ପୁନଶ୍ଚ ଟ୍ରମ୍ପ
ବିଶ୍ୱର ସର୍ବବୃହତ ଗଣତାନ୍ତ୍ରୀକ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ତଥା ରିପ୍ଲବିକାନ ଦଳର ପ୍ରାର୍ଥୀ ଡୋନାଲଡ୍ ଟ୍ରମ୍ପ ପୁନର୍ବାର ହ୍ୱାଇଟ ହାଉସକୁ ଦଖଲ କରିବା ନିଶ୍ଚିତ ଭାବେ ଏକ ଐତିହାସିକ ରାଜନୈତିକ ପ୍ରତ୍ୟାବର୍ତନ ବୋଲି କୁହାଯାଇପାରିବ । କେବଳ ଏତିକି ନୁହେଁ, ରାଷ୍ଟ୍ରପତି ନିର୍ବାଚିତ ଟ୍ରମ୍ପଙ୍କ ବିଜୟ କେବଳ ବିଜୟ ନୁହେଁ, ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି ଯାହାକି ଐତିହାସିକ । ଦୀର୍ଘ ୨୦ବର୍ଷ ପରେ ସେ ଲୋକପ୍ରିୟ ବା ପପୁଲାର ଭୋଟ ପାଇବାକୁ ସକ୍ଷମ ହୋଇଛନ୍ତି । ୨୦୦୪ ମସିହାରେ ଜର୍ଜ ବୁଶ ଲୋକପ୍ରିୟ ଭୋଟ ପାଇ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ । ସେହିପରି ୧୩୨ ବର୍ଷ ପରେ ୪ବର୍ଷର ବ୍ୟବଧାନ ପରେ ସ୍ୱର୍ଗତ ରାଷ୍ଟ୍ରପତି କ୍ଳିଭେଲାଣ୍ଡଙ୍କ ପରେ ହ୍ୱାଇଟ ହାଉସକୁ ପ୍ରବେଶ କରିବାରେ ହେବେ ଦ୍ୱିତୀୟ ରାଷ୍ଟ୍ରପତି । ଆହୁରି ମଧ୍ୟ ହେଉଛନ୍ତି ଦ୍ୱିତୀୟ ଥର ପାଇଁ ପ୍ରଥମ ରାଷ୍ଟ୍ରପତି ଯାହାଙ୍କ ବିରୁଦ୍ଧରେ କଂଗ୍ରେସର ଦୁଇ ଥର ମହାଭିଯୋଗ ପ୍ରସ୍ତାବ ଆସିଥିଲା । ସେହିପରି ସେ ହେଉଛନ୍ତି ଦେଶର ଦ୍ୱିତୀୟ ବୟସ୍କ ରାଷ୍ଟ୍ରପତି ଏବେ ତାଙ୍କର ବୟସ ୭୮ ବର୍ଷ ହୋଇଥିବାବେଳେ ୮୫ ବର୍ଷ ବୟସରେ ଦ୍ୱିତୀୟ କାର୍ଯ୍ୟକାଳ ଶେଷ ହେବ । ଏହା ବ୍ୟତୀତ ଆମେରିକାର ଆଇନ ଅନୁଯାୟୀ ତାଙ୍କ ବିରୁଦ୍ଧରେ ୩୨ଟି ଅପରାଧିକ ମାମଲା ରହିଥିବା ବେଳେ କେତେକ ମାମଲାରେ ଦୋଷୀ ସାବ୍ୟସ୍ତ ମଧ୍ୟ ହୋଇଛନ୍ତି । ରାଷ୍ଟ୍ରପତି ପଦବୀରେ ଥାଇ ଥରେ ନିର୍ବାଚନରେ ପରାଜିତ ହୋଇ ଯେଉଁ ଅନନ୍ୟ ସଫଳତା ହାସଲ କରିଛନ୍ତି, ତାହା ସମୃଦ୍ଧ ଏବଂ ଶକ୍ତିଶାଳୀ ଆମେରିକାର ରାଜନୈତିକ ଇତିହାସରେ ବିରଳ । ତେଣୁ ତାଙ୍କର ବିଜୟ ଐତିହାସିକ । ଉଲ୍ଳେଖଯୋଗ୍ୟ ଯେ, ଟ୍ରମ୍ପଙ୍କ ପ୍ରଥମ ଥର ରାଷ୍ଟ୍ରପତି କାର୍ଯ୍ୟକାଳରେ ତାଙ୍କୁ ବହୁ ବିବାଦ ଘେରି ରହିଥିବା ଏବଂ ପୂର୍ବ ନିର୍ବାଚନରେ ପରାଜିତ ହୋଇଥିବାବେଳେ ଆମେରିକାରେ ଅତ୍ୟଧିକ ମୁଦ୍ରାସ୍ଫୀତି, ଅତ୍ୟାବଶ୍ୟକୀୟ ସାମଗ୍ରୀର ଆକାଶଛୁଆଁ ମୂଲ୍ୟ ବୃଦ୍ଧି ଯୋଗୁଁ ଜୀବନ ଧାରଣର ବ୍ୟୟ ବୃଦ୍ଧି ଏବଂ ଦେଶରେ ବେଆଇନ ଭାବେ ଅବାଧରେ ଅନୁପ୍ରବେଶକାରୀଙ୍କ ପ୍ରବେଶ ଯୋଗୁଁ ରାଷ୍ଟ୍ରପତି ଜେ.ବାଇଡେନଙ୍କ ପ୍ରଶାସନ ବିରୁଦ୍ଧରେ ପ୍ରବଳ ଜନ ଅସନ୍ତୋଷ ଟ୍ରମ୍ପଙ୍କ ବିଜୟକୁ ଏକପ୍ରକାର ସୁନିଶ୍ଚିତ କରିଦେଇଥିଲା ବୋଲି କହିଲେ ଅତ୍ୟୁକ୍ତି ହୋଇନପାରେ । ଆହୁରି ମଧ୍ୟ ଗ୍ରାମାଚଂଳ, ସ୍ୱଳ୍ପ-ଆୟକାରୀଙ୍କ ନିମ୍ନବର୍ଗରଙ୍କ ଭୋଟଦାତାଙ୍କ ବିକାଶ ଉପରେ ଟ୍ରମ୍ପଙ୍କ ପ୍ରଚାର କେନ୍ଦ୍ରୀଭୂତ ଥିବାବେଳେ ଅର୍ଥନୀତିରେ ସ୍ଥିରତା, ମୁଦ୍ରାସ୍ଫିତୀ ନିୟନ୍ତ୍ରଣ ଏବଂ ଆମେରିକାର ବଡପଣିଆ ପ୍ରତିଶୃତି ଦ୍ୱାରା ଯେଉଁମାନେ ଅର୍ଥନୈତିକ ଅସ୍ଥିରତାରେ କ୍ଷତିଗ୍ରସ୍ତ ହୋଇଛନ୍ତି, ସେମାନଙ୍କ ହୃଦୟକୁ ସ୍ପର୍ଶ କରିଥିଲା । ସେହିପରି ଆମେରିକାରେ ପ୍ରଚଳିତ ନୀତିରେ ପରିବର୍ତନ, ଆର୍ଥୀକ ସଂସ୍କାର ସମେତ ପ୍ରସ୍ତାବିତ କର୍ପୋରେଟ ଟିକସ ହ୍ରାସ ପାଇଁ ମଧ୍ୟ ପ୍ରତିଶ୍ରୃତି ଦେଇଛନ୍ତି । ବିଜୟୀ ହେବା ପରେ ଟ୍ରମ୍ପ ଦେଇଥିବା ପ୍ରଥମ ସମ୍ଭାଷଣରେ ଯାହା କହିଛନ୍ତି ତାହା ପ୍ରଣିଧାନ ଯୋଗ୍ୟ । ସେ ୭ଟି ପ୍ରସଙ୍ଗକୁ ଅଗ୍ରାଧିକାର ଦେଇଛନ୍ତି, ଯେଉଁଥିରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧ ବନ୍ଦ, ଆମେରିକାରେ ବେଆଇନ ଭାବେ ବାସ କରୁଥିବା ଶରଣାର୍ଥୀଙ୍କୁ ବହିଷ୍କାର, ଜୀବାଂଶ ଇନ୍ଧନ ଉତ୍ପାଦନ ଉପରେ ଅଗ୍ରାଧିକାର, ଗର୍ଭପାତ ଆଇନ ପ୍ରଣୟନ ନକରିବା, ବିଦେଶରୁ ଆମଦାନୀ ସାମଗ୍ରୀ ଉପରେ ୧୦ପ୍ରତିଶତ ଟିକସ ବୃଦ୍ଧି, ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଟିକସ ହ୍ରାସ, କ୍ୟାପିଟାଲ ଦଙ୍ଗାରେ ଅଭିଯୁକ୍ତଙ୍କୁ ରାଜକ୍ଷମା ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ତେବେ ତାଙ୍କ ପ୍ରଥମ ସମ୍ଭାଭାଷଣରେ ଇସ୍ରାଏଲ-ହମାସ ଯୁଦ୍ଧ ବନ୍ଦ ଲାଗି ପ୍ରୟାସ କରିବା ପାଇଁ ଘୋଷଣା କରିଥିବାବେଳେ ରୁଷ-ଯୁକ୍ରେନ ଯୁଦ୍ଧ ସମ୍ପର୍କରେ କିଛି କରିନାହାଁନ୍ତି । ସମ୍ଭାବତଃ ୟୁକ୍ରେନକୁ ଆମେରିକା ସହାୟତା ଜାରି ରଖିବା ସଂକେତ ପ୍ରଦାନ କରେ । ଏହା ନିସନ୍ଦେହ ଯେ, ସିନେଟ ଏବଂ କଂଗ୍ରେସ ଏବେ ରିପ୍ଲବିକାନଙ୍କ ନିୟନ୍ତ୍ରଣରେ ଥିବାରୁ ତାଙ୍କର ଦ୍ୱିତୀୟ ପାଳିରେ କୌଣସି ନିଷ୍ପତି କାର୍ଯ୍ୟକାରିତାରେ ପ୍ରତିବନ୍ଧକ ଉପୁଜି ନପାରେ । ଦ୍ୱିତୀୟ ଥର ପାଇଁ ଟ୍ରମ୍ପ ଆସନ୍ତା ଜାନୁୟାରୀ ୨୦ତାରିଖରେ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବାରୁ ସମଗ୍ର ବିଶ୍ୱର ନଜର ଏବେ ତାଙ୍କ ଉପରେ ନିବଦ୍ଧ ରହିଛି । ତାଙ୍କର ବୈଦେଶିକ ଓ ରାଜନୈତିକ ନିଷ୍ପତି ଉପରେ ଏବେ ବିଶ୍ୱ ନେତୃବର୍ଗ ସତର୍କ ନଜର ରଖିବା ସ୍ୱାଭାବିକ । କାରଣ ଉଭୟ ସିନେଟ ଓ କଂଗ୍ରେସରେ ରିପ୍ଳବିକାନ ଦଳ ସଂଖ୍ୟାଗରିଷ୍ଠ ଥିବାରୁ ତାଙ୍କର ଘରୋଇ ରାଜନୈତିକ ଓ ବୈଦେଶିକ ନୀତି ବେଲଗାମ ହୋଇଯିବା ଆଶଙ୍କାକୁ ଅଣଦେଖା କରାଯାଇନପାରେ । ମୋଟାମୋଟି ଭାବେ ଟ୍ରମ୍ପଙ୍କ ପ୍ରତ୍ୟାବର୍ତନ ସମଗ୍ର ବିଶ୍ୱ ରାଜନୀତି, କୁଟନୀତି ଓ ଅର୍ଥନୀତିକୁ ପ୍ରଭାବିତ କରିବା ଆଶଙ୍କାକୁ ମଧ୍ୟ ଏଡାଇ ଦେଇ ହେଉନାହିଁ, ଯାହାକି ତାଙ୍କ ପ୍ରଥମ ପାଳି ଶାସନରେ ପ୍ରତିଫଳିତ ହୋଇଥିଲା । ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଓ ସରକାର ମୁଖ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିନନ୍ଦନ ବାର୍ତାରେ ଟ୍ରମ୍ପଙ୍କୁ ବନ୍ଧୁଭାବେ ସମ୍ବୋଧନ କରିବା ସହ ଭାରତ-ଆମେରିକାର ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ନିବିଡ ହେବା ନେଇ ଦୃଢ ଆଶା ପୋଷଣ କରିଛନ୍ତି । ଏହା ନିସନ୍ଦେହ ଯେ, ଟ୍ରମ୍ପଙ୍କ ବିଜୟ ଭାରତ ପାଇଁ ଅନେକ ଗୁରୁତ୍ୱ ବହନ କରେ । ଟ୍ରମ୍ପ ମୋଦୀଙ୍କ ବନ୍ଧୁତ୍ୱ କାହାରିକୁ ଅଛପା ନାହିଁ । ତେବେ ଦ୍ୱିତୀୟ ପାଳିରେ ଭାରତ ପରି ଟ୍ରମ୍ପଙ୍କ ଆଭିମୁଖ୍ୟ କିପରି ରହିବ, ତାହା ଭବିଷ୍ୟତ ହିଁ କହିବ । ସେହିପରି ସମଗ୍ର ବିଶ୍ୱ ଏବେ ଅଶାନ୍ତି, ଯୁଦ୍ଧ ବିଭିଷିକା, ଅର୍ଥନୈତିକ ଅସ୍ଥିରତା ଏବଂ ପ୍ରାକୃତିକ କୋପ ମଧ୍ୟରେ ଗତି କରୁଥିବାବେଳେ ଏବେ ଟ୍ରମ୍ପଙ୍କ ଆଭିମୁଖ୍ୟକୁ ବିଶ୍ୱବାସୀ ଅପେକ୍ଷା କରିଛନ୍ତି । ଟ୍ରମ୍ପଙ୍କ ଦ୍ୱିତୀୟ ପାଳି ବିଶ୍ୱ ପାଇଁ ମଙ୍ଗଳମୟ ହେଉ ଏହା ଆଶା କରିବା ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,