ପିଏସ୍ ଓ ୟୁପିଏସ୍ରେ ମାତୃଭାଷା ଦିବସ ପାଳନର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ?
ଆସିକା, (ୱାଇଏନ୍ଏସ୍):ମାତୃଭାଷା ଶିକ୍ଷା ମାଧ୍ୟମରେ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ ଏବଂ ମାତୃôଭାଷାର ବ୍ୟବହାର ପ୍ରତି ପିଲାମାନଙ୍କୁ ଉତ୍ସାହିତ କରିବା, ସୃôଜନଶୀଳତାର ପରିପ୍ରକାଶ କରିବା ଓ ଏହାର ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ପରାମର୍ଶକ୍ରମେ ସମଗ୍ର ଶିକ୍ଷା ମାଧ୍ୟମରେ ଗତ ୨୧ ତାରିଖରେ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥିଲା ବେଳେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କେତେକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ପାଳନରେ ବ୍ୟତିକ୍ରମ ଘଟିଥିବା ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ନୁଆଁଦିଲ୍ଲୀ ପକ୍ଷରୁ ଏହି ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ପାଇଁ ବିଦ୍ୟାଳୟ ପିଚ୍ଛା ୨ ହଜାର ଟଙ୍କା ଲେଖାଏଁ ଆର୍ଥିକ ଅନୁଦାନ ମଧ୍ୟ ମଂଜୁର କରାଯାଇଥିଲା । ତେବେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩୫ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକ ମଧ୍ୟରେ କେଉଁ ବିଦ୍ୟାଳୟରେ ଏହି ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ହୋଇଛି ତାହାର ସ୍ୱଚ୍ଛତା ନେଇ ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ଶିକ୍ଷାବିଭାଗର ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହୋଇଥିବା ମାତୃଭାଷା ଦିବସ ପାଳନ ଆସିକାର କେତେକ ସରକାରୀ ବିଦ୍ୟାଳୟରେ କେଉଁ ପରିସ୍ଥିତିରେ ପାଳନ କରାଯାଇପାରିଲା ନାହିଁ ସେ ସଂକ୍ରାନ୍ତରେ ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ କହିଲେ ଯେ ଏହି ଘଟଣାର ନିଶ୍ଚିତ ଭାବେ ଏକ ନିରପେକ୍ଷ ତଦନ୍ତ କରାଯିବା ସାଙ୍ଗକୁ ଯଦି କୌଣସି ବିଦ୍ୟାଳୟ ଏହି କାର୍ଯ୍ୟକ୍ରମ ପାଳନ ନକରି କେବଳ ଫଟୋ ଉଠାରେ ସୀମିତ ରଖିଛନ୍ତି ଯଦି ସେ ସଂକ୍ରାନ୍ତରେ ତଥ୍ୟ ହସ୍ତଗତ ହୁଏ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ ଥିବା ବହୁ କର୍ତ୍ତବ୍ୟନିଷ୍ଟ ଶିକ୍ଷକ ନିଜର ଦୈନନ୍ଦିନ ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିଆସୁଥିଲା ବେଳେ ଅନ୍ୟ କେତେକ ହାତଗଣତି ଲଗାମଛଡା ଶିକ୍ଷକ ସରକାରୀ ନୀତି ନିୟମକୁ ଖାତିର୍ ନକରି ନିର୍ଦ୍ଧାରିତ ସମୟରେ ନିଜ ନିଜ ବିଦ୍ୟାଳୟକୁ ମଧ୍ୟ ଯାଉନଥିବା ଅଭିଯୋଗ ହେଉଛି । କେଉଁ ସମୟରେ ଶିକ୍ଷକମାନେ ସ୍କୁଲକୁ ଆସୁଛନ୍ତି ଓ ବିଦ୍ୟାଳୟରେ କେତେ ସମୟ ରହୁଛନ୍ତି, ଦୈନିକ କେତେ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ପାଠ ପଢିବାକୁ ଆସୁଛନ୍ତି ଓ କେତେ ବିଦ୍ୟାର୍ଥୀ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ତାହାର ପ୍ରକୃତ ତଥ୍ୟ ଉନ୍ମୋଚନ କରିବା ପାଇଁ ସିଆର୍ସିସିମାନେ ନିଜ ନିଜ କ୍ଳଷ୍ଟର ଅଧୀନସ୍ଥ ବିଦ୍ୟାଳୟକୁ ଅଚାନକ ଗସ୍ତ କରିବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଧାର୍ଯ୍ୟ କରିଥିବା ସମୟ ନିର୍ଘଣ୍ଟରେ କେତେକ ଶିକ୍ଷକ ବିଦ୍ୟାଳୟରେ ନପହଞ୍ଚି ବିଭିନ୍ନ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟର ବାହାନା ଦେଖାଇ ଅନ୍ୟତ୍ର ଗସ୍ତ କରୁଥିବା ଓ ଅଧିକାଂଶ ସମୟ ବିଇଓ କାର୍ଯ୍ୟାଳୟରେ ଚକ୍କର କାଟୁଥିବା ମଧ୍ୟ ଅଭିଯୋଗ ହେଉଛି । ଓଡିଶା ସରକାରଙ୍କ ପକ୍ଷରୁ ବିଦ୍ୟାଳୟଗୁଡିକୁ ନିରାପତ୍ତା ଅନୁଦାନ, ମଧ୍ୟାହ୍ନ ଭୋଜନ ଅନୁଦାନ, ଖେଳ ସାମଗ୍ରୀ କ୍ରୟ ପାଇଁ ଅନୁଦାନ, ଲାଇବ୍ରେରୀ ବହି କିଣିବା ପାଇଁ ଅନୁଦାନ, ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ଅନୁଦାନ, ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ପାଇଁ ଅନୁଦାନ, ନିପୁଣ ଓଡିଶା ମିଶନ ପାଇଁ ଅନୁଦାନ, ଆତ୍ମସୁରକ୍ଷା ତାଲିମ ପାଇଁ ଅନୁଦାନ ସମେତ ବିଭିନ୍ନ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ବର୍ଷତମାମ ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଆସୁଥିଲେ ମଧ୍ୟ ଅଧିକାଂଶ ବିଦ୍ୟାଳୟରେ ଉକ୍ତ ସରକାରୀ ଅନୁଦାନର ସଦ୍ବିନିଯୋଗ ହେଉନଥିବା ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ଆସୁଥିବା ସରକାରୀ ଅନୁଦାନ ପ୍ରକୃତରେ ସଠିକ୍ ଭାବେ ପୁର୍ଣ୍ଣ ମାତ୍ରାରେ ବିନିଯୋଗ ହୋଇଛି ନା କେବଳ ରସିଦ ଦେଖାଇ ସରକାରୀ ଅର୍ଥର ଦୁରୁପୋଯୋଗ କରାଯାଇଛି ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।