ପଥପ୍ରାନ୍ତ ନାଟକ ମାଧ୍ୟମରେ ଯମରାଜ ଓ ଚିତ୍ରଗୁପ୍ତ ଦେଲେ ସଚେତନତାର ଜାତୀୟ ସଡ଼କ ସୁରକ୍ଷା ବାର୍ତ୍ତା
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର ) : ଜାନୁୟାରୀ ୧ ରୁ ଜାନୁୟାରୀ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ବୁଧବାର ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ, ଜିଲ୍ଲା ପୋଲିସ ପ୍ରଶାସନ ଓ ଜିଲ୍ଲାସଡକ ସୁରକ୍ଷା ସମିତିଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଆରମ୍ଭ ହୋଇଯାଇଛି. ଏହି ଉପଲକ୍ଷେ ସକାଳେ କଲେକ୍ଟରେଟ ଠାରେ ସଡକ ସୁରକ୍ଷା ସମ୍ବନ୍ଧୀୟ ଏକ ସଚେତନତା ରଥକୁ ଜିଲ୍ଲାପାଳ ହେମକାନ୍ତ ସୟ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ସପ୍ତାହ ବ୍ୟାପୀ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ. ସମସ୍ତ ସରକାରୀ କାର୍ଯ୍ୟାଳୟର କର୍ମଚାରୀ ଏବଂ ସ୍ବେଛାସେବୀ ସଂଗଠନ ମାନେ ପ୍ଲାକାର୍ଡ ସହିତ ସଚେନତା ଶୋଭାଯାତ୍ରାରେ ରଥ ସହିତ ସହର ପରିକ୍ରମା କରିଥିଲେ. ଏହି ଉପଲକ୍ଷେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଲିଫଲେଟ ବଣ୍ଟନ କରାଯାଇ ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ ବ୍ୟବହାର, ଚାରି ଚକିଆ ଯାନରେ ସିଟ ବେଲଟ ବ୍ୟବହାର, ନିଶାଶକ୍ତ ଅବସ୍ଥାରେ ଗାଡି ଚାଳନା ନକରିବା ଏବଂ ଟ୍ରାଫିକ ନିୟମ ମାନି ଗାଡି ଚଳାଇବା ସମ୍ପର୍କରେ ସଚେତନ କରାଯାଇଥିଲା. ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଯମରାଜା-ଚିତ୍ରଗୁପ୍ତ ସମ୍ବାଦ. ସ୍ଥାନୀୟ କଳାକାର ମାନେ ଯମରାଜ ଏବଂ ଚିତ୍ରଗୁପ୍ତ ବେଶ ଧରି ପଥପ୍ରାନ୍ତ ସଚେତନତା ନାଟକ କରିବା ସହିତ ରାସ୍ତାରେ ଯେଉଁମାନେ ହେଲମେଟ ନପିନ୍ଧି ଗାଡି ଚଳାଉଥିଲେ ସେମାନଙ୍କୁ ସଚେତନ କରିବା ସହିତ ପୁଲିସ ସହାୟତାରେ ଦଣ୍ଡବିଧାନ ମଧ୍ୟ କରିଥିଲେ. ଏଥିସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ବିନା ହେଲମେଟ ଗାଡି ଚାଳନା କରୁଥିବା ଚାଳକଙ୍କୁ ମାଗଣାରେ ହେଲମେଟ ମଧ୍ୟ ପ୍ରଦାନ କରାଯାଇଥିଲା. କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ବିଶ୍ଵରାଜ ବେହେରା, ସହକାରୀ ପରିବହନ ଅଧିକାରୀ ସାଲଖୁ ମୁର୍ମୁ, ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ନେତ୍ରାନନ୍ଦ ମଲ୍ଲିକ, ବାରିପଦା ଉପଜିଲ୍ଲାପାଳ ଈଶ୍ବର ଚନ୍ଦ୍ର ନାୟକ, ବାରିପଦା ପୌରପାଳିକା ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟଙ୍କ ସମେତ ପୋଲିସ ପ୍ରଶାସନ ଓ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ. ଏହି ମାସ ପାଳନ ଅବସରରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି. ଜିଲ୍ଲାର ବିଭିନ୍ନ ବ୍ଲକ ଓ ସବଡ଼ିଭିଜନରେ ସଚେତନତା ର଼୍ୟାଲି ଆୟୋଜନ କରାଯିବା ସହ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ସମ୍ବନ୍ଧୀୟ ୱାଲ ପେଣ୍ଟିଂ ପ୍ରତିଯୋଗିତା, ସଚେତନତା ଶୋଭାଯାତ୍ରା, ଡ୍ରାଇଭରମାନଙ୍କ ନିମନ୍ତେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆଦି ଆୟୋଜନ କରାଯିବ ସଚେତନତା ସହିତ ଏନଫୋର୍ସମେଣ୍ଟ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିବ ବୋଲି ଜଣାଯାଇଛି.