ଥକା ହରଣ
ଚକାନୟନକୁ ଚାହିଁ ଚାହିଁ
ଥକା ମେଣ୍ଟାଇବା ଆସ ଯାଇ,
ପଞ୍ଚ କୋଷ ବାଟ
ଚାଲି ଚାଲି ଯିବି,
ଶ୍ରୀକ୍ଷେତ୍ରକୁ ବାଟ ଦିଅ କହି।
ବାଟ ଘାଟ ମୋତେ ଜଣା ନାହିଁ
ନକହିଲେ ବାଟବଣା ନୋହି,
ନୀଳଚକ୍ର ନେତ
ପତିତପାବନ,
ବାଟ ବତାଇବ ମୋତେ ସେହି ।
ଯେତେ ଦୂରେ ଥିଲେ ଦିଶୁଥାଇ
ଫରଫର ଉଡି ଡାକେ ସେହି,
ପତିତ ଉଧାରି
ସୁଖ ଦିଏ ଭରି,
ପତିତପାବନ ନାମ ବହି ।
ଦେଖ ଦିଶିଲାଣି ବଡଦାଣ୍ଡ
ଶ୍ରୀମନ୍ଦିର ଅଳପ ପାହୁଣ୍ଡ,
ସିଂହଦ୍ବାରେ ରହି
ଉର୍ଦ୍ଧ ବାହୁତୋଳ,
ପଣ୍ଡା ଭିଡିନେବେ ରୁଣ୍ଡ ହୋଇ ।
ଅରୁଣସ୍ତମ୍ଭକୁ ନମସ୍କାର
ପତିତପାବନକୁ ଜୁହାର,
ଜମଶିଳା ପରେ
ନୀଳଚକ୍ରେ ଚାହିଁ,
ବାଇଶି ପହାଚ ଚଢ ତହିଁ ।
ବାବା ଜମେଶ୍ଵର, ଅଗ୍ନିଶ୍ଵର
ସତ୍ଯନାରାୟଣଙ୍କୁ ଜୁହାର,
କଳ୍ପବଟ ମୂଳେ
ବାଳମୁକୁନ୍ଦୁଙ୍କୁ,
ବଟ ଗଣେଶଙ୍କୁ ନମଃ ତୁହି ।
ତହିଁ ପରେ ଆଗେ ଯିବୁ ମାଡି
ବଟବୃକ୍ଷେ କାମନାକୁ ଛାଡି,
ମୁକ୍ତି ମଣ୍ଡପରେ
ରୋହିଣୀକୁଣ୍ଡରେ,
ମଥାକୁ ଲଗାଇ ଦେବୁ ତୁହି ।
ତହିଁ ଆଗେ ବିମଳା ଦର୍ଶନ
ବୀର କାନପତା ହନୁମାନ,
ନୃସିଂହ ନମନ
ମାଅ ସରସ୍ଵତୀ,
ବେଢାକାଳୀ, ଲକ୍ଷ୍ମୀ ପୂଜ ତହିଁ ।
ନବଗ୍ରହ ଦେଖି ବଳିଦ୍ବାରେ
ନୀଳଚକ୍ର ଚାହିଁ ଦିଅ ବାରେ,
ତହିଁପରେ ଧାଇଁ
ଗରୁଡ ପଛରେ,
ଚକାନୟନକୁ ଦିଅ ଚାହିଁ ।
ଏହି ଭାବେ କର ଦରଶନ
କାମନା ବାସନା ହେବ ଶୂନ୍ଯ,
ମୋ ଚକାନୟନ
ଆରତ ନାଶନ,
ଥକା ଦକା ଧକା ଦେବ ସେହି ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ