ପନ୍ଦାଡୋ ପଞ୍ଚାୟତରେ ଆବାସ ଯୋଜନାରେ ଘୋଟାଲା
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ୍ ପନ୍ଦାଡୋ ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଜଣେ ହିତାକାରୀଙ୍କୁ ଭିନ୍ନ ଭିନ୍ନ ନାମରେ ଦର୍ଶାଇ ଅନୁଦାନ ହରିଲୁଟ କରାଯାଇଛି। ଏଥିରେ ବ୍ଲକ୍ ଓ ପଞ୍ଚାୟତର କିଛି ଅସାଧୁ କର୍ମଚାରୀ ସାମିଲ ଥିବା ଅଭିଯୋଗ ହୋଇଛି। ଏହି ପଞ୍ଚାୟତକୁ ୨୦୨୨/୨୩ ଆର୍ଥିକ ବର୍ଷରେ ୧୫୦ ରୁ ଉର୍ଦ୍ଧ୍ଵ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇ ଥିଲା। ତନ୍ମଧ୍ୟରୁ କ୍ରମିକନଂ ୭୩ରେ ସରଳାପସି ଗ୍ରାମର ରାମ ମୁଣ୍ଡା ପିତା- ପ୍ରସାନ୍ତ ମୁଣ୍ଡା ଓ କ୍ରିମିକନଂ ୭୪ରେ ସରଳାପସି ଗ୍ରାମର ରାମ ମୁଣ୍ଡା ପିତା – ପ୍ରସନ୍ନ ମୁଣ୍ଡାଙ୍କୁ ଆବାସ ଯୋଜନାରେ ଘର ଦିଆଯାଇ ଥିବା ଉଲ୍ଲେଖ କରାଯାଇଛି। କ୍ରିମିକନଂ ୭୩ରେ ଥିବା ରାମ ମୁଣ୍ଡାଙ୍କ ଆଇ.ଡି ନମ୍ବର ଓ.ଆର ୧୫୪୫୩୬୪୬୧ ହୋଇଥିବା ବେଳେ ହାଟଡିହି ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ଜମା ଖାତା ନମ୍ବର ଉଲ୍ଲେଖ କରାଯାଇଛି। ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ଜମା ଖାତାକୁ ପ୍ରଥମ କିସ୍ତି ୪୦ହଜାର ଓ ପରେ ରୁଫ ଲେବୁଲ ପର୍ଯ୍ୟନ୍ତ ଘର କରିଥିବା ଦର୍ଶାଇ ଦିତୀୟ କିସ୍ତିରେ ୬୫ ହଜାର ପ୍ରଦାନ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ ସେପରି କେହି ବ୍ୟକ୍ତି ସେ ଗାଁରେ ନାହାନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି। ତେଣୁ ଏହି ଭୂତ ବ୍ୟକ୍ତିଙ୍କ ଘର କିପରି ଜିଓଟ୍ୟାଗ ହେଲା । ପୁଣି କାମ ଅନୁସାରେ ଫଟୋ ମଧ୍ୟ ଲଗାଯାଇଛି। ତେଣୁ ସଂପୃକ୍ତ ଫଟୋକାହାର ଓ କିଏ ଲଗାଇଲା ତାକୁ ନେଇ ପ୍ରଶ୍ନ ଉଠିଛି। ଖାଲି ସେତିକି ନୁହେଁ ବ୍ୟାଙ୍କର ଯେଉଁ ଏକାଉଣ୍ଟ ନମ୍ବର ଦିଆଯାଇଛି ତାହା ମାନସ ମହାନ୍ତି ବୋଲି ଜଣେ ବ୍ୟକ୍ତିଙ୍କର ବୋଲି ଜଣା ପଡିଛି। କ୍ରମିକ ନଂ ୭୪ରେ ଥିବା ରାମ ମୁଣ୍ଡା, ପିତା- ପ୍ରସନ୍ନ ମୁଣ୍ଡା ଘରକାମ କରିଥିବା ବେଳେ ତାଙ୍କରି ଫଟୋକୁ ୭୩ ନମ୍ବର ରାମ ମୁଣ୍ଡାଙ୍କ ଫାଇଲରେ ଯୋତାଯାଇ ଅନୁଦାନ ହଡ଼ପ କରାଯାଇଛି। ଖାଲି ଏହି ଗୋଟିଏ ନୁହଁ ଅନେକ ଭୂତ ଲୋକଙ୍କ ନାମରେ ଘର ଉଠାଯାଇଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଅନ୍ୟ ପଞ୍ଚାୟତର ପି.ଇ.ଓ ମାନଙ୍କୁ ୨/୩ ବର୍ଷରେ ବଦଳି କରାଯାଉ ଥିବାବେଳେ.ଏହି ପଞ୍ଚାୟତର ପି.ଇ.ଓଙ୍କୁ ଏଠାରେ ୮ବର୍ଷ ହେଲା ବଦଳି କରା ନଯାଇ ରଖାଯାଇଛି ତାହାକୁ ନେଇ ପ୍ରଶ୍ନ ଉଠୁଛି। ଏ ସମ୍ପର୍କରେ ପନ୍ଦାଡୋ ପଞ୍ଚାୟତର ସରପଞ୍ଚଙ୍କ କହିବା କଥା ଯେ ସେ ଏପରି ହୋଇଥିବା ଶୁଣିବାପରେ ବ୍ଲକ କର୍ତ୍ତୁପକ୍ଷଙ୍କୁ ଏହାର ଅନୁସନ୍ଧାନ କରିବାକୁ କହିଥିଲେ ବି କେହି କର୍ଣ୍ଣପାତ କରିନାହାନ୍ତି ବୋଲି କହିଛନ୍ତି। ସେହିପରି ସଂପୃକ୍ତ ପଞ୍ଚାୟତର ପି.ଇ.ଓ ଉର୍ମିଳା ମୁର୍ମୁଙ୍କୁ ପଚାରିବାରେ ସେ କହିଛନ୍ତିଯେ ମୁଁ ତ କେବଳ ଜଣେ ରାମ ମୁଣ୍ଡାଙ୍କୁ ଘର ଫାଇଲ ଦେଖିଛି ଓ ସେହି ଜଣଙ୍କୁହିଁ ଅନୁଦାନ ଦିଆଯାଇଛି ବୋଲି ସଫେଇ ଦେଇଛନ୍ତି। କିନ୍ତୁ ଦୁଇଟିଯାକ ଫାଇଲରେ ପିଇଓଙ୍କ ସହ ହିତାଧିକାରୀଙ୍କ ଫଟୋ ଲାଗିଛି। ଏ ସମ୍ପର୍କରେ ବିଡି ଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରେ ସେ ଏପରି ଅଭିଯୋଗ ଆଜି ଶୁଣୁଛନ୍ତି, ତଦନ୍ତ କରି ପଦକ୍ଷେପ ନେବାକୁ କହିଛନ୍ତି। ହାଟତିହି ବ୍ଳକରେ ଶହ ଶହ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ଥିବା ବେଳେ ଜଣେ ଭୂତବ୍ୟକ୍ତିଙ୍କ ନାମରେ କିଏ ଓ କିପରି ଆବାସ ଯୋଜନା ରେ ନାମ ସାମିଲ କରି ଅନୁଦାନ ଉଠାଇ ନେଲା ତାହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ଦାବି ହେଉଛି।