ନିଶାମୁକ୍ତ ଓଡ଼ିଶାର ଜାଗ୍ରତ ପ୍ରହରୀ
ପଦ୍ମଚରଣ ନାୟକ
କିଛିବର୍ଷ ତଳେ ଜଣେ ବ୍ୟକ୍ତି ମୋ ପାଖକୁ ଡିଟିପି କରିବାକୁ ଆସିଥିଲେ । ବୟସ ପାଖାପାଖି ୯୨ବର୍ଷ ହେବ । ପିନ୍ଧିଥିଲେ ସାଧାରଣ ବୟସ୍କ ବ୍ୟକ୍ତିଙ୍କ ଭଳି ଧୋତି ଓ ପଞ୍ଜାବୀ । ତୋଫା ଗୋରା ଚେହେରା, ଚୁଟି ତାଙ୍କର ପାଚି ସମୂର୍ଣ୍ଣ ଧଳା ହୋଇଯାଇଥିଲା ଚମ ଧୁଡୁଧୁଡୁ ଦିଶୁଥିଲା । ଏପରି ପରିଣତ ବୟସରେ କାହା ଉପରେ ନିର୍ଭର ନକରି କିମ୍ବା କାହା ଗାଡ଼ି ପଛରେ ନ ବସି ନିଜ ବାସଗୃହରୁ ଚାଲିଚାଲି ଆସିଥିଲେ, ଓଡ଼ିଶାକୁ ମଦମୁକ୍ତ ରାଜ୍ୟରେ ଗଠନ କରିବା ପାଇଁ କିଛି ଜରୁରୀ ଲେଖା ନେଇ । ଡିଟିପି କରିସାରିବା ପରେ ଜାଣିବାକୁ ପାଇଥିଲି ସେହି ବୟସ୍କ ବ୍ୟକ୍ତି ହେଉଛନ୍ତି ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ । ଯେଉଁ ବୟସରେ ଘରେ ବସିରହି ନିଜର ଶରୀର ପ୍ରତି ଯତ୍ନବାନ ହେବା କଥା, ସେ ବୟସରେ ସେ ଘରେ ବସି ନରହି ରାଜ୍ୟରେ ନିଶା ନିବାରଣ ଆଇନ କାର୍ଯ୍ୟକାରୀ କରି ଓଡ଼ିଶାକୁ ମଦମୁକ୍ତ କରିବା ପାଇଁ ସଂଗ୍ରାମ ଜାରି ରଖିବା ନିଶ୍ଚିତ ଗୌରବର ବିଷୟ । ତାଙ୍କ ସହିତ ୮ ବର୍ଷ ଭିତରେ ଯେତିକି ମିଶିଛି, ତାଙ୍କ ବିଷୟରେ ଯେତିକି ଜାଣିଛି, ବାସ୍ତବରେ ପଦ୍ମଚରଣ ନାୟକ ଏକ ବ୍ୟକ୍ତି ନୁହଁନ୍ତି, ଏକ ଅନୁଷ୍ଠାନ, ନିଶାମୁକ୍ତ ଓଡ଼ିଶାର ବଳିଷ୍ଠ ସଂଗଠନ, ଯୁବପିଢିଙ୍କ ପାଇଁ ଏକ ଆହ୍ୱାନ । କାରଣ ଆଜିକା ନିଦରେ ଜଣେ ଶତାୟୁଙ୍କୁ ଦେଖିବା ଅଚିନ୍ତନୀୟ ହୋଇଥିଲେ ମଧ୍ୟ ପଦ୍ମଚରଣ ନାୟକ ଶହେବର୍ଷ ବୟସରେ ଚଳଚଞ୍ଚଳ ରହି ମିିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ମାଧ୍ୟମରେ ଓଡ଼ିଶାରୁ ସମ୍ପୂର୍ଣ୍ଣମଦ ଦୂର କରିବାକୁ ପଦକ୍ଷେପ ନେବା ନିଶ୍ଚିତ ସ୍ୱାଗତଯୋଗ୍ୟ ପଦକ୍ଷେପ । ଆଜି ତାଙ୍କର ୧୦୦ତମ ଜନ୍ମ ଦିବସରେ ତାଙ୍କୁ ଶତକୋଟି ପ୍ରଣାମ ଅର୍ପଣ କରୁଛି ।ପରିଣତ ବୟସରେ ବି ସେ ଭୋର୍ ୪ରୁ ୫ଟା ମଧ୍ୟରେ ଉଠନ୍ତି । ଚାହା ପିଇବା ଛାଡ଼ି ଦେଇଥିବାରୁ ଅଧଗ୍ଲାସ ଲେମ୍ବୁମିଶା ମହୁପାଣି ପିଅନ୍ତି । ଏହାପରେ ‘ମୋନା’ର ଆଗାମୀ ଦିନର କାର୍ଯ୍ୟ ସମ୍ପର୍କରେ ଭାବି ନିଅନ୍ତି ଏବଂ କାହାକୁ ଭେଟିବା ବା ଫୋନ୍ କରିବାକୁ ଥିଲେ ଡାଏରୀରେ ଟିପି ଦିଅନ୍ତି ଓ ପୂର୍ବଦିନ ପଢିଥିବା ପୁସ୍ତକ ବା ପତ୍ରିକାରୁ ପଢନ୍ତି । ଏହି ସମୟରେ ସେ ନୂଆ ନୂଆ କଥା ଭାବନ୍ତି ଓ ମହାପୁରୁଷଙ୍କ ଜୀବନୀ ଉପରେ ଲେଖାଲେଖି କରନ୍ତି । କେବଳ ସେତିକି ନୁହେଁ, ଜୀବନର ଆରମ୍ଭରୁ ସାମ୍ୟବାଦୀ ବିଚାରରେ ଯୋଡ଼ି ହୋଇ ଆନ୍ଦୋଳନରେ ନିଜକୁ ସାମିଲ କରି ଯେଉଁ ଅଭିଜ୍ଞତା ଅର୍ଜନ କରିଥିଲେ, ସେଥିରେ ସେ ଆଗକୁ ଆଗକୁ ବଢି ଚାଲିଛନ୍ତି । ସାମ୍ୟବାଦୀ ବିଚାରଧାରାରୁ ସମାଜବାଦୀ ଓ ଗାନ୍ଧିବାଦୀ ବିଚାରଧାରାକୁ ଆପଣେଇଛନ୍ତି । ତାଙ୍କର ଦୀର୍ଘ ଜୀବନ ଭିତରେ ଅନେକ ଆନ୍ଦୋଳନରେ ସେ ସାମିଲ୍ ହୋଇଛନ୍ତି । କାରଣ ସମାଜରେ ଯେତେସବୁ ଆନ୍ଦୋଳନ ସଂଗଠିତ ହୋଇଛି, ସେସବୁର ଧାରା ବାବଦରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି । ଏ ବୟସରେ ତାଙ୍କର ଅକ୍ଲାନ୍ତ ପରିଶ୍ରମ ଦୃଢ ଆତ୍ମବିଶ୍ୱାସ ଯୋଗୁଁ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନକୁ ବଞ୍ଚାଇ ରଖିପାରିଛନ୍ତି । ପରିପକ୍ୱ ବୟସରେ ପଦ୍ମଚରଣ ନାୟକ ନିଶା ନିବାରଣ ଆନ୍ଦୋଳନର ଭଳି ବଡ଼ ଗୁରୁଦାୟିତ୍ୱରେ ଅଛନ୍ତି । ଅବ୍ୟାହତି ନେବାକୁ ବାରମ୍ବାର ଅନୁରୋଧ କରି ଆସୁଥିଲେ ହେଁ ତାଙ୍କର ବଳିଷ୍ଠ ପଦକ୍ଷେପ ଓ ନିଷ୍ଠାପର ଉଦ୍ୟମ ବିନା ତାଙ୍କ ସହଯୋଗୀମାନେ ଆନ୍ଦୋଳନ ଚଳାଇ ରଖିବାକୁ ଉଚିତ୍ ମନେକରୁ ନାହାଁନ୍ତି । କାରଣ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଓ ଗଣମାଧ୍ୟମରେ ଲେଖା ଠାରୁ ସାକ୍ଷାତ୍କାର ଲାଗି ତାଙ୍କର ବିକଳ୍ପ ବ୍ୟକ୍ତି ନଥିବାରୁ ସେମାନେ ପଦ୍ମଚରଣ ନାୟକଙ୍କୁ ଦାୟିତ୍ୱରୁ ମୁକ୍ତ କରିପାରୁ ନାହାଁନ୍ତି । ସେ ରହୁଥିବା ଘରେ ହିଁ ‘ମୋନା’ର କାର୍ଯ୍ୟାଳୟ । ଏଣୁ ସକାଳ ୫ଟା ଠାରୁ ରାତି ୮ଟା ପର୍ଯ୍ୟନ୍ତ ତାଙ୍କର କାମ । ବିଗତ ୧୧ ବର୍ଷ ହେବ ସାରା ରାଜ୍ୟରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)କୁ ସଂଗଠିତ କରିବା ସହ ନିଶା ନିବାରଣ ଆନ୍ଦୋଳନରେ ଦିନରାତି ବ୍ୟସ୍ତ ଥିବା ଭିତରେ ଜୀବନର ବିଭିନ୍ନ ଦିଗ ଉପରେ ତାଙ୍କର ଲେଖାମାନ ଖବରକାଗଜରେ ପ୍ରକାଶ ପାଇଛି । ନିଶା ନିବାରଣ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ବୁଲିବା ଭିତରେ ତାଙ୍କର ଶୁଭେଚ୍ଛୁମାନେ ତାଙ୍କୁ ଭେଟି ନିଜକୁ କୃତାର୍ଥ ମନେ କରିଛନ୍ତି । ଦଶମ ଶ୍ରେଣୀରେ ପଢୁଥିବା ବେଳେ ଗାନ୍ଧିଙ୍କ ଡ଼ାକାରରେ ସେ ୧୯୪୨ ଅଗଷ୍ଟ ଆନ୍ଦୋଳନରେ ଯୋଗ ଦେବା ଫଳରେ ସ୍କୁଲ୍ ଯିବା ବନ୍ଦ ହୋଇଯାଇଥିଲା । ସ୍କୁଲ୍ରୁ ନାଁ କଟି ଯାଇଥିଲା । କିଛି ମାସ ପରେ ମାମୁଁଙ୍କ ନିର୍ଦ୍ଦେଶରେ ସେ ପୁଣି ବିଦ୍ୟାଳୟରେ ନାମ ଲେଖାଇଥିଲେ ଓ ଶେଷରେ ରସାୟନ ବିଭାଗରେ ସ୍ନାତକୋତ୍ତର ପାସ୍ କରି ଥିଲେ । ବିଜ୍ଞାନର ଛାତ୍ର ହୋଇଥିବାରୁ ଛାତ୍ର ରାଜନୀତିରେ ଭାଗ ନେବାକୁ ବେଳ ନଥିଲା । କିନ୍ତୁ ପଢା ଶେଷ ପରେ ରାଜନୀତି ଆଡ଼କୁ ତାଙ୍କ ମନ ଢଳିଥିଲା । ୧୯୫୨ ମସିହା ନିର୍ବାଚନ ବେଳକୁ ବୟସ ୨୫ ବର୍ଷ ହୋଇନଥିବାରୁ ସେ ପ୍ରତିଦ୍ୱନ୍ଦିତା କରିପାରିଲେ ନାହିଁ । ଏହାପରେ ୧୯୫୭ ମସିହାରେ ସେ ରାଜନଗର ନିର୍ବାଚନ ମଣ୍ଡଳୀରୁ ସାମ୍ୟବାଦୀ ଦଳର ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରି ଅଳ୍ପ ଭୋଟରେ ପରାଜିତ ହୋଇଥଲେ । ପରେ୧୯୬୧ ମସିହାେରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ରାଜନଗର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ନିର୍ବାଚିତ ହେଲା ପରେ ସେ ତତ୍କାଳୀନ ଶାସକ କଂଗ୍ରେସ ଦଳରେ ନ ମିଶି ପ୍ରଜା ସୋସାଲିଷ୍ଟ ଦଳରେ ଯୋଗ ଦେଇଥିଲେ । ୧୯୬୭ ମସିହାରେ କଂଗ୍ରେସ ହଟାଓ ଆନ୍ଦୋଳନର ସେ ଥିଲେ ଅନ୍ୟତମ ନେତା । କିନ୍ତୁ ୧୯୭୩ ମସିହା ବେଳକୁ ପ୍ରଜା ସୋସାଲିଷ୍ଟ ଦଳରୁ ଅଧିକାଂଶ କଂଗ୍ରେସ ଦଳରେ ଯୋଗ ଦେବାରୁ ପଦବାବୁଙ୍କ ପାଇଁ ଲୋକଦଳ, ଜନତା ଦଳ ଓ ଜନତା ପାର୍ଟିରେ ଯୋଗ ଦେବା ଛଡ଼ା ଅନ୍ୟ ବାଟ ନଥିଲା । ଏସବୁ ଦଳର ନେତାଙ୍କ ଅଗଣତାନ୍ତ୍ରିକ ମନୋଭାବରେ ଅସନ୍ତୁଷ୍ଟ ହୋଇ ସେ ଦଳୀୟ ରାଜନୀତିରୁ ଦୂରେଇ ଯାଇଥିଲେ ଓ ରାଜ୍ୟର ମଦକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ଶପଥ ନେଇଥିଲେ । ସେହିଦିନ ଠାରୁ ଦୀର୍ଘ ବର୍ଷ ଧରି ସେ ନିଶା ବିରୁଦ୍ଧରେ ସଂଗ୍ରାମ ଚଳାଇ ଆସିଛନ୍ତି ।ମଦ ଦୋକାନ ସାମନାରେ ଓ ରାଜରାସ୍ତାରେ ମଦ ପ୍ରସାରଣ ବିରୋଧରେ ଆନ୍ଦୋଳନ ହେବା ସତ୍ତ୍ୱେ ସରକାର ଏଥିପ୍ରତି ଆଖିକାନ ବୁଜି ଦେଇଛନ୍ତି । ମହିଳାମାନଙ୍କ ଭୋଟରେ ଜିତି କ୍ଷମତାକୁ ଆସୁଥିବା ସରକାର ଏଥିପାଇଁ ଗର୍ବ କରୁଥିବା ବେଳେ ବାରମ୍ବାର ଦାବୀ ସତ୍ତ୍ୱେ ମହିଳାମାନଙ୍କୁ ଘରେ ବାହାରେ ଅସୁରକ୍ଷିତ କରୁଥିବା ମଦକୁ ବନ୍ଦ କରିବା ଦିଗରେ କୌଣସି ପଦକ୍ଷେପ ନେଉନାହାଁନ୍ତି । ୧୯୫୬ ମସିହାରୁ ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନ ଓଡିଶା ବିଧାନ ସଭାରେ ପାସ୍ ହୋଇ ପଡିରହିଛି । ଏହି ଆଇନକୁ ଲାଗୁକରି ଓଡିଶାକୁ ମଦମୁକ୍ତ ରାଜ୍ୟରୂପେ ଘୋଷଣା କରିବା ତ ଦୂରର କଥା, ମଦକୁ ନିୟନ୍ତ୍ରଣ କରିବାକୁ ଅବକାରୀ ନୀତିରେ କୌଣସ ପରିବର୍ତ୍ତନ ଆଣିବା ସରକାର ତାଙ୍କର ଦାୟିତ୍ୱ ବୋଲି ଭାବୁନାହାଁନ୍ତି ବରଂ ରାଜସ୍ୱ ଆଳରେ ମଦକୁ ବେଫିକର ପ୍ରସାରଣ କରିବାରେ ଲାଗିପଡିଛନ୍ତି । ସରକାରୀ ଠାରୁ ବେସରକାରୀସ୍ତର ପର୍ଯ୍ୟନ୍ତ ଚାରିଆଡେ ମହିଳା ସଶକ୍ତିକରଣର ନାରାବାଜି ଚାଲିଥିବା ବେଳେ ଘରେ ବାହାରେ ସବୁଆଡେ ମହିଳାମାନେ ମଦ୍ୟପଙ୍କ ଦ୍ୱାରା ପୀଡିତ ଓ ଅତ୍ୟାଚାରିତ ହେଉଛନ୍ତି । ଏପରିସ୍ଥଳେ ନିଶାନିବାରଣ ବିନା ମହିଳା ସଶକ୍ତିକରଣ କିପରି ସମ୍ଭବ ହେବ ବୋଲି ସେ କୁହନ୍ତି ।ଏଇଠି ତାଙ୍କର ଆନ୍ଦୋଳନ ଶେଷ ହୋଇନାହିଁ, ଆହୁରି ଅନେକ ପଥ ଅତିକ୍ରମ କରିବାକୁ ଅଛି । ତାଙ୍କର ଭିତରେ ଅଦମ୍ୟ ଇଚ୍ଛାଶକ୍ତି ସମଗ୍ର ଯୁବସମାଜକୁ ଆନ୍ଦୋଳନର ଦିଶା ଦେଖାଉଥିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ସମ୍ମାନନୀୟ ନବକୃଷ୍ଣ ଚୌଧୁରୀ ଓ ଅନ୍ୟାନ୍ୟ ବରପୁତ୍ରମାନଙ୍କ ଜୀବନୀ ଓ କାହାଣୀକୁ ସ୍ତମ୍ଭ ଆକାରରେ ପ୍ରକାଶ ପାଇବା ତାଙ୍କୁ କାଳଜୟୀ କରି ରଖିବ । ସେ କହୁଥିଲେ, ବିହାରରେ ପ୍ରାୟ ୮ ବର୍ଷ ହେଲା ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନ କାର୍ଯ୍ୟକାରୀ ହୋଇଛି । ସେଥିରେ ଖୁବ୍ କଡ଼ା ଦଣ୍ଡବିଧାନ ଥିବାରୁ ଲକ୍ଷ ଲକ୍ଷ ଗରିବ ଲୋକ ଜାମିନ ନ ପାଇ ବର୍ଷ ବର୍ଷ ଧରି ଜେଲ୍ରେ ରହିଥିଲେ ଓ ସେ କଥା ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଯାଇଥିଲା । ବିହାର ସରକାର ଉକ୍ତ ଦଣ୍ଡବିଧାନର ପୁନର୍ବିଚାର କରି ଯେଉଁ ନିୟମ କରିଛନ୍ତି, ତାକୁ ବିଚାରକୁ ନେଇ ସପ୍ତାହକ ମଧ୍ୟରେ ଓଡ଼ିଶାରେ ସେହିଭଳି ନିୟମମାନ ପ୍ରସ୍ତୁତ କରାଯାଇପାରିବ । ତେଣୁ ଏଭଳି ଏକ ଜରୁରୀ ଓ ଯୁଗାନ୍ତକାରୀ ରୁଲ୍ ପ୍ରଣୟନ କରିଦେଲେ ଉକ୍ତ ଆଇନକୁ କାର୍ଯ୍ୟକାରୀ କରିବା ଲାଗି ପଥ ଉନ୍ମୁକ୍ତ ହୋଇଯିବ । ଯେପର୍ଯ୍ୟନ୍ତ ଓଡ଼ିଶାରେ ନିଶା ନିବାରଣ ଆଇନ କାର୍ଯ୍ୟକାରୀ ହୋଇ ରାଜ୍ୟରୁ ମଦ ବନ୍ଦ ନହୋଇଛି, ସେ ପର୍ଯ୍ୟନ୍ତ ତାଙ୍କର ସଂଗ୍ରାମ ଜାରି ରଖିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଯଦି ରାଜ୍ୟ ସରକାର ଓଡ଼ିଶାରେ ନିଶା ନିବାରଣ ଆଇନ କାର୍ଯ୍ୟକାରୀ କରି ରାଜ୍ୟକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବାକୁ ଘୋଷଣା କରନ୍ତେି, ତବେ ପଦ୍ମଚରଣ ନାୟକଙ୍କ ୧୦୦ତମ ଜନ୍ମଦିନରେ ଏହା ହେବ ତାଙ୍କ ପାଇଁ ସବୁଠୁ ସ୍ମରଣୀୟ ଦିନ ହୋଇ ରହିବ ।