ଦାଦନ ଖଟିବାକୁ ଯାଇ ମୃତ ଶ୍ରମିକଙ୍କ ଶବ ଘରକୁ ଆସିପାରୁନାହିଁ

ବାରିପଦା, (ମୁରାରୀ ମୋହନ ମହାପାତ୍ର):ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ନିଜ ଜିଲ୍ଲା ମୟୁରଭଞ୍ଜରେ ଦାଦନ ଯନ୍ତ୍ରଣା ଥମିବାରେ ନାଁ ନେଉନି। ଦାଦନ ଖଟିବାକୁ ଯାଇଥିବା ବ୍ୟକ୍ତିଙ୍କ ୩ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଶବ ଘରକୁ ଆସି ପାରୁନାହିଁ। ଯାହାକୁ ନେଇ ସ୍ଥାନୀୟ ବିଧାୟକ, ଅଧିକାରୀଙ୍କୁ ଜଣାଇ ନିରାଶ ହୋଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ, ବଡ଼ସାହି ବ୍ଲକ ଅନ୍ତର୍ଗତ ଛେଳିଆ(ଏ) ଗ୍ରାମର ରବୀନ୍ଦ୍ର ସିଂ ଗ୍ରାମର ଅନ୍ୟ ଲୋକଙ୍କ ସମେତ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ। ତାମିଲନାଡୁର କାମଚିପୁରମ ଜିଲ୍ଲାର ସିକଳାପାକମ ଅଞ୍ଚଳର ମିତା ଏଜେନ୍ସିରେ ସେ କାର୍ଯ୍ୟ କରୁଥିଲେ। ଗତ ନଭେମ୍ବର ୯ତାରିଖରେ ତାଙ୍କର କୋଣସି କାରଣ ପାଇଁ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କୁ ଖବର ମିଳିଥିଲା। ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯାଇ ମୃତଦେହ ରଖାଯାଇଥିବା ବେଳେ ସେଠାକୁ ଯାଇ ମୃତଦେହ ଆଣିବାକୁ କୁହାଯାଇଥିଲା। ଗରିବ ଶ୍ରେଣୀର ପରିବାର ହୋଇଥିବା ବେଳେ ତାମିଲନାଡୁ ଯାଇ ମୃତଦେହ ଆଣିବାକୁ ସେ ଅସମର୍ଥ ଅଟନ୍ତି। ଏନେଇ ସେ ବଡ଼ସାହି ବିଧାୟକ ସନାତନ ବିଜୁଳି ସମେତ ସ୍ଥାନୀୟ ଅଧିକାରୀଙ୍କୁ ଜଣାଇଥିଲେ। କିନ୍ତୁ ସମସ୍ତେ ମୃତଦେହ ଆସିବାର ବ୍ୟବସ୍ଥା କରାଯାଉଛି ବୋଲି କେବଳ ମିଛ ପ୍ରତିଶ୍ରୁତି ଦେଇଥିଲେ। ୩ଦିନରୁ ଉର୍ଦ୍ଧ୍ବ ବିତିଗଲା ପରେ ମଧ୍ୟ କୋଣସି ବ୍ୟବସ୍ଥା ନହେବାରୁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ମଙ୍ଗଳବାର ବାରିପଦା ଠାରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ଅଭିଯୋଗ ଜଣାଇଥିଲେ। ମୃତଦେହ ଘରକୁ ଆଣିବାର ବ୍ୟବସ୍ଥା କରିବା ପାଇଁ ପରିବାର ଲୋକେ ଗୁହାରି କରିଛନ୍ତି। ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଆର୍ଥିକ ସ୍ବଚ୍ଛଳତା ଅଭାବରୁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ତେବେ ଶ୍ରମ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆଙ୍କ ଜିଲ୍ଲାରେ ବାରମ୍ବାର ଏହିପରି ଘଟଣା ଘଟୁଛି। କିଛି ଦିନ ପୂର୍ବରୁ ଏହିପରି ଘଟଣା ଘଟିଥିବା ବେଳେ ପୁଣି ଆଉ ଗୋଟେ ଘଟଣା ନଜରକୁ ଆସିଛି। ରାଜ୍ୟ ସରକାର ଶ୍ରମିକ ମାନଙ୍କୁ ନିମ୍ନତମ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ବୋଲି ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା କିନ୍ତୁ ଶ୍ରମ ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ବିଫଳ ହୋଇଛି। ଜଣେ ଶ୍ରମିକ ମୃତଦେହ ଉଦ୍ଧାର କରିବା ପାଇଁ କୋଣସି ସୁଫଳ ମିଳିନଥିବା ବେଳେ କେବଳ ମିଛ ପ୍ରତିଶ୍ରୁତି ହିଁ ମିଳୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ