ଦୟା ନିର୍ଦୟ
ଦୟାର ଦୟାରେ
ଚାଷୀ ହସୁଥିଲା
ମୀନ ଧାନ ଚାଷ କରି,
ଦୟା କୂଳେ ଥିଲା
ସ୍ବଚ୍ଛ ପରିବେଶ
ପାଣି କାଚକେନ୍ଦୁ ପରି ।
ଦିନେ ଦୟାନଦୀ
ରକ୍ତନଦୀ ହେଲା
କଳିଙ୍ଗ ଯୋଦ୍ଧାଙ୍କ ରକ୍ତେ,
ଧଉଳି ପାହାଡ
ମୁକସାକ୍ଷୀ ହୋଇ
ଲେଖିଛି ପ୍ରସ୍ତର ଗାତ୍ରେ ।
ମହାପରାକ୍ରମୀ
ସମ୍ରାଟ ଅଶୋକ
ଚଣ୍ଡାଶୋକ ସାଜିଥିଲେ,
ବୀର ରକ୍ତ ଦେଖି
ହୃଦୟ ତରଳି
ଧର୍ମାଶୋକ ବନିଗଲେ ।
ଶରଣ ପଶିଲେ
ବୁଦ୍ଧଙ୍କ ଚରଣେ
ବୌଦ୍ଧଭିକ୍ଷୁ ଗଲେ ହୋଇ,
ଜୀବେ ଦୟାଭାବ
ଅନ୍ତରୁ ଝରିଲା
ବିଶ୍ବର କଲ୍ୟାଣ ପାଇଁ ।
ସେହି ଇତିହାସ
ଜଳଜଳ ଦିଶେ
ଦୟାର ଜଳରାଶିରେ,
ଦୟା ଜଳ ଆଜି
ଜହର ସାଜିଛି
ଜୀବନ ହାରନ୍ତି ନରେ ।
ମହାନଦୀ ଗର୍ଭୁ
କାଠଯୋଡ଼ି ଜନ୍ମ
କ୍ରମେ କୁଆଖାଇ ଦୟା
ଗଙ୍ଗୁଆ ନାଳର
ବିଷ ଜଳ ମିଶି
ଜହର ଦୟାର କାୟା ।
ଦୟା ଜଳ କୂଳ
ଜୀବନ ଜୀବିକା
ସବୁ କରିଲାଣି ଧ୍ବଂସ,
ଭୁବନେଶ୍ବରର
ବିଷ ଜଳ ହରେ
ଦୟା କୂଳବାସୀ ହସ ।
ଏ ବିଷ ନୁହଁଇ
ଚିରକାଳ ସ୍ଥାୟୀ
ଜଳ ବିଶୋଧନ କଲେ,
ସ୍ବଚ୍ଛ ନିରିମଳ
ଜଳ ଦୟାକୂଳ
ହସ ଫେରାଇବ ଭଲେ ।
ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ