ନାଉଗାଁ ବ୍ଳକରେ ବିଭିନ୍ନ ସ୍ଥାନରେ ବାହୁଡା ଯାତ୍ରା ଅନୁଷ୍ଠିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଳକର ବିଭିନ୍ନ ଜଗନ୍ନାଥ ମନ୍ଦିର ଯଥା ଧର୍ମକ୍ଷେତ୍ର ଅଲଣା, ତିହୁଡା ବାଲିସାହିସ୍ଥିତ ଶ୍ରୀ ଶ୍ରୀ ପତିତପାବନ ଜୀଉ ମନ୍ଦିର, ଚାନ୍ଦଖାଁପାଟଣାସ୍ଥିତ ବଳଦେବଜୀଉ ମନ୍ଦିର ଆଦିରେ ଶନିବାର ପବିତ୍ର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଜିୟୁମାନଙ୍କୁ ଯଥାରୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ମାଉସୀ ମା ମନ୍ଦିରରେ ୯ଦିନ ରହିବା ପରେ ଜଗନ୍ନାଥ, ବଳଭଦ୍ର , ସୁଭଦ୍ରା ବାହୁଡା ଅବସରରେ ନିଜ ମନ୍ଦିରକୁ ବାହୁଡିଛନ୍ତି । ଏହି ଅବସରରେ ତେଲସରାସ୍ଥିତ ମାଉସୀ ମା ମନ୍ଦିରରେ ରୀତିନୀତି ଅନୁଯାୟୀ ରଥ ଟଣା କାର୍ଯ୍ୟ ହୋଇଥିଲା । ମାଉସୀ ମା ମନ୍ଦିର ସମ୍ମୁଖରେ ୩ରଥ ସୁସଜ୍ଜିତ ହୋଇ ରହିଥିଲେ । ନିର୍ଘଂଟ ନିତି ଅନୁଯାୟୀ ଶ୍ରୀ ଜୀୟୁଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ଶଙ୍ଖ , ହୁଳହୁଳି, ନାମ ସଂକୀର୍ତନରେ ପ୍ରଥମେ ବଡ ଭାଇ ବଳଭଦ୍ରଙ୍କୁ ତାଳଧ୍ୱଜ, ମା’ସୁଭଦ୍ରାଙ୍କୁ ଦର୍ପଦଳନ ଓ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥକୁ ପହଣ୍ଡି କରି ଶ୍ରଦ୍ଧାଳୁ ମାନେ ରଥାରୁଢ କରିଥିଲେ । ଠାକୁର ରାଜା ଭାବେ ଜ୍ଞାନରଂଜନ ବିଶ୍ୱାଳ ୩ ରଥରେ ଛେରା ପହଁରା କରିଥିଲେ । ପୂଜାର୍ଚ୍ଚନା ଓ ଛେରା ପହଁରା କାର୍ଯ୍ୟ ସରିବା ପରେ ଶ୍ରଦ୍ଧାଳୁମାନେ ରଥକୁ ଗାରୋଇସ୍ଥିତ ଗୋବର୍ଦ୍ଧନ ପୀଠ ଅଭିମୁଖେ ଟାଣି ନେଇଥିଲେ । ରଥରେ ଶ୍ରଦ୍ଧାଳୁମାନେ ତିନି ଠାକୁରଙ୍କୁ ଦର୍ଶନ କରିଥିଲେ । ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହିତ ଶେଷ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଥିଲା । ଜୟ ଜଗନ୍ନାଥ ଧ୍ୱନୀରେ ଚାରିଆଡ ପ୍ରକମ୍ପିତ ହେଉଥିଲା । ଏହି ବାହୁଡା ଯାତ୍ରା ଦେଖିବା ପାଇଁ ବ୍ଳକ ତଥା ବ୍ଳକ ବାହାରୁ ବହୁ ଶ୍ରଦ୍ଧାଳୁ ଏଠାରେ ସମାଗମ ହୋଇଥିଲେ । ଗ୍ରାମବାସୀ ଓ ଜଗନ୍ନାଥ ସଂସଦର କର୍ମକର୍ତାମାନେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସେହିପରି ଗଜରାଜପୁର, ବେଲବଣ,ଗୋଠଦା,ବୋଦଳ ଆଦି ସ୍ଥାନରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।