ଦଳିତମାନଙ୍କର ସାମ୍ବିଧାନିକ ସଂରକ୍ଷଣ ସୁରକ୍ଷା ଦାବିରେ ସମ୍ମିଳନୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତ ସରକାରଙ୍କ ୧୯୩୫ ମସିହା ଆଇନ୍ ଅନୁସାରେ ୧୯୩୬ ମସିହାରେ ପ୍ରକାଶିତ ତଫସିଲ୍ଭୁକ୍ତ ଜାତି ତାଲିକା ଯାହାକି ୧୯୫୦ ମସିହାରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ବିଜ୍ଞପିତ, ତଫସିଲଭୁକ୍ତ ଜାତି ତାଲିକାରେ କେଉଟ, କୈବର୍ତ୍ତ୍ୟ, ଧୀବର, ରାଢି, ନିଆରି, ଘଣି, ଗିରିଗିରିଆ, ନୋଳିଆ ସବର୍ଣ୍ଣ ସମ୍ପ୍ରଦାୟର ନାମ ଉଲ୍ଲେଖ ନଥିଲେ ମଧ୍ୟ ସେମାନେ ଜାଲିଆତି କରି ସଫସିଲଭୁକ୍ତ ଜାତି ସାର୍ଟିଫିକେଟ ହାସଲ କରି ଶିକ୍ଷା, ନିଯୁକ୍ତି, ନିର୍ବାଚନ ଆଦିରେ ସଂରକ୍ଷଣର ସୁବିଧା ସୁଯୋଗ ହାସଲ କରିଚାଲିଥିଲେ । ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ୧୯୭୮ ମସିହାରେ ନାରାୟଣ ବେହେରା ବନାମ ଓଡ଼ିଶା ସରକାରଙ୍କ ଓଜେସି ନମ୍ବର ୨୪୭/୧୯୭୮ ଆଦେଶ ବଳରେ କେଉଟ, କୈବର୍ତ୍ତ୍ୟ, ଧୀବରମାନଙ୍କୁ ନ୍ୟାୟାଳୟଙ୍କ କ୍ଷମତା ନଥିବା ସତ୍ତ୍ୱେ ତଫସିଲଭୁକ୍ତ ଜାତି ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ସରକାର ସର୍କୁଲାର ଜାରି କଲେ ଯାହା ସମ୍ପୂର୍ଣ୍ଣ ବେଆଇନ ଅଟେ । ଯାହା ବିରୁଦ୍ଧରେ ଓଡ଼ିଶାର ୯୦ ଲକ୍ଷ ଅସଲି ଦଳିତ ସମାଜ ପ୍ରତିବାଦ କରି ଆସୁଅଛି ।ମାନ୍ୟବର ସୁପ୍ରିମ କୋର୍ଟଙ୍କ କୁମାରୀ ମାଧୁରୀ ପାଟିଲ, ନିତ୍ୟାନନ୍ଦ ଶର୍ମା, ମିଲିନ୍ଦ ମକଦ୍ଦମାର ଆଦେଶ ଏବଂ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ କୃପାସିନ୍ଧୁ ସାହୁ ମକଦ୍ଦମାର ରାୟ ଅନୁସାରେ ନାରାୟଣ ବେହେରା ଆଦେଶ ୧୯୯୬ ଏବଂ ୧୯୯୮ରୁ ସମ୍ପୂର୍ଣ୍ଣ ଭାବେ ରଦ୍ଦ ହୋଇଯାଇଥିଲେ ମଧ୍ୟ ଉକ୍ତ ଆଦେଶକୁ ଜାଲିଆତି କରି ଏବଂ ଲୁଚାଇ ମହାମହିମ ରାଷ୍ଟ୍ରପତି ଏବଂ ପାର୍ଲାମେଣ୍ଟକୁ ଅନ୍ଧକାରରେ ରଖି ୧୮.୧୨.୨୦୦୨ରେ କେନ୍ଦ୍ର ସରକାର କରିଥିବା ତଫସିଲଭୁକ୍ତ ଜାତି ଆଦେଶ ୨୦୦୨ରେ ପ୍ରଣୟନ କରାଯାଇଥିବା ସମ୍ବିଧାନ ସଂଶୋଧନ ଆଇନ୍ ସୁପ୍ରିମକୋର୍ଟଙ୍କ ଆଦେଶ ଦୃଷ୍ଟିରୁ ସମ୍ପୂର୍ଣ୍ଣ ବେଆଇନ ଏବଂ ଚଞ୍ଚକତାପୂର୍ଣ୍ଣ । ତେଣୁ ଏହି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ସଭାଗୃହରେ ଅନୁଷ୍ଠିତ ଏକ ସମ୍ମିଳନୀରେ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି, ଓଡ଼ିଶା ତରଫରୁ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମନ୍ତ୍ରୀ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ସଚିବ, ନିର୍ବାଚନ କମିଶନର, ମହାମହିମ ରାଜ୍ୟପାଳ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରେ ସେମାନଙ୍କୁ ବହିଷ୍କାର କରିବାକୁ ପୁନଃ ଦାବି ଉପସ୍ଥାପନ କରାଯାଉଅଛି । ୨୦୦୨ ମସିହା ପୂର୍ବରୁ ବେଆଇନ ଭାବେ ସାର୍ଟିଫିକେଟ ହାସଲ କରି ମନ୍ତ୍ରୀ, ସାଂସଦ, ବିଧାୟକ ହୋଇ ଅନୁସୂଚିତ ଜାତି ସୁବିଧା ହାସଲ କରିଥିବା ଏବଂ ବର୍ତ୍ତମାନ ୨୦୦୨ ବେଆଇନ ସଂଶୋଧନ ଅନୁସାରେ ସଂରକ୍ଷଣ ଭୋଗ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୀର୍ଘ ୭ ବର୍ଷ ଧରି ଆରଡିସିମାନଙ୍କ ବିଚାରାଳୟରେ ଅଭିଯୋଗ ଆଗତ କରାଯାଇଥିଲେ ମଧ୍ୟ ଏହା ଉପରେ ଅଦ୍ୟାବଧି କୌଣସି ଫଇସଲା ହୋଇପାରୁ ନାହିଁ କିମ୍ବା ସୁପ୍ରିମ କୋର୍ଟ, ମାଧୁରୀ ପଟେଲଙ୍କ କେସ୍ର ଆଦେଶ ଅନୁସାରେ ଏହି ଧରଣର ଅପରାଧ ପାଇଁ ଜେଲ୍, ଜୋରିମାନା ଓ ସମ୍ପତ୍ତିର ବାଜ୍ୟାପ୍ତିର ପ୍ରାବଧାନ ଥିବାବେଳେ ଏହା ସୁପ୍ରିମ କୋର୍ଟଙ୍କ ରାୟର ବିରୁଦ୍ଧାଚରଣ କରୁଅଛି । ଏଣୁ ତୁରନ୍ତ ନ୍ୟାୟ ବିଚାର ପାଇଁ ସମିତି ତରଫରୁ ଦାବି ଉପସ୍ଥାପନ କରାଯାଇଛି ।