ପିକଅପ – ବାଇକ ମୁହାମୁହିଁ ଧକ୍କା ବାଇକ୍ ଚାଳକ ମୃତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସହର ଉପକଣ୍ଠ ହନୁମାନ ବାଟିକା ନିକଟରେ ଗୁରୁବାର ଅପରାହ୍ନ ପ୍ରାୟ ୧ ଟାରେ ପିକଅପ ଭ୍ଯାନ (ନଂ. ଓଡ଼ି୦୭ ଆର – ୦୧୨୮) ଏକ ବାଇକ (ନଂ. ଓଡ଼ି ୦୭ ଏଡ଼ବ୍ଲ୍ୟୁ -୨୨୨୧) ମୁହାଁମୁହି ଧକ୍କା ଦେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବ୍ରହ୍ମପୁର ସଦରଥାନା ହୁଗୁଳାପଟା ଗ୍ରାମର ସନ୍ତୋଷ କୁମାର ସ୍ବାଇଁ। ସନ୍ତୋଷ ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ବର ଗ୍ରାମରେ ବାହା ହୋଇଥିବା ବେଳେ ସେ କୌଣସି କାମରେ ଶ୍ଵଶୁର ଘରକୁ ଆସିଥିଲେ।ଅପରାହ୍ନ ପ୍ରାୟ ୧ ଟା ରେ ବାଇକ ରେ ନିଜ ଗ୍ରାମକୁ ଫେରୁଥିଲେ । ଏହି ସମୟରେ ବ୍ରହ୍ମପୁରରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ପିକଅପ ଭ୍ଯାନ ବାଇକ କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପୋଲିସ ଟିମ୍ ପହଞ୍ଚି ଗୁରୁତର ଅବସ୍ଥାରେ ସନ୍ତୋଷ ଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା । ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରୁ ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ ଓ ପିକଅପ୍ ଭ୍ୟାନକୁ ଜବତ କରିଛନ୍ତି।ଥାନା ମାମଲା ନଂ.୨୧/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି। ଅପରପକ୍ଷରେ ଦୁର୍ଘଟଣା ପରେ ଭ୍ୟାନ ଚାଳକ ଦିଗପହଣ୍ଡି ଥାନାରେ ଆତ୍ମ ସମର୍ପଣ କରିଥିବା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି ।