ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ପ୍ରଥମଥର ପାଇଁ ଆରମ୍ଭ ହେଲା ଇକୋ ଟୁରିଜିମ ସୁବିଧା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପର୍ଯ୍ୟଟକ ତଥା ଲୋକଙ୍କ ଦୀର୍ଘ ବର୍ଷର ଦାବି ଓ ଆବଶ୍ୟକତା ପୂରଣ ହେଲା. ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ପ୍ରଥମ କରି ପର୍ଯ୍ୟଟକମାନଙ୍କ ସୁବିଧା ଓ ସେଠାରେ ରହିବା ପାଇଁ ଇକୋ ଟୁରିଜିମର ଶୁଭାରମ୍ଭ କରାଯାଇଛି. ସୂଚନାଯୋଗ୍ୟଯେ, ଓଡ଼ିଶାର ହିମାଳୟ ଭାବେ ପରିଚିତ ତଥା ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଭାରତର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଅଟେ. ସମୁଦ୍ର ପତ୍ତନ ଠାରୁ ପ୍ରାୟ 5 ହଜାରରୁ ଉର୍ଦ୍ଧ ପୁଟ ଉଚ୍ଚରେ ଅବସ୍ତିତ ମହେନ୍ଦ୍ରଗିରି ଗଜପତି ଜିଲ୍ଲାରେ ରହିଛି. ଏଠାକୁ ପ୍ରତେକ ଦିନ ବହୁ ପର୍ଯ୍ୟଟକ ଆସିଥାନ୍ତି. ପର୍ଯ୍ୟଟକମାନେ ଏଠାକୁ ଆସନ୍ତି କିନ୍ତୁ ରହିବା ପାଇଁ ସେପରି କୌଣସି ସୁବିଧା ନ ଥିବାରୁ ଫେରି ଚାଲିଯାନ୍ତି. ବର୍ତ୍ତମାନ ମହେନ୍ଦ୍ରଗିରି ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଶୁଭ ସମୟ ଆସିଯାଇଛି. ବନ ବିଭାଗ ତରଫରୁ ମହେନ୍ଦ୍ରଗିରି ଠାରେ ଗତକାଲି ଠାରୁ ଇକୋଟୁରିଜିମ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି. ଏହି ବ୍ୟବସ୍ଥା ଅନୁଯାୟୀ ମହେନ୍ଦ୍ରଗିରିରେ ପର୍ଯ୍ୟଟକମାନେ ରହିବା ପାଇଁ ଅତ୍ୟାଧୁନିକ କଟେଜ ଓ ଡରମିଣ୍ଟର ବ୍ୟବସ୍ତା କରାଯାଇଛି ବୋଲି ପାରଳାଖେମୁଣ୍ଡି ଡିଏଫଓ ଏସ. ଆନନ୍ଦ ସୂଚନା ପ୍ରଦାନ କରି କହିଛନ୍ତି ଯେ କଟେଜର ମୂଲ୍ୟ 4 ହଜାର 3 ଶହ ଟଙ୍କା ନିର୍ଧାରଣ କରାଯାଇଛି. ପ୍ରତେକ ପର୍ଯ୍ୟଟକ ଓଏଫଡିସି ଇକୋଟୁରିଜିମ ୱେବ ସାଇଟରେ ଏହି କଟେଜ ଗୁଡିକୁ ବୁକିଂ କରି ସମସ୍ତ ସୁବିଧା ପାଇପାରିବେ. କଟେଜରେ ନିରାମିଷ ଜଳଖିଆ ଓ ଭୋଜନ ବିନା ମୂଲ୍ୟରେ ପ୍ରଦାନ କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି.