ପଞ୍ଚାୟତ ସମିତି ବୈଠକରେ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଦୁର୍ବ୍ୟବହାର , ଖବର ସଂଗ୍ରହକାରୀଙ୍କୁ ପାଲଟା ଧମକ ଅଭିଯୋଗ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ସୋମବାର ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜନଶୁଣାଣୀ ଶିବର ଚାଲିଥିବା ବେଳେ ଜଣେ ବ୍ୟକ୍ତି ନିଜକୁ ରିପୋର୍ଟର ଦାବି କରି ଉକ୍ତ ବୈଠକକୁ ଯିବା ଓ ଜଣେ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଦୁର୍ବ୍ୟବହାର ସହ ହତ୍ୟା ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ହିଞ୍ଜିଳି ଥାନାରେ ରୁଜୁ ହୋଇଛି। ଅନ୍ୟପକ୍ଷରେ ନିଜକୁ ମୋବାଇଲ ରିପୋର୍ଟର ଦାବି କରୁଥିବା ଜୈନିକ ବ୍ୟକ୍ତିଙ୍କୁ ସମିତି ସଭ୍ୟ ଓ ସରପଞ୍ଚ ଗାଲିଗୁଲଜ କରିଥିବା ନେଇ ହିଞ୍ଜିଳି ଥାନାରେ ପାଲଟା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ହିଞ୍ଜିଳି ଥାନାରେ ୩ଟି ପୃଥକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।
ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଳକ ଗଣ୍ଡଳା ପଞ୍ଚାୟତର ସମିତି ସଭ୍ୟ ପ୍ରଶାନ୍ତ ସାହୁ ସୋମବାର ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ ଜନଶୁଣାଣୀ ବୈଠକରେ ଉପସ୍ଥିତ ଥିଲେ। ଏହି ସମୟରେ ଜୈନିକ ମୋବାଇଲ ରିପୋର୍ଟର କନ୍ଧଖରିଡା ଗ୍ରାମର ଶଙ୍କର ନାୟକ ବୈଠକକୁ ଯାଇଥିଲେ।‌ ଗଣ୍ଡଳା ସମିତି ସଭ୍ୟ ସାହୁ ମୋବାଇଲ ରିପୋର୍ଟର ଶଙ୍କର ନାୟକଙ୍କୁ ୫ ହଜାର ଟଙ୍କା ପୂର୍ବରୁ ଦେଇଥିବା ସତ୍ତ୍ବେ ତାଙ୍କୁ ସ୍ବତନ୍ତ୍ର ଉତ୍ସବରେ କାହିଁକି ସମ୍ମାନିତ କରାଯାଇନାହିଁ ବୋଲି ପଚାରିଥିଲେ। ୧୦ ହଜାର ଟଙ୍କା ଦେଲେ ହିଁ ସମ୍ମାନିତ କରାଯାଇଥାନ୍ତା ବୋଲି ମୋବାଇଲ ରିପୋର୍ଟର ନାୟକ କହିଥିଲେ। ଏହାକୁ ନେଇ ବୈଠକରେ ଉଭୟଙ୍କ ମଧ୍ୟରେ କଥା କଟାକଟି ଓ ପାଟିତୁଣ୍ଡ ହୋଇଥିଲା। ଏହି ଗଣ୍ଡଗୋଳରେ ଦାରୁଭଦ୍ରା ସରପଞ୍ଚ ବିକାଶ ସେଠି ହସ୍ତକ୍ଷେପ କରିଥିଲେ। ମୋବାଇଲ ରିପୋର୍ଟର ନାୟକ ସମିତି ସଭ୍ୟ ସାହୁଙ୍କୁ ହତ୍ୟା ଧମକ ଦେବା ସହ ଖେଳପଡିଆ ଉନ୍ନତିକରଣ ବାବଦକୁ ଅର୍ଥ ହେରଫେର କରିବା ଆକ୍ଷେପ କରିଥିବା ନେଇ ସମିତି ସଭ୍ୟ ସାହୁ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଗଣ୍ଡଗୋଳରେ ହସ୍ତକ୍ଷେପ କରିଥିବା ସରପଞ୍ଚ ବିକାଶ ସେଠିଙ୍କୁ ମୋବାଇଲ ରିପୋର୍ଟର ନାୟକ ଜାତିଆଣ ଆକ୍ଷେପ କରିବା ସହ ତାଙ୍କର ଏକ ନଗ୍ନ ଭିଡିଓ ଭାଇରାଲ କରିବା ନେଇ ଧମକ ଦେବା ନେଇ ସରପଞ୍ଚ ସେଠି ଥାନାରେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ମୋବାଇଲ ରିପୋର୍ଟର ଶଙ୍କର ନାୟକଙ୍କୁ ବିନା ଅନୁମତିରେ ବୈଠକକୁ କାହିଁକି ଆସିଛୁ କହି ସମିତି ସଭ୍ୟ ସାହୁ ଓ ସରପଞ୍ଚ ସେଠି ଗାଳିଗୁଲଜ କରିବା ସହ ଅପମାନିତ କରିଥିବା ନେଇ ନାୟକ ଥାନାରେ ଅଭିଯୋଗ କରିଛନ୍ତି। ଏଥି ନେଇ ହିଞ୍ଜିଳି ଥାନାରେ ୮୬, ୮୭ ଓ ୮୮/୨୫ରେ ୩ଟି ପୃଥକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି। ପ୍ରକାଶ ଥାଉକି, ଘଟଣା ପରେ ସରପଞ୍ଚ ସେଠିଙ୍କ ଏକ ନଗ୍ନ ଭିଡିଓକୁ ମୋବାଇଲ ରିପୋର୍ଟର ନିଉଜ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ନେଇ ସରପଞ୍ଚ ସେଠି ପୁଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ