ନାଉଗାଁ ବ୍ଳକର ତେଂଟୋଇରେ ଧନୁଯାତ୍ରା ମହୋତ୍ସବ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ପଂଚାୟତସ୍ଥିତ ତେଂଟୋଇ ଠାରେ ମା’ବାରଦେଇ ଧନୁଯାତ୍ରା କମିଟି ପକ୍ଷରୁ ତୃତୀୟ ବାର୍ଷିକ ଧନୁଯାତ୍ରା ମହୋତ୍ସବ ମଙ୍ଗଳବାର ସଂଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ଉକ୍ତ ଯାତ୍ରାକୁ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଉପେନ୍ଦ୍ରନାଥ ବିଶ୍ୱାଳ, ପଂଚାୟତର ସରପଂଚ ଲକ୍ଷ୍ମୀଧର ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ବ୍ଳକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କା ଆଦି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ୫ ଦିନ ବ୍ୟାପୀ ଚାଲୁ ରହିବ । ପ୍ରଥମ ଦିନରେ ଉଗ୍ରେସନର ନଗର ଭ୍ରମଣ କରିବା ସହ ଦେବକୀ, ବାସୁଦେବର ବିବାହ ଆଦିର ଆୟୋଜନ କରାଯାଇଥିଲା । ପର୍ଯ୍ୟାୟକ୍ରମେ କୃଷ୍ଣଙ୍କର ସମସ୍ତ ଲୀଳା ଉକ୍ତ ମଂଚରେ ପରିବେଷଣ କରାଯିବ ।ଏହି ଧନୁଯାତ୍ରା କରିବା ପାଇଁ ବଲାଙ୍ଗୀର ଜିଲ୍ଲାର କଳାକାରମାନେ ଆସିଥିବା କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପ୍ରଥମ ଦିନରେ ଉକ୍ତ ମଂଚରେ ଥାନାଧିକାରୀ ପ୍ରଦୀପ୍ତ କୁମାର କାନୁନଗୋ,ଏସଆଇ ନିଳମଣୀ ନାୟକଙ୍କୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କମିଟିର ସଭାପତି ଗୌତମ ସାହୁ, ଭରତ ସ୍ୱାଇଁ, ନିରଂଜନ ସାହୁ, ରୋହିତ ବିଶ୍ୱାଳଙ୍କ ସମେତ ତେଂଟୋଇ ଧନୁଯାତ୍ରା କମିଟି ଓ ଗ୍ରାମବାସୀ ପରିଚାଳନା କରିଥିଲେ । ଉକ୍ତ ଧନୁଯାତ୍ରା ଦେଖିବା ପାଇଁ ସ୍ଥାନୀୟ ଅଂଚଳରେ ବହୁ ଜନସାଧାରଣ ଯୋଗ ଦେଉଛନ୍ତି ।