ନୂତନ ରାଜସ୍ୱ ଗ୍ରାମ ହେଲା ସାର୍ଥାର ୮ଟି ଗ୍ରାମ, ଅନ୍ୟ ୧୧ଟିକୁ ମାନ୍ୟତା ଖୁବ୍ ଶ୍ରୀଘ୍ର

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୨ ଗୋଟି ଗାଁକୁ ରାଜସ୍ୱ ଗ୍ରାମ ଭାବେ ରୁପାନ୍ତରିତ ପାଇଁ ପ୍ରକ୍ରିୟା ଜାରି ରହିଛି । ତନ୍ମଧ୍ୟରୁ ୯ଟି ଗ୍ରାମର ପ୍ରସ୍ତାବକୁ କଟକ ସ୍ଥିତ ରାଜ୍ୟ ଭୂ-ଅଭିଲେଖ ପରିମାପକ ନିର୍ଦ୍ଦେଶକ ଅନୁମୋଦନ କରି ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି । ଅନ୍ୟ ୧୩ଟି ଗ୍ରାମର ପ୍ରସ୍ତାବ ଜିଲ୍ଲାପାଳଙ୍କ ଠାରୁ ପାଇବା ପରେ ଭୂ-ଅଭିଲେଖ ପରିମାପକ ନିର୍ଦ୍ଦେଶକଙ୍କ ନିର୍ଦ୍ଧାରିତ ମାନଦଣ୍ଡ ବିଚାର ଆଧାରରେ ରାଜସ୍ୱ ଗ୍ରାମ ଘୋଷଣା ନିମନ୍ତେ ସରକାର ପଦକ୍ଷେପ ନେବେ ବୋଲି ବିଧାନସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ବିଧାନସଭାର ପ୍ରଶ୍ନକାଳରେ, ନୂତନ ରାଜସ୍ୱ ଗ୍ରାମ ଭାବେ ଘୋଷଣା ପାଇଁ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ପ୍ରସ୍ତବିତ ଗ୍ରାମଗୁଡିକ ମଧ୍ୟରୁ କେଉଁ କେଉଁ ଗାଁକୁ ତାଲିକାଭୁକ୍ତ କରାଯାଇଛି ଏବଂ ସେହି ପ୍ରକ୍ରିୟାର ସାମ୍ପ୍ରତିକ ସ୍ଥିତି ବାବଦରେ ତଥ୍ୟ ସହିତ ବିସ୍ତୃତ ବିବରଣୀ ପ୍ରଦାନ ନିମନ୍ତେ ବିଧାୟକ ମାନସ କୁମାର ଦତ୍ତ ପ୍ରଶ୍ନ ଉତ୍‌ଥାପନ କରିଥିଲେ । ଏହା ସହିତ ସଦର ବ୍ଲକ ଅଧିନ କୁରାଢ଼ିଆ ପଂଚାୟତର ପୋଖରୀସାହି ଓ ରାଇସୁଆଁ ପଂଚାୟତର ପାଳସିଆ ଗାଁକୁ ରାଜସ୍ୱ ଗ୍ରାମରେ ରୁପାନ୍ତରିତ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଶ୍ରୀ ଦତ୍ତ ଅନୁରୋଧ କରିଥିଲେ ।ଶ୍ରୀ ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ, କୁରାଢ଼ିଆ ପଂଚାୟତର ପୋଖରୀସାହି ରାଜସ୍ୱ ଗ୍ରାମ ଭାବେପରିଗଣିତ ହୋଇସାରିଛି । ସେହି କ୍ରମରେ ଗ୍ରାମର ଖତିଆନ ଓ ନକ୍ସା ପୃଥକ ଭାବେ ପ୍ରସ୍ତୁତ ସହ ସେଗୁଡିକ ଭୂଲେଖ ଓ ଭୂନକ୍ସା ପୋର୍ଟାଲରେ ଅପଲୋଡ କରାଯାଇଛି । ସେହିପରି ରାଇସୁଆଁ ପଂଚାୟତର ପାଳସିଆ ଗାଁକୁ ରାଜସ୍ୱ ଗ୍ରାମ ଭାବେ ପରିଣତ ପାଇଁ ପ୍ରସ୍ତାବକୁ ତଦନ୍ତ ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । ସୂଚନା ଯୋଗ୍ୟ, ଗତ ବଜେଟ ଅଧିବେଶନରେ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସାର୍ଥା ରାଜସ୍ୱ ଗ୍ରାମକୁ ଦୁଇ ଭାଗରେ ବିଭକ୍ତ ସହ ଦୁଇଟି ରାଜସ୍ୱ ଗ୍ରାମ ପ୍ରତିଷ୍ଠା କରି ଗୋଟିଏ ସାର୍ଥା ଛକ ଓ ଅନ୍ୟଟି ସାର୍ଥା ଗାଁ ନାମରେ ନାମିତ କରିବାକୁ ଶ୍ରୀ ଦତ୍ତ ପ୍ରସ୍ତାବ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ