ନେତାଜୀ ଜୟନ୍ତୀ ଅବସରରେ ଅନୁଷ୍ଠିତ ଦେଶପ୍ରେମ ମହୋତ୍ସବ ଉଦ୍ଘାଟିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନେତାଜୀଙ୍କ ଦ୍ୱାରା ଗଠିତ ରାଜନୈତିକ ଦଳ ଫଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍’ ପକ୍ଷରୁ ଭାରତବର୍ଷର ମହାନ୍ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀ ଅବସରରେ ଦେଶପ୍ରେମ ମହୋତ୍ସବ ଭାବରେ ପାଳନ କରାଯାଉଛି । ଏହି ଅବସରରେ ଫରୱାର୍ଡ଼ ବ୍ଲକ ଓ ଆଜାଦ୍ ହିନ୍ଦ୍ ବାହିନୀ ପକ୍ଷରୁ ଭୁବନେଶ୍ୱର ୟୁନିଟ୍-୬ସ୍ଥିତ ନେତାଜୀ ଭବନ ପରିସରରେ ଅନୁଷ୍ଠିତ ଏହି ଦେଶପ୍ରେମ ମହୋତ୍ସବ ଆଜି ପୂର୍ବାହ୍ନରେ ଉଦ୍ଘାଟିତ ହୋଇଯାଇଛି ।ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମହୋତ୍ସବର ଉଦ୍ଘାଟନୀ ଉତ୍ସବକୁ ଅବସରପ୍ରାପ୍ତ ପ୍ରସାଶନିକ ଅଧିକାରୀ ତଥା କବି ରତ୍ନାକର ରାଉତ ନେତାଜୀଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଭାରତବର୍ଷରେ ପୁଞ୍ଜିତନ୍ତ୍ର ରାଜୁତି କରୁଛି । ଯାହା ଫଳରେ ଆମ ଦେଶର ସାଧାରଣ ମଣିଷ ଯନ୍ତ୍ରଣା ଜର୍ଜରିତ ଜୀବନ ଅତିବାହିତ କରିବାକୁ ବାଧ୍ୟହେଉଛି । ସରକାରୀ ଉଦାସୀନତା କାରଣରୁ ଶ୍ରମଜୀବି ମଣିଷ ନିଜ ପରିବାରର ଭରଣପୋଷଣ କରିବାରେ ବ୍ୟର୍ଥ ହେଉଛି । ଶ୍ରମଜୀବି ଜନତାଙ୍କ ସମସ୍ୟାର ସମାଧାନ ପାଇଁ ନେତାଜୀଙ୍କ ପ୍ରଦର୍ଶିତ ମାର୍ଗ ହିଁ ଏକମାତ୍ର ବିକଳ୍ପ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିବା ସହ ଏହି ପଥର ପଥିକ ହେବା ପାଇଁ ସେ ନିଜ ବକ୍ତବ୍ୟରେ ଆହ୍ୱାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପ୍ରଫେସର ବିଜୟ ବହିଦାର, ମୁଖ୍ୟବକ୍ତା ଭାବରେ ବିଶିଷ୍ଟ କବି ତଥା ପୂବତଟ ରେଳବାଇର ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ, ସମ୍ମାନୀତ ଅତିଥି ଭାବରେ ଫରୱାର୍ଡ଼ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର ପ୍ରମୁଖ ବକ୍ତବ୍ୟ ରଖି ଦେଶରେ ଅଶିକ୍ଷା,ବେକାରୀ, ଦରଦାମ ବୃଦ୍ଧି ଆଦି ସମସ୍ୟା ଉତ୍କଟ ରୂପ ଧାରଣ କରିବାରେ ଲାଗିଛି ବୋଲି ମତବ୍ୟକ୍ତ କରିଥିଲେ । ବ୍ୟବସ୍ଥାରେ ପରିବର୍ତନ ନହେବା ପର୍ଯ୍ୟନ୍ତ ସାଧାରଣ ମଣିଷଙ୍କର ବିକାଶ ସଂଗଠିତ ହୋଇପାରିବ ନାହିଁ ବୋଲି ପ୍ରକାଶ କରିଥିଲେ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦେଶପ୍ରେମର ଯେଉଁ ଅନନ୍ୟ ଉଦାହରଣ ଦେଖାଇ ଯାଇଛନ୍ତି ତାହା ସଦାସର୍ବଦା ଦେଶର ଯୁବ ପିଢ଼ିଙ୍କ ପାଇଁ ଅନୁକରଣୀୟ ଓ ଅନୁସରଣୀୟ । ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଯୁବଛାତ୍ର ସମାଜ ସାଧାରଣ ମଣିଷଙ୍କ ସ୍ୱାର୍ଥରକ୍ଷା ପାଇଁ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫରୱାର୍ଡ଼ ବ୍ଲକର ରାଜ୍ୟ ନେତା ଜିତେନ୍ଦ୍ରୀୟ ବେହେରା, ଶମ୍ଭୁପ୍ରସାଦ ମହାନ୍ତି, ଗୟାରାମ ପୂଜାରୀ, ଲକ୍ଷ୍ମୀ ଦୋରା, ଆଜାଦ୍ ହିନ୍ଦ୍ ବାହିନୀର ରାଜ୍ୟ ସମ୍ପାଦିକା ସୁବତି ଆଜାଦ୍, ପୂର୍ଣ୍ଣଚନ୍ଦ୍ର ଗଲରି, ଦିଶା ଆଜାଦ୍, ଦୁର୍ଯ୍ୟୋଧନ ପୂଜାରୀ, ପ୍ରମୁଖ ବକ୍ତବ୍ୟ ରଖି ନେତାଜୀଙ୍କ ଆଦର୍ଶରେ ଦେଶପ୍ରେମୀ ଯୁବକଛାତ୍ରମାନେ ଐକ୍ୟବଦ୍ଧ ଅଭିଯାନ ଜାରି ରଖିଲେ, ଦେଶରେ ପରିବର୍ତନ ଅବସମ୍ଭାବି ହୋଇପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ । ସନ୍ଧ୍ୟାରେ ନେତାଜୀ ଭବନ ପରିସରରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା । ଆଜି ଉଦ୍ଘାଟିତ ହୋଇଥିବା ଏହି ଦେଶପ୍ରେମ ମହୋତ୍ସବ ଆଗାମୀ ତିନିଦିନ ଧରି ଜାରି ରହିବ ।