ଦେଖିବାକୁ ମିଳୁନାହାନ୍ତି ଲାଲ ଟୁକୁ ଟୁକୁ ସାଧବ ବୋହୁ
ନିମାପଡ଼ା,(ସନ୍ତୋଷ ଦାଶ):ବର୍ଷାର ପ୍ରଥମ ଅସରା ଯେତେବେଳେ ଧରାପୃଷ୍ଠକୁ ସ୍ପର୍ଶ କରେ ସେତେ ବେଳେ ସ୍ଵତଃପୁତଃ ଭାବେ ପ୍ରାକୃତିକ ଭାବେ ସୃଷ୍ଟି ହୁଅନ୍ତି ଲାଲ ଟୁକୁ ଟୁକୁ ସାଧବ ବୋହୁ। ନିଜର ସୁନ୍ଦର ରୂପରେ ସମସ୍ତଙ୍କ ମନ ମୋହି ନେଇ ଥାନ୍ତି ସାଧବ ବୋହୂ । ଦିନ ଥିଲା ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଋତୁ ରେ ସାଧବ ବୋହୁ ବହୁଳ ଭାବରେ ଦେଖା ଯାଉଥିଲେ। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବତୀ, କିଶୋରୀ ମାନେ ଏହି ସାଧବ ବୋହୁ ମାନଙ୍କୁ ହାତରେ ଧରି ଆଣି ସେମାନଙ୍କ ସହିତ ଖେଳିଥାଆନ୍ତି।କିନ୍ତୁ ଏବେ ଏହି ସାଧବ ବୋହୁ ମାନଙ୍କୁ ପ୍ରାୟତଃ ଆଉ ଦେଖିବାକୁ ମିଳୁନି। ବିଭିନ୍ନ ଜୀବଜନ୍ତୁ ମାନଙ୍କୁ ନେଇ ସୃଷ୍ଟି ହୋଇଛି ସୁନ୍ଦର ଜୀବଜଗତ। ନାନା ରଙ୍ଗବେରଙ୍ଗର ଫୁଲ, ଛୋଟ ବଡ ଫଳ, ଗଛଲତା, ନଦ ନଦୀ ଓ ବିଶାଳ ସମୁଦ୍ର ପରି ପ୍ରକୃତିର ଏକ ସୃଷ୍ଟି ହେଉଛି ଲାଲ ଟୁକୁଟୁକୁ ସାଧବବୋହୂ । ବର୍ଷା ଋତୁରେ ନିଜ ଲାଲ ମଖ ମଲି ରୂପରେ ସମସ୍ତଙ୍କ ମନ ମୋହି ନିଅନ୍ତି ସାଧବ ବୋହୂ । ନାଲି ରଙ୍ଗ ଆବରଣରେ ସବୁଜ ଧରଣୀକୁ ଅଧିକ ଆକର୍ଷଣୀୟ କରନ୍ତି ଏମାନେ l ସାଧବବୋହୂକୁ ସୁଖ ଓ ସମୃଦ୍ଧିର ବାର୍ତ୍ତାବହ ବୋଲି ବିଶ୍ବାସ କରନ୍ତି ଚାଷୀକୂଳ। ମୌସୁମୀର ଆଗମନରେ ବର୍ଷାର ଧାରା ମାଟିକୁ ସ୍ପର୍ଶ କରିବା ପରେ ଧରଣୀ ରାଣୀର କୋଳରୁ ଆପେ ଆପେ ସୃଷ୍ଟି ହୋଇଥାନ୍ତି ଏହି ସାଧବବୋହୂ । ବର୍ଷା ଭିଜା ନରମ ମାଟିର ବାସନା ପାଇ ନାଲିରଙ୍ଗର ପସରା ଧରି ପଦାକୁ ଆସିଥାଏ ସାଧବବୋହୂ । ଏହି ସାଧବବୋହୁର ସୌନ୍ଦର୍ଯ୍ୟ ଦେଖିଲେ ଲାଗେ ସତେ ଯେମିତି ପ୍ରକୃତି ତାର ସମସ୍ତ ରଙ୍ଗକୁ ଢାଳି ଦେଇଛି ଏହି ସାଧବବୋହୂ ଉପରେ।ସାଧବ ଘରର ବୋହୁ ନାଲି ପାଟ ଶାଢ଼ୀ ପିନ୍ଧିବା ପରେ ଯେମିତି ସୁନ୍ଦର ଦେଖାଯାଆନ୍ତି ସେମିତି ଅବିକଳ ସୁନ୍ଦର ଏହି ପୋକ ଦେଖା ଯାଉଥିବାରୁ ଏମାନଙ୍କୁ ମଧ୍ୟ ସାଧବ ବୋହୁ ବୋଲି କୁହାଯାଏ ବୋଲି କହିଛନ୍ତି ଗବେଷକ ହାଡ଼ିବନ୍ଧୁ ବିଶ୍ଵାଳ।ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାଁରେ ଜଣାଶୁଣା ଏହି କୁନି କୀଟଟି । କେଉଁଠି ବୀର ବାହୁତି, କେଉଁଠି ରାନୀ କିଡା, ସ୍କାଲେଟ ଫ୍ଲାଏ ତ ଆଉ କେଉଁଠି ରେନ ବଗ ବୋଲି କୁହାଯାଏ । ଏହା ପୃଥିବୀର ବରଫାବୃତ ଅଞ୍ଚଳକୁ ଛାଡି ଦେଲେ କାନାଡା ଠାରୁ ଆଫ୍ରିକା ଦେଶ ପର୍ଯ୍ୟନ୍ତ ସବୁ ସ୍ଥାନରେ ଦେଖିବାକୁ ମିଳନ୍ତି । ଏମାନେ ଅତି ବେଶିରେ ଦୁଇ ସେଣ୍ଟିମିଟର ପର୍ଯ୍ୟନ୍ତ ବଢିଥାନ୍ତି । ଏମାନଙ୍କର ଜୀବନଶୈଳୀ ମଧ୍ୟ ନିଆରା । ଏମାନେ ମାଟିରୁ ଜନ୍ମ ନେଇଥାନ୍ତି ଏବଂ ସେହି ମାଟିରେ ଲୀନ ହୋଇଥାନ୍ତି ।କିନ୍ତୁ ବର୍ତ୍ତମାନ ସମୟରେ ଏହି ସାଧବ ବୋହୁ ପ୍ରାୟତଃ ଆଉ ଦେଖାଯାଉନାହାନ୍ତି । ଆଜିର ଆଧୁନିକ ଯୁଗରେ ମାତ୍ରାଧିକ ପରିମାଣର କୀଟନାଶକ ଓ ରାସାୟନିକ ସାରର ପ୍ରୟୋଗ, କଳ କାରଖାନାରୁ ନିର୍ଗତ ବିଭିନ୍ନ ରାସାୟନିକ ବର୍ଜ୍ୟବସ୍ତୁ, ଅସ୍ବାଭାବିକ ପରିବେଶ ପ୍ରଦୂଷଣ, ଅସନ୍ତୁଳିତ ପାଣିପାଗ ଯୋଗୁଁ ଏହି ସାଧବ ବୋହୂ ଲୋପ ପାଇବାକୁ ବସିଲାଣି ବୋଲି ଶ୍ରୀ ବିଶ୍ଵାଳ କହିଛନ୍ତି। ସମସ୍ତେ ସଚେତନ ନ ହେଲେ ଦିନ ଆସିବ ପ୍ରକୃତିର ଅନନ୍ୟ ଆକର୍ଷଣ ଏହି ଲାଲ ଟୁକୁ ଟୁକୁ ସାଧବ ବୋହୁଙ୍କୁ କେବଳ ଆଗାମୀ ପିଢ଼ି ବହିରେ ଦେଖିବାକୁ ପାଇବେ ଏଥିରେ ସନ୍ଦେହ ନାହିଁ।