ନିରଂଜନ ନଗରରେ ପଞ୍ଚୁଦଣ୍ଡ ମହାମିଳନ ପାଇଁ ବ୍ୟାପକ ପ୍ରସ୍ତୁତି
ଆସିକା, (ୱାଇଏନ୍ଏସ୍):ଆସିକା ଏନ୍ଏସିର ଐତିହ୍ୟ, ସଂସ୍କୃତି ସମ୍ପନ୍ନ ଓ ଭାଇଚାରାର ସାହି ରୂପେ ପରିଚିତ ଥିବା ୧୪ ନମ୍ବର ୱାର୍ଡର ନିରଂଜନ ନଗରରେ ଆସନ୍ତା ଏପ୍ରିଲ ମାସ ୮ତାରିଖ ମଙ୍ଗଳବାର ଦିନ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ଅନୁଷ୍ଟିତ ହେବାକୁ ଥିବା ପଞ୍ଚୁଦଣ୍ଡ ମହାମିଳନକୁ ଶୃଙ୍ଖଳିତ ଭାବେ ଏକ ଭକ୍ତିମୟ ପରିବେଶ ମଧ୍ୟରେ ସମ୍ପନ୍ନ କରିବା ଲାଗି ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ଏହି ପଞ୍ଚୁଦଣ୍ଡ ମହାମିଳନ କାର୍ଯ୍ୟକ୍ରମରେ ସୁନାପଲ୍ଲୀ, ସାହାସପୁର, ଗୋବିନ୍ଦପୁର, ଖାରିଆ, ଓରସିଙ୍ଗି ଦଣ୍ଡ ଦଳ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଶ୍ରଦ୍ଧାଳୁ ଭକ୍ତ ମାନେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଦେବଦେବ ମହାଦେବ ଓ ମହାମାୟୀ ମା କାଳୀଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଉତ୍କଣ୍ଠାର ସହ ଚାହିଁ ବସିଥିବା ଲକ୍ଷ୍ୟ କରାଯାଇଛି । ଆସନ୍ତା ଏପ୍ରିଲ ମାସ ୮ ତାରିଖରେ ଆସିକା ଏନ୍ଏସି ଅଧୀନସ୍ଥ ନିରଂଜନ ନଗର ସାହିରେ ପଞ୍ଚୁଦଣ୍ଡ ମହାମିଳନକୁ ଶୃଙ୍ଖଳିତ ତଥା ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନାର ସହ ସଂପନ୍ନ କରିବା ଲାଗି ରୂପରେଖ ପ୍ରସ୍ତୁତ କରିବା ସକାଶେ ଏକ ବୈଠକ ଅଧ୍ୟାକ୍ମିକପ୍ରେମୀ ମୁରଲିକ୍ରିଷ୍ଣା ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚୁଦଣ୍ଡ ମହାମିଳନ ପାଇଁ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଧ୍ୟାତ୍ମିକପ୍ରେମୀ ରୋଶନ୍ କୁମାର ବୈଠାରୁ, ଗଣପତି ରେଡି, ରୋମନ୍ କୁମାର ବୈଠାରୁ, ଆର୍.କୁଲଦୀପ୍, ଏଲ୍.ପ୍ରସାଦ ଆଚାରୀ, ଅଜିତ୍ କୁମାର ଦାଶ, ରାମୁ ଆଚାରୀ, ରାଜେନ୍ଦ୍ର କୁମାର ସାହୁ, ବିଜୟ ଆଚାରୀ, ବାଳକୃଷ୍ଣ ହୋତା,ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ଦୀପକ ଆଚାରୀ, ସୁରଜ ଆଚାରୀ, ବି.କ୍ରିଷ୍ଣା ଆଚାରୀ, ତାରିଣୀ ପାତ୍ର, ଏ.କିଶାନ୍, ଶିବା ଆଚାରୀ, ବାଇରି ଆଚାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ, ଉତ୍ସାହୀ ଯୁବପିଢୀ, ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ପଞ୍ଚୁଦଣ୍ଡ ସକାଶେ କର୍ତ୍ତା ଚୟନ, ମହାମାୟୀ ମା କାଳୀଙ୍କ ଆମନ୍ତ୍ରଣ, ଆଲୋକ ଓ ପାନୀୟ ଜଳ ଓ ପରିମଳର ସୁବନ୍ଦୋବସ୍ତ, ପାଣିଦଣ୍ଡ ପାଇଁ ନଦୀର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଓ ମହାମିଳନ କାର୍ଯ୍ୟକ୍ରମକୁ ଶ୍ରଦ୍ଧାଳୁ ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ ଉପଭୋଗ କରିପାରିବେ ତାହାରି ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଏନ୍ଏସି ଅଧୀନସ୍ଥ ୧୪ ନମ୍ବର ୱାର୍ଡର ଉତ୍ସାହୀ ଯୁବପିଢୀଙ୍କ ପକ୍ଷରୁ ଗତ ୨୦୨୩ ମସିହାରେ ପ୍ରଥମ ଥର ଲାଗି ବନ୍ଧାଗୁଡା ଦଣ୍ଡଦଳ ଓ ୨୦୨୪ ମସିହାରେ ଦ୍ୱିତୀୟ ଥର ଲାଗି ଆସିକା ଦଣ୍ଡଦଳକୁ ନେଇ ଦଣ୍ଡନୃତ୍ୟ ପରିବେଷଣ କରିଥିଲା ବେଳେ ଚଳିତବର୍ଷ ପଞ୍ଚୁଦଣ୍ଡ ମହାମିଳନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି ।