ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ନ୍ୟାୟ ପାଇ ପଲ୍ଲୀମଙ୍ଗଲ କମିଟିର ଆଲୋଚନା
ମାଲକାନଗିରି,(ମନୋଜ କୁମାର ସାହା) : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ଏମ୍ଭି-୭୨ ନୋଡାଲ ପ୍ରାଥମିକ ବିଦ୍ୟାଳୟର ଦୁଇ ଛାତ୍ରୀଙ୍କ ଝୁଲନ୍ତା ଶବ ଜଙ୍ଗଲରୁ ଉଦ୍ଧାର ହେବା ଘଟଣାକୁ ଇତି ମଧ୍ୟରେ ଦୁଇସପ୍ତାହରୁ ଅଧିକ ସମୟ ବିତିଲାଣୀ। କିନ୍ତୁ ଏହି ଚର୍ଚ୍ଚିତ ସମ୍ବେଦନଶୀଳ ଘଟଣାକୁ ଆତ୍ମହତ୍ୟାର ରୃପ ଦିଆଯାଇଥିବା ବେଳେ ପରିବାରଲୋକ ସମେତ ବିଭିନ୍ନ ସଙ୍ଗଠନ ପୁଲିସ୍ ର ଭୂମିକାକୁ ନେଇ ସଂଦେହ ପ୍ରକାଶ କରିଛନ୍ତି। ଦୁଇ ଛାତ୍ରୀଙ୍କ ଝୁଲନ୍ତା ଶବ ଜଙ୍ଗଲରୁ ଉଦ୍ଧାର ହେବା ଘଟଣା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାରଲୋକ ସମେତ ବିଭିନ୍ନ ସଙ୍ଗଠନ ଓ ସ୍ଥାନୀୟ ଲୋକ ଦାବି କରି ଆସୁଥି ବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ସମସ୍ତଙ୍କୁ ଚକିତ କରିଛି। ଡାକ୍ତରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ ରିପୋର୍ଟ କୁ ଭିତ୍ତି କରି ଶ୍ୱାସରୁଦ୍ଧ ଯୋଗୁ ଉଭୟ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପୁଲିସ୍ କହୁଥିବା ବେଳେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର ଲୋକ। ବ୍ୟବଚ୍ଛେଦ ରିପୋର୍ଟ ରେ କିଛି ହେରଫେର କରାଯାଇ ସତ ଲୁଚାଇବାକୁ ଚେଷ୍ଟା କରାଯାଇଥିବା ସେମାନେ ସଂଦେହ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଉଚିତ୍ ନ୍ୟାୟ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ତେବେ ଏହାକୁ ନେଇ ଗତ ୨୭ ତାରିଖ ଦିନ ଏମ୍ଭି-୭୨ ଏବଂ ଏମ୍ଭି-୧୨୬ ପଲ୍ଲିମଙ୍ଗଲ କମିଟି ତରଫରୁ ଏମ୍ଭି-୧୨୬ ଗ୍ରାମରେ ଏକ ବିଶେଷ ଆଲୋଚନା ସଭା ଡକାଯାଇଥିବା ଜଣାପଡ଼ିଛି। ଏହି ସଭାରେ ଦୁଇ ଛାତ୍ରୀଙ୍କୁ କିଭଳି ଭାବେ ନ୍ୟାୟ ପ୍ରଦାନ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।