ପୁରୁଣା ସ୍ମୃତିକୁ ସାଉଁଟିଲେ ବାଲ୍ୟବନ୍ଧୁ ଆସିକା ହରିହର ହାଇସ୍କୁଲର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ହରିହର ହାଇସ୍କୁଲର ୧୯୮୪ବ୍ୟାଚର ବହୁ ବାଲ୍ୟ ବନ୍ଧୁ ରବିବାର ସୋରଡା ନିକଟସ୍ଥ ଅଧୀଷ୍ଟାତ୍ରୀ ଦେବୀ ମା ଖୁଣ୍ଟେଶ୍ୱରୀଙ୍କ ମନ୍ଦିର ପରିସରରେ ମିଳିତ ହୋଇ ସେମାନଙ୍କର ପୁରୁଣା ସ୍ମୃତିକୁ ସାଉଁଟିଥିବା ଲକ୍ଷ୍ୟ କରାଯାଇଛି । ଆସିକା ହରିହର ହାଇସ୍କୁଲରେ ୧୯୮୪ ମସିହାରେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର ମନୋଜ କୁମାର ଦାଶ, ଆର୍‍.ଶଙ୍କର ଆଚାରୀ, ରାଜ୍‍ କୁମାର ପାତ୍ର, ଅଜିତ୍‍ କୁମାର ଦାଶ, ସୁଶାନ୍ତ କୁମାର ସାହୁ, ଏଲ୍‍.ଦୁର୍ଗାପ୍ରସାଦ ଆଚାରୀ, ଦିଲୀପ କୁମାର ମହାନ୍ତି, କେ.ମୁରଲି ନାଉଡୁ, ରାଜେନ୍ଦ୍ର କୁମାର ସାହୁ, ଏମ୍‍.କେଦାର ଆଚାରୀ, ପ୍ରଭାକର ଆଚାରୀ, ନରସିଂହ ଦାଶ, ରବି ଗୁପ୍ତା, କୋକୋ ମହାରଣା, କେ.ରାଜେଶ୍ୱର ଆଚାରୀ, ସୁରେଶ କୁମାର ପାତ୍ର, ବୁଲୁ ଭୂୟାଁ, କେ.ଦାତ୍ତାତ୍ରେୟ ଆଚାରୀଙ୍କ ସମେତ ବହୁ ବାଲ୍ୟବନ୍ଧୁ ଏକଜୁଟ ହୋଇ ସେମାନଙ୍କର ପିଲାଦିନର ସ୍ମୃତି ସାଉଁଟିବା ସହ ଆଗାମୀ ଦିନରେ ସବୁ ସମୟରେ ଏକଜୁଟ ହୋଇ ସମାଜ ସେବା କରିବା ଲାଗି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଦୀର୍ଘ ୪୦ବର୍ଷ ପରେ ଆସିକାର ଅତି ପୁରାତନ ହରିହର ହାଇସ୍କୁଲର ୧୯୮୪ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ମାନେ ଏକଜୁଟ ହୋଇଥିବା ଯୋଗୁଁ ଖୁସିରେ ବିଭୋର ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଅଞ୍ଚଳର ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଆସିକା ହରିହର ହାଇସ୍କୁଲକୁ ଇତି ମଧ୍ୟରେ ୧୦୦ବର୍ଷ ପୁରି ଯାଇଥିଲା ବେଳେ ବହୁ ଛାତ୍ର ଛାତ୍ରୀ ଭଲ ପାଠପଢି ବିରଳ କୃତିତ୍ୱର ଅଧିକାରୀ ହୋଇପାରିଥିଲା ବେଳେ ଗୋଟିଏ ଛାତ ତଳେ ୧୯୮୪ ବ୍ୟାଚର ବିଦ୍ୟାର୍ଥୀଙ୍କ ମହାମିଳନ ହୋଇଥିବା ଦେଖିବାକୁ ମିଳିଥିଲା । ହରିହର ହାଇସ୍କୁଲରେ ଶିକ୍ଷାଜୀବନ କଟାଇଥିବା ଛାତ୍ର ମାନେ ପୁରୁଣା ଦିନର ସ୍ମୃତିକୁ ସାଉଁଟିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ୧୯୮୪ ବ୍ୟାଚର ପୁରାତନ ଛାତ୍ରମାନେ ସେମାନଙ୍କର ପରଲୋକାଗତ କେତେକ ବନ୍ଧୁ ଓ ଶିକ୍ଷକଙ୍କ ବିୟୋଗରେ ନିରବ ପ୍ରାର୍ଥନା କରିଥିବା ବେଳେ ସେହି ବ୍ୟାଚ୍‌ର ଛାତ୍ରଛାତ୍ରୀ ମାନେ ଯିଏ ଯେଉଁ ସ୍ତରରେ ଥିଲେ ବି ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବା ସହ ଅସୁବିଧାରେ ପଡିଥିବା ସହପାଠୀଙ୍କୁ ମିଳିତ ଭାବେ ସହଯୋଗର ହାତବଢାଇବାକୁ ଆଲୋଚନା କରାଯାଇଥିଲା । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଟିତ ଥିବା ୧୯୮୪ ବ୍ୟାଚ୍‌ର ବାଲ୍ୟବନ୍ଧୁ ମାନେ ନିଜନିଜର ପାରିବାରିକ ସ୍ଥିତି, କର୍ମକ୍ଷେତ୍ରର ଅନୁଭୁତି ବଖାଣିବା ସାଙ୍ଗକୁ ଏହି ପୁରାତନ ଶିକ୍ଷାନୁଷ୍ଟାନର ସର୍ବାଙ୍ଗୀନ ଉନ୍ନତି ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ