ପାଚିଲା ଫସଲକୁ ନଷ୍ଟ କରୁଛନ୍ତି ଆନ୍ଧ୍ର ହାତୀପଲ ତୁରନ୍ତ ପଦକ୍ଷେପ ନିଆନଗଲେ ଆନ୍ଦୋଳନର ଚେତାବନୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ଅଞ୍ଚଳରେ ପଡୋଶୀ ଆନ୍ଧ୍ରପ୍ରଦେଶର ହାତୀ ଉପଦ୍ରଵ ଯୋଗୁଁ ଧାନ ଫସଲ ନଷ୍ଟ ହେବା ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି. ଆଗାମୀ ୫ ତାରିଖ ସୁଦ୍ଧା ଏହି ଆନ୍ଧ୍ରର ହାତୀପଲକୁ ଆନ୍ଧ୍ରକୁ ପଠାଇ ଦିଆନଗଲେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି. ବର୍ତ୍ତମାନ ଧାନ ଫସଲ ଅମଳ ସମୟ। ଏହି ସମୟରେ ଆନ୍ଧ୍ରରୁ ୪ ଟିକିଆ ହାତୀ ପଲ ଆସି କାଶୀନଗର ବ୍ଲକରେ ଧାନ ଫସଲକୁ ଖାଇବା ସହ ଚକଟି ଧାନ ଫସଲକୁ ନଷ୍ଟ କରୁଛନ୍ତି। ଏହି ହାତୀପଲକୁ ଓଡ଼ିଶାରୁ ଆନ୍ଧ୍ରକୁ ଘଉଡ଼ାଇବାକୁ ଦାବି ହୋଇଛି. ସମସ୍ୟାର ସମାଧାନ ନହେଲେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି. ଗଜପତି ଜିଲ୍ଲା କାଶୀନଗର ବ୍ଳକ ଅଞ୍ଚଳରେ ଗତ କିଛି ବର୍ଷ ହେବ କିଛି ହାତୀପଲ ଉପଦ୍ରବ ଚଳାଇଛନ୍ତି। ଧାନ ପାଚିବା ସମୟରେ ଆନ୍ଧ୍ରରୁ ବଂଶଧାରା ନଦୀ ପାରୀ ହୋଇ ଆସି କାଶୀନଗରର ବିଭିନ୍ନ ଗ୍ରାମରେ ଫସଲ ନଷ୍ଟ କରୁଛନ୍ତି। ଅନେକ ସମୟରେ ଜନବସତି ଅଞ୍ଚଳରେ ବୁଲୁଛନ୍ତି। ବନ ବିଭାଗ ହାତୀର ଚଳପ୍ରଚଳ ଉପରେ ନଜର ରଖିଥୁବା କହୁଛି। ହେଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନାହାନ୍ତି. ଯଦ୍ୱାରା ଗତ ୧୫ ଦିନ ମଧ୍ୟରେ କାଶୀନଗର ବ୍ଲକ ଶିଆଳି ପଞ୍ଚାୟତ କର୍ଣିଭଦ୍ରା ଗ୍ରାମରେ ୪ ଟିକିଆ ହାତୀପଲ ଉପଦ୍ରବ ଚଳାଇଛନ୍ତି। ଚାଷୀ ଦିନ ରାତି ପାଳି କରି ହାତୀ ଘଉଡ଼ାଉଛନ୍ତି। ହାତୀ ଘଉଡ଼ାଇବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଚାଷୀମାନେ ଅଭିଯୋଗ କରିଥିଲେ. ମାତ୍ର ଆଜି ପର୍ଯ୍ୟନ୍ତ ଏନେଇ ପଦକ୍ଷେପ ନିଆଯାଇନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ଆଗାମୀ ୫ ତାରିଖ ମଧ୍ୟରେ ହାତୀ ବଂଶଧାରା ସେପାରିକୁ ନଗଲେ ରାସ୍ତାରୋକ କରାଯିବ ବୋଲି ଶିଆଳି ସରପଞ୍ଚ ରାମପ୍ରସାଦ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।