ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟସ୍ତରୀୟ କନ୍ଭେନସନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାରେ ପ୍ରାଥମିକ ଶିକ୍ଷା ଅତ୍ୟନ୍ତ ଦୁର୍ଦ୍ଦିନରେ ଚାଲିଛି । ଗୋଟିଏ ପଟେ ସରକାର ଖାଲିଥିବା ପଦରେ ନିୟମିତ ଶିକ୍ଷକ ନିଯୁକ୍ତି ନ କରି ଚୁକ୍ତିରେ ସ୍ମିକାଟିକ ଶିକ୍ଷକମାନଙ୍କୁ ନିଯୁକ୍ତି କରି ଉଚ୍ଚ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଶୋଷଣ କରୁଛନ୍ତି । ବହୁଦିନ ଧରି ପ୍ରାଥମିକ ଶିକ୍ଷକମାନେ ସେମାନଙ୍କର ନ୍ୟାୟୋଚିତ ଦାବି କରି ଆସୁଥିଲେ ମଧ୍ୟ ପ୍ରାଥମିକ ଶିକ୍ଷାରୁ ଚୁକ୍ତି ନିଯୁକ୍ତି ଉଠୁନାହିଁ । ସେମାନଙ୍କର ୬ ବର୍ଷର ଚୁକ୍ତି କାର୍ଯ୍ୟକାଳକୁ ନୋସନାଲ ଇନ୍କ୍ରିମେଣ୍ଟ ଦେଇ ଗଣନା କରାଯାଉ ନାହିଁ । ଅନ୍ୟ ରାଜ୍ୟ ଭଳି ସେମାନଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ଦିଆଯାଉ ନାହିଁ । ସେମାନଙ୍କୁ ପୂର୍ଣ୍ଣ ଚାକିରି ସର୍ତ୍ତାବଳୀ ଓ ପେନସନ ବ୍ୟବସ୍ଥାକୁ ପୁନଃ ପ୍ରଚଳନ କରାଯାଉ ନାହିଁ କିମ୍ବା ସେମାନଙ୍କୁ ବହୁଦିନ ଧରି ପଦୋନ୍ନତି ଦିଆଯାଉ ନାହିଁ । ଯାହାଦ୍ୱାରା ପ୍ରାଥମିକ ଶିକ୍ଷକମାନଙ୍କ ମନରେ ଅସନ୍ତୋଷର ବାତାବରଣ ଖେଳିଯାଇଛି । ଗୋଟିଏ ପଟେ ଶିକ୍ଷକମାନଙ୍କ ଦାବିଗୁଡ଼ିକୁ ପୂରଣ ନକରି ରାଜ୍ୟ ସରକାର ଜାତୀୟ ଶିକ୍ଷାନୀତି ଲାଗୁ କରିବାକୁ ବସିଛନ୍ତି ।ଜାତୀୟ ଶିକ୍ଷାନୀତି ଲାଗୁ କରିବା ପୂର୍ବରୁ କୌଣସି ଶିକ୍ଷକ ବା ଛାତ୍ର ସଂଗଠନ ସହିତ ଆଲୋଚନା କରିନାହାଁନ୍ତି । ବାଲ ବଟିକା ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ କରିବା ପାଇଁ ଶିକ୍ଷକମାନଙ୍କୁ ତାଲିମ ଦିଆଯାଉଛି । ଏବେ ବି ଓଡ଼ିଶାର ବହୁ ବିଦ୍ୟାଳୟ ଅଛି, ଯେଉଁଠି ଗୋଟିଏ କକ୍ଷରେ ୫ଟି ଶ୍ରେଣୀର ପାଠପଢା ହେଉଛି । ପ୍ରାଥମିକ ବିଦ୍ୟାଳୟରେ କୌଣସି ଭିତ୍ତିଭୂମିର ବିକାଶ କରାଯାଉ ନାହିଁ । ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିଲାବେଳେ ବାଲବାଟିକା ଆରମ୍ଭ କରି ଶିକ୍ଷକମାନଙ୍କୁ ଅଧିକ ଚାପଗ୍ରସ୍ତ କରାଯାଉଛି । ୨୦୧୦ ମସିହାରେ ଶିକ୍ଷା ଅଧିକାର ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ ନକରି ଜାତୀୟ ଶିକ୍ଷାନୀତିକୁ ଲାଗୁ କରୁଛନ୍ତି । ତେଣୁ ପ୍ରଥମେ ଭିତ୍ତିଭୂମିର ବିକାଶ କରାଯାଉ, ଅଧିକ ନିୟମିତ ଶିକ୍ଷକ ନିଯୁକ୍ତି କରି ଜାତୀୟ ଶିକ୍ଷାନୀତି ଲାଗୁ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।ରବିବାର ଓଡ଼ିଶା ପ୍ରଶାସନିକ ସେବା ସଂଘ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ କନ୍ଭେନସନରେ ପ୍ରାଥମିକ ଶିକ୍ଷକମାନଙ୍କ ବିଭିନ୍ନ ଦାବିଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ନିବେଦନ କରାଯାଇଛି । ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ ନିଯୁକ୍ତି ବାତିଲ୍, ଶିକ୍ଷକମାନଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ୬ ବର୍ଷର ଚୁକ୍ତି କାର୍ଯ୍ୟକାଳକୁ ନୋସନାଲ ଇନ୍କ୍ରିମେଣ୍ଟ ଦେଇମ ମୂଳ ଚାକିରିରେ ଗଣନା କରିବା, ପଦୋନ୍ନତି ଓ ପୁରୁଣା ପେନସନ ଲାଗୁ ନକଲେ ଆଗାମୀ ଦିନରେ ବିଧାୟକଙ୍କ ବାସଭବନ ଘେରାଉ କରାଯିବା ସହ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସହୁ କହିଛନ୍ତି । ଏହି କନ୍ଭେନସନରେ ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଫେସର ସୁରେନ୍ଦ୍ର କୁମାର ଜେନା, ଉପଦେଷ୍ଟା ଗଜେନ୍ଦ୍ର ମାଝୀ, କାର୍ଯ୍ୟକାରୀ ସଭାପତି ଅଗାଧୁ ସେଠୀ, ବାମନ ବାରିକ, କୃଷ୍ଣଚନ୍ଦ୍ର ବେହେରା, ଟୁଲୁ ଦେଇ, ଜନ୍ମେଜୟ ମାଝୀଙ୍କ ସମେତ ରାଜ୍ୟର ବିିଭିନ୍ନ ବ୍ଲକରୁ ୨୫୦ରୁ ଉର୍ଦ୍ଧ୍ୱ ନେତୃତ୍ୱ ଯୋଗ ଦେଇଥିଲେ ।