ନେଲୁଙ୍ଗ ଗ୍ରାମ ପଂଚାୟତରେ ଆଇନ ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ଆଇନସେବା ପ୍ରାଧିକରଣ ସୌଜନ୍ୟରୁ ସଦର ବ୍ଲକ ଅନ୍ତର୍ଗତ ନେଲୁଙ୍ଗ ଗ୍ରାମ ପଂଚାୟତ ପରିସରରେ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀ ଡ୍ରପଆଉଟ୍ ଶୂନ୍ୟ କରିବା,କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ଶୋଷଣ,ଦିବ୍ୟାଙ୍ଗ ମାନଙ୍କ ପାଇଁ ଓ ତଫସିଲ ଭୁକ୍ତ ଜାତି ଓ ଉପଜାତିଙ୍କ ପାଇଁ ସରକାରୀ ଯୋଜନା ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଅଶୋକ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ସଚିବ ମାମୀ ବେହେରା ଯୋଗଦେଇ ଉପରୋକ୍ତ ୪ଗୋଟି ଯୋଜନା ଉପରେ ଆଲୋକପାତ କରାଇ ପ୍ରାଧିକରଣ ମାଧ୍ୟମରେ ଏହି ଯୋଜନାଗୁଡିକର ସୁଫଳ ଲୋକମାନେ କିଭଳି ପାଇ ପାରିବେ ଓ ସଂପୃକ୍ତ ବିଭାଗ ସହ ଯୋଗସୂତ୍ର ରକ୍ଷା କରି ପ୍ରାଧିକରଣ କାମ କରିବ ବୋଲି ମତ ଦେଇଥିଲେ । ପ୍ରାରମ୍ଭରେ ପ୍ରାଧିକରଣ ସଦସ୍ୟ ତଥା ତଦାଶା ସଂପାଦକ ଅକ୍ଷୟ କୁମାର ଚକ୍ର ସ୍ୱାଗତ ଅଭିଭାଷଣ ଦେଇ ସଚେତନତା ଶିବିରର ଆଭିମୁଖ୍ୟ ପ୍ରକାଶ କରି ପ୍ରାଧିକରଣର କାର୍ଯ୍ୟାବଳୀ ବର୍ଣ୍ଣନା ସହ ସଭା ପରିଚାଳନା କରିଥିଲେ । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାଗବତ ପ୍ରସାଦ ନାୟକ ଯୋଗଦେଇ ବ୍ଲକ ମାଧ୍ୟମରେ କାର୍ଯ୍ୟକାରୀ ଯୋଜନା ଓ ଦିବ୍ୟାଙ୍ଗ ତଥା ତଫସିଲ ଭୁକ୍ତ ଜାତି ଓ ଉପଜାତିଙ୍କ ସରକାରୀ ଯୋଜନା ଉପରେ କରିଥିବାବେଳେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଯଶୋବନ୍ତ ନାୟକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଡ୍ରପଆଉଟ୍ ଶୂନ୍ୟ କରିବାକୁ ସରକାରଙ୍କ ପଦକ୍ଷେପ ସଂପର୍କରେ ଜଣାଇଥିଲେ । ଗ୍ରାମ ପଂଚାୟତର ନାଏବ ସରପଂଚ ସୁଧାଂଶୁ ଶେଖର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଗ୍ରାମ ପଂଚାୟତର କର୍ମକର୍ତ୍ତା,ସ୍ୱୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତା ତଥା ଗ୍ରାମବାସୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।