନ୍ତି ପାଠ ସହ ଶାଠ ଓ ଘର କରଣାରେ. ଆମର ଆଉ କିଛି ପଚାରିବାର ନଥିଲା. ବାହାଘର ସମ୍ମତି ଦେଇ ଆମେ ଫେରିଥିଲୁ ସ୍ବର୍ଗୀୟ ସୁଖ ନେଇ. ବାପା ପଚାରୁଥିଲେ, ତୋର କିଛି କହିବାର ଅଛି?? ଗାଡି ଚଳାଉ ଚଳାଉ ପୁଅ ସୁବ୍ରତ ହସି ଦେଉ ଦେଉ ଗାଡି ୟୁ ଟର୍ଣ ପରିବର୍ତ୍ତେ ରଙ୍ଗ ଟର୍ଣ ଧରିସାରିଥିଲା ତ ମୁଖ୍ୟ ରାସ୍ତାକୁ ଆସିବା ସହଜ ନଥିଲା. ଗାଡି ଘୁରୁ ଥିଲା ଏ ଗଳିରୁ ସେଗଳି. ମାଆ କହୁଥିଲା ସେଠି ବାହାଘର ହୋଇପାରିବ ନାହିଁ. ତା କଥା ଶୁଣି ସମସ୍ତେ ଚମକି ପଡିଥିଲା ବେଳେ, କାରରେ ଲାଗିଥିବା ରୋଡ଼ ମ୍ୟାପ ଦେଖି ସୁବ୍ରତ ମୁଖ୍ୟ ରାସ୍ତାକୁ ଗାଡି ଆଣିସାରିଥିଲା ତ ପଚାରିଥିଲା କାହିଁକି ମାଆ?? ମାଆ କହିଥିଲେ ଅମଙ୍ଗୁଳି ଝିଅଟା. ଘରେ ପଶୁ ପଶୁ ଚାଳ ବାଜିଲାଣି ପୁଣି ଆଗକୁ କଣ ହେଉଛି କିଏ କହିବ. ବାପାଙ୍କ ସଙ୍ଗେ ଆସିଥିବା ସମସ୍ତ ପରିବାର ସ୍ତବ୍ଧ ବିବ୍ରତ, ଏଇ ଟିକିଏ ଆଗରୁ ମାଆ କହୁଥିଲା କି ସୁନ୍ଦର,ସଂଠଣା, ସଂସ୍କୃତିସମ୍ପର୍ଣ୍ଣ ଝିଅଟି. ପୁଣି ଗାନ୍ଧିଜୀଙ୍କ ନୀତି ଅନୁସରଣ କରି କୁଟି ଖାଅ କାଟି ପିନ୍ଧିବା ନୀତିର ବିଶ୍ୱାସୀ ଝିଅ ନିଶ୍ଚୟ ଭଲ ବୋହୁ ହୋଇପାରିବ. ତ ଏବେ କଣ ହେଲା ଯେ ମାଆ କଥା ବଦଳିଗଲା. ମାଆ ତଥାପି କହୁଥିଲେ ନା ବାହାଘର ହୋଇପାରିବ ନାହିଁ. ସମସ୍ତେ ଚିନ୍ତିତ ଦେଖାଯାଉଥିଲେ. ଚାଲି ନଜାଣି ରାସ୍ତାର ଦୋଷ ଦେଲାଭଳି କଥା କହିଲେ କେମିତି ହେବ, ସୁରମା !ଆମ ସମସ୍ତଙ୍କ ମନକୁ ପାଇଛି. ତୁମେ ମଧ୍ୟ ରାଜି ଥିଲ, ଏବେ ଏଇ ୟୁ ଟର୍ଣ ରାସ୍ତା ଯୋଗୁଁ ପ୍ରସ୍ତାବ ଭାଙ୍ଗିଦେବା କଣ ଉଚିତ. ରାସ୍ତା ନୁହେଁ ଝିଅ ମୁଁହରେ ଥିବା ତିଳ ଚି଼ହ୍ନ ପାଇଁ ଏ ବାହାଘରରେ ମୁଁ ଏକମତ ନୁହେଁ. ଗାଡି ଲାଗିସାରିଥିଲା ଘରେ. ମାଆ ଆଗେ ଆଗେ ଭିତରକୁ ଯିବା ପରେ, ମାଆକୁ ବୁଝେଇବା ଦାଇତ୍ୱ ମୋର କହି ବାପା ଆଶ୍ୱାସନା ଦେଉଥିଲେ ସମସ୍ତଙ୍କୁ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ