ଫୁଲ
ତିନି ତିନିଟା କନ୍ୟା ସନ୍ତାନଙ୍କୁ ପରକୁ ପର ତା କୋଳରୁ ଛଡ଼ାଇ ନେବା ପରେ ଏଇ ଚତୁର୍ଥ କନ୍ୟା ସନ୍ତାନକୁ ଜାବୁଡି ଧରି ଫୁଲ କାନ୍ଦୁଥିଲା କଇଁ କଇଁ. ନରରାକ୍ଷାସ ପାଲଟି ଥିବା ତିନି ଝିଅ ଛୁଆଙ୍କ ବାପା ଅନାମକୁ କେତେ ନେହୁରା ହେଉଥିଲା ଫୁଲ. ଝିଅ ଘରର ଲଷ୍ମୀ. ପୁଅ ଯେମିତି ବାପା କାନ୍ଧକୁ କାନ୍ଧ ମିଶାଇବ ଝିଅଟିଏ ସେମିତି ମାଆ କାନ୍ଧକୁ କାନ୍ଧ ମିଶାଇବା ସଙ୍ଗେ ପରିବାରର ସାହାରା ହେବ. କେତେ କଷ୍ଟ ସହି ଦଶ ମାସ ଦଶ ଦିନ ପେଟରେ ରଖି ଜନ୍ମ ଦେଇଛି ଟିକେ ବୁକୁଭରି ଛାତିରେ ଜଡ଼ାଇ ରଖିବା ପୂର୍ବରୁ ବାପା ହୋଇ ଜଲ୍ହାଦ ସାଜିବାକୁ ହାତ ଯାଉଛି କେମିତି? ଯାହା ହେବାର ହେଲାଣି. ତିନିଥରରେ ଧର୍ମଛାଡ. ଏଥରକ ଅନ୍ତତଃ ସୁନାନାକୀ ଚମ୍ପାଗୋରୀ ଚତୁର୍ଥ ସନ୍ତାନଟିକୁ କୋଳରେ ଧରି ଛାତି ଚିରି ବହିଆସୁଥିବା ଗଙ୍ଗା ଯମୁନା ପରି ଅମୃତ ଧାର ଟିକେ ତା ପାଟିରେ ଦେବାକୁ ଥରେ ମତେ ସୁଯୋଗ ଦେ ଅନାମ. ତୋ ଗୋଡ଼ ଧରୁଛି. ଶୁଣିଲାନି ଅନାମ. ଝିଙ୍କି ନେଲା ମାଆ କୋଳରୁ ଗୁଲୁଗୁଲିଆ ଚମ୍ପାକଢି ପରି ସଦ୍ୟ ଜାତ ଟିକି ଝିଅଟାକୁ.ଫୁଲ ସବୁଥର ପରି ବୁକୁ ଫଟେଇ କାନ୍ଦୁଥିଲା.
ଅନାମ ସବୁଥର ପରି କିଆବାଡରେ କି ସିଜୁ ବୁଦା ମୂଳେ ଅବା ପୋଖରୀରେ ଫିଙ୍ଗି ଦେଇ ଆସି ଗାଧୁଆ ପାଧୁଆ କରି କହେ ମାଆ ଲୋ ମାଆ ମତେ କ୍ଷମା କର ମାଆ, ଏଥର କିନ୍ତୁ ହସ ଉକୁଟୁଥିଲା ଅନାମ ଓଠରୁ. କହିଲା ଜାଣିଛୁ ଫୁଲ ତୁ ସତ କହୁଥିଲୁ ଲୋ ଝିଅଟା ଆମର ଭାରି ଲଷ୍ମୀମନ୍ତ. ଜନ୍ମ ହେଉ ହେଉ ମରିବାକୁ ନଯାଇ ପଇସା ଖଣିରେ ପଡିଲା ଲୋ. ସବୁ ଦୁଃଖ ଗଲା ଆମର. ମୋ ଆଖି ଛୁଉଁଛି ତୋ ମୁଣ୍ଡ ଛୁଉଁଛି ଝିଅଟା ପୁରା କପାଳିଆ. ମୁଁ ବୁଦାମୂଳେ ଶୁଆଇ ଦେଉ ଦେଉ ଆମ ଗାଁ ସରପଞ୍ଚ ପରା ଉଠେଇ ନେଲା. ଭୋଟ ବେଳ. ଭଲ ଦି ପଇସା ନଦେଲେ ସବୁ ପୋଲ ଖୋଲିଦେବିନି ତାର. ହୁଁ ମୋ ନାମ ଅନାମ ଟି! ଫୁଲ କିନ୍ତୁ କାନ୍ଦୁଥିଲା ସୁଉଁ ସୁଉଁ ହୋଇ. ଥନରୁ ଗଡିଯାଉଥିଲା ଅମାନିଆଁ ଅମୃତ ଧାର.ମାତୃତ୍ୱ ବିଳାପ କରୁଥିଲା ଫୁଲର ତ ଅନାମ ଜଡ଼ାଇ ଧରି ଫୁଲକୁ କହୁଥିଲା କାନ୍ଦନା ଲୋ ଏଥର ଲଷ୍ମୀ ପାଇଁ ଆମ ଦୁଃଖ ଗଲା. ଏଣିକି ଖାଲି ସୁଖ ଆଉ ସୁଖ. ସୁଖର ଶେଜରେ ଶୋଇ ତୁ ଏଥର ପୁଅ ଜନ୍ମ କରି ଭାଗ୍ୟବତୀ ହେବୁ ଲୋ ଫୁଲ.
ସତକୁ ସତ ଫୁଲ ଏବେ କସ୍ତା ଶାଢ଼ୀ ଛାଡ଼ି ଫୁଲପକା ଶାଢ଼ୀ ପିନ୍ଧୁଥିଲା. ଚଟାଣରେ ନଶୋଇ ଖଟ ଗଦିରେ ଶୋଉଥିଲା. କାନରେ ଝୁମୁକା ଓ ନାକରେ ବସଣୀ ନାଇ ଫୁଲ ପରି ସତେଜ ଦିଶୁଥିଲା ଅନାମ ଆଖିକୁ ସିନା ଭିତରେ ଭିତରେ ମଉଳି ଯାଇଥିଲା ଫୁଲ. ଅଳି କରୁଥିଲା ମତେ ଥରେ ସରପଞ୍ଚଙ୍କ ଘରକୁ ନେଇଚାଲ, ମୋ ଝିଅକୁ ଦୂରରୁ ଟିକେ ଚାହିଁଦେଇ ଆସନ୍ତି. ଅନାମ କହେ ଆଲୋ ଏବେ ଆମ ଝିଅ ସରପଞ୍ଚଙ୍କ ଝିଅ ରୂପେ ଆଦର ଯତ୍ନ ସମ୍ମାନ ପାଇ ବଞ୍ଚିବା ସହ ସରପଞ୍ଚଙ୍କ ପାଖରୁ ତାଙ୍କରି ହାତରୁ କିପରି ତା ବାପ ଅନାମ ପଇସା ଗଣି ଗଣି ଥକିଯିବ ସେହି ରାସ୍ତା ଖୋଲିଦେଇଛି. ତୁ ଯାଇ ଝିଅକୁ ଦେଖିଲେ ସରପଞ୍ଚ ବାବୁ ଘାବରେଇଯିବେ. କଥାଟା ତାଙ୍କ ମୋ ଭିତରେ ସୀମିତ ନରହି ଯେତେବେଳେ କେତେବେଳେ ବିରୋଧୀ କାନକୁ ନଯିବ କିଏ କହିବ ଭାବି ମୋ ରୋଜଗାର ବନ୍ଦ କରିଦେବେ. ରହ ଥୟ ଧର ଇଲେକ୍ସନ ଯାଉ ଦେଖିବା.
ଦୁଇ ଦିନ ହେଲା ଅନାମ ମଦ ପେଟେ ପିଇ ମୁର୍ଦ୍ଦାର ପରି ପଡିଛି. ବିଳିବିଳେଇ କହୁଛି ସବୁ ସରିଗଲା ଲୋ ଫୁଲ. ସରପଞ୍ଚ ବାବୁ ଭୋଟରେ ହାରି ଗଲା. ଭୋଟ ଗଲା ତ ନୋଟ ଗଲା. ଏଥର ଯେମିତି ହେଲେ ଆମ ଲଷ୍ମୀକୁ ସେଠାରୁ ଉଦ୍ଧାର କରି ଆଣି ତାକୁ ପଙ୍ଗୁ କରି ରାଜରାସ୍ତାରେ ଥୋଇଦେଲେ ଆମ ଝିଅ ପରା କେଇଟା ଦିନରେ ଆମକୁ କୋଟିପତି କରିଦେବ. ଚମକି ପଡିଲା ଫୁଲ. ଅନାମକୁ ବିଶ୍ୱାସ ନାହିଁ. ରାତିରେ ନିଦ ହେଉନଥିଲା ଫୁଲକୁ, ଦିନରେ ଭୋକ ଶୋଷ ଵି ଲାଗୁନଥିଲା. କେବଳ ଗୋଟିଏ ଚିନ୍ତା ଝିଅକୁ ଦେଖିବ ଓ ଚୋରେଇ ନେଇ ଟ୍ରେନ କି ବସରେ ଚଢି ଆଖି ପାଇବା ଯାଏଁ ଦୂରକୁ ପଳେଇବ. ଗୋଡ଼େ ଗୋଡ଼େ ଜଗିଥିଲା ଅନାମକୁ. ସେଦିନ ଅନାମ ଉଠି ଡଗ ଡଗ ପାଦ ପକେଇ ସରପଞ୍ଚଙ୍କ ଘର ଆଡକୁ ରାତି ଅଧରେ ଯାଉଥିବା ଦେଖି ଦୂରତା ରଖି ଅନ୍ଧାରରେ ଫୁଲ ଵି ଚାଲିଲା. ଅନାମକୁ ସରପଞ୍ଚ ମଧ୍ୟ ଜଗିଥିଲେ. ପଇସା ଟଙ୍କା ନପାଇ ଅନାମ ଝିଅକୁ ଉଠାଇନେବା ସନ୍ଦେହରେ ପହରା ଦେଉଥିଲେ. କିଛି ନଶୁଣି ଅନାମ ଧସେଇ ପଶିଲା. ସାଆନ୍ତାଣୀଙ୍କ କୋଳରୁ ଲଷ୍ମୀକୁ ଉଠାଇ ଯେମିତି ଚାଲିଲା କାଠେ ପକେଇଲେ ମୁଣ୍ଡକୁ ସରପଞ୍ଚ. ଝିଅକୁ ମାଆ ସାଆନ୍ତାଣୀ ନେଇ ଭିତରକୁ ଚାଲିଗଲେ. ପୁଲିସ ଗାଡିଟା ପହଁଚିଲା ବେଳକୁ ଅନାମ ଶରୀରଟା ନିସ୍ତେଜ ହୋଇଆସୁଥିଲା. ପୋଲିସ ବାବୁ ସରପଞ୍ଚଙ୍କୁ ହାତ କଡା ପିନ୍ଧେଇବା ପୂର୍ବରୁ,ଫୁଲ କାଠ ଫାଳିଆ ଧରି ଓ ପୋଲିସକୁ ଦେଖାଇ କହିଲା ମୁଁ ମାରିଛି ବାବୁ. ମୋ ସ୍ୱାମୀକୁ ମୁଁ ମାରିଛି. ମୋର ତିନି ତିନିଟା ଝିଅଙ୍କୁ ମାରି ସାରିବା ପରେ ବାବୁଙ୍କ ଝିଅକୁ ନେଇ ମାରିବ ବସିଥିଲା ତ ମୁଁ ପ୍ରତିଶୋଧ ନେଇଛି. ପୋଲିସ ଫୁଲ ହାତରେ ହାତକଡା ପିନ୍ଧାଇ ନେଲା ବେଳେ ସରପଞ୍ଚ ଫୁଲକୁ କଣ କହିବାକୁ ଲାଗି ଆସିଥିଲେ ତ ଫୁଲ କହିଲା ମୋ ଝିଅ ଲାଗିଲା ବାବୁ ଆଉ ସବୁ ମତେ ଲାଗିଲା. ଥାନା, କୋର୍ଟ କି ପୋଲିସର ଯେତେ ଜେରା, ସବୁଥିରେ ଫୁଲ ନୀରବ ଥିଲା. କୌଣସି ପ୍ରଶ୍ନର ଉତ୍ତର ନଦେଇ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ କାଠରେ ଚଢିବା ପୂର୍ବରୁ ସରପଞ୍ଚଙ୍କୁ ସେହି ପଦକ ଦୋହରାଇଥିଲା. ମୋ ଲଷ୍ମୀ ଲାଗିଲା. ଲୁହ ଧାର ଧାର ବହିଯାଉଥିଲା ସରପଞ୍ଚ ଓ ତାଙ୍କ ସ୍ତ୍ରୀଙ୍କ ଆଖିରୁ. ଅପଲକ ନୟନରେ, ସାଆନ୍ତାଣୀଙ୍କ କୋଳରେ ଝିଅକୁ ଚାହିଁଥିବା ବେଳେ ଫୁଲ ବନ୍ଦିନୀ ସାଜିଥିଲା.
ଥାନା ଆଗରେ ପ୍ରବଳ ଭିଡ଼ ଫୁଲକୁ ଦେଖିବାକୁ. ଫୁଲ ନାମକ ନାରୀ କେବେ ମଣିଷ ମାରିପାରେନା, ଏକଥା କହିବାର ସତସାହାସ ନଥିଲା ଫୁଲର. ସମସ୍ତେ ତାକୁ ଦେଖୁଥିଲେ ଘୃଣ୍ୟ ନଜରରେ. ସେ ମଣିଷ ମାରିଛି, ପୁଣି ନିଜ ସ୍ୱାମୀଙ୍କୁ. କିଏ ତା ମୁହଁକୁ ନଣ୍ଡେ ଛେପ ପକାଉ ଥାଏ ତ କିଏ ଥୁ କହି ନାରୀ ଜାତିର କଳଙ୍କ କହୁଥିଲା ବେଳେ ତା ଦୃଷ୍ଟି ନିବଦ୍ଧ ଥାଏ ସେହି ଦୂର କଳା କାଉଟି ଉପରେ. ସତରେ କାଉ କଳା ହେଲେ ମଧ୍ୟ ତା ପାଖରେ କେତେ ଭଲ ଗୁଣ ଅଛି. କୋଇଲିର ଛୁଆ ଫୁଟେଇ ତାକୁ ଆଧାର ଦେଇ ବଡ଼ କରିବା ସହ ଶନିଙ୍କ ରୂପରେ ପିଲାଦିନେ ତା ବୋଉ ହାତରୁ ଚାଉଳ ଓ ପାଣି ପିଇ ଦୁରକୁ ଉଡ଼ିଗଲା ବେଳେ ବୋଉ କହେ ଉଡ଼ିଗଲୁ.. ଉଡ଼ିଗଲୁ.. ଶୁଭ ବାର୍ତ୍ତା ଦେଇଗଲୁ. ସେ ଶୁଭ ବାର୍ତ୍ତା ତା ନିଜ ପାଇଁ, ପୁତ୍ର ପ୍ରାପ୍ତି ପାଇଁ. ଥରକୁ ଥର ପେଟ ଆଉଁସି ଆଉଁସି ଅସମାପ୍ତ ଥିବା ଚାରି ଚାରିଟା କନ୍ୟା ସନ୍ତାନର ଜନନୀର ଆକୁଳତା ମାପିଛି ଫୁଲ ତା ବୋଉ ଭିତରେ.
ମାଆ ହେବା ଆଗରୁ ସେ ନାରୀ ରୂପେ ବଧୂଟିଏ. ବଧୂ ହେବା ଆଗରୁ କାହା ଝିଅଟିଏ. ଝିଅଟି ଆଖିରେ ଆଖିଏ ସ୍ବପ୍ନ ନେଇ ବଞ୍ଚିବାକୁ ଚାହୁଁଥିଲା ବେଳେ କଣ ନଦେଖିଛି ତା ଆଖି. ସେ ମଧ୍ୟ ତା ବାପମାଆଙ୍କର ଚତୁର୍ଥ କନ୍ୟା ସନ୍ତାନ ଥିଲା. ପୁଅଟିଏ ପାଇଁ ବାପା ମାଆ ଚାରିଗୋଟି କନ୍ୟା ସନ୍ତାନ ଜନ୍ମ କରି ମଧ୍ୟ ପୁଅଟିଏ ଆସିବା ପର୍ଯ୍ୟନ୍ତ ସନ୍ତାପିତ ହୋଇନଥିଲେ କେବେ ବରଂ ପୁଅକଢେଇ ଝିଅ ବୋଲି ବାପା ତାକୁ ଖୁବ ଭଲ ପାଉଥିଲେ. ଝିଅ ପୁଅ ଭିତରେ କେବେ ପ୍ରଭେଦ ଦେଖୁନଥିବା ପିତାମାତାଙ୍କ ଭାଗ୍ୟରେ କିଛି ଅଲଗା ଲେଖା ଥିଲା ନିଶ୍ଚୟ. ସାନ ଭାଇ ଯେତିକି ବଡ଼ ହେଉଥାଏ ସେତିକି ବଦମାସି ବଢୁଥାଏ. ଉପର ତିନିଭଉଣୀଙ୍କୁ ଦୁଃଖେ ସୁଖେ ବାହା କରିବା ପରେ ସେମାନେ ସୁଖରେ ଥାଆନ୍ତି.ଆଉ ଭାଇ ହୋଇଯାଇଥାଏ ଅଳସୁଆ ଓ ଜିଦଖୋର. ସେଦିନ ଜିଦ କରି ମୋବାଇଲ କିଣିବ କହି ବାପାଙ୍କୁ ପଇସା ମାଗିଥିଲା. ଏମିତି ଅନେକ ଥର ମାଗିସାରିଥିବା ଭାଇକୁ ବାପା କଥା ଦେଇଥିଲେ ଏ ସନ ଧାନ ଅମଳ ପରେ, ମଣ୍ଡିରୁ ଟଙ୍କା ପାଇବା ପରେ ତତେ ନିଶ୍ଚୟ ସ୍ମାର୍ଟ ମୋବାଇଲ ଫୋନ କିଣିଦେଵି. କିଛି ଶୁଣି ନଥିଲା ଭାଇ, ବୋଉର ପଟେ କାନ ଫୁଲ ଝିଙ୍କି ନେଇ ଦୌଡୁଥିଲା ବେଳେ ବାପା ଧରିଥିବା କଟୁରୀ ଭାଇ ଆଡକୁ ଫିଙ୍ଗିଥିଲେ. ବୋଉତ ମଲା ଗଲା. ଭାଇଟା ପଙ୍ଗୁ ହୋଇଗଲା ଫୁଲର. ତାକୁ ନିଜ ହାତରେ ପଙ୍ଗୁ କରିଥିବା ଦୁଃଖରେ ବାପା ବି ଚାଲିଗଲେ. ଏହି ମଉକାରେ ଅନାମର ହାତ ଧରିବାକୁ ବାଧ୍ୟ ହୋଇଥିଲା ଫୁଲ କିନ୍ତୁ ଭାଇଟା କୁଆଡେ ଯେ ଗଲା ତାର ପତ୍ତା ଠିକଣା ମିଳୁନଥିବା ବେଳେ ତିନି ତିନିଥର ତା କୋଳରେ ଜନମ ଲଭି ଥିବା କନ୍ୟାମାନଙ୍କୁ ସ୍ୱାମୀ ଅନାମ ଯେବେ ଉଠେଇ ନିଏ ତାକୁ ଅନାମ କଂସ ରୂପେ ପ୍ରତୀୟମାନ ହୁଏ. ଏମିତି ଦୁଃଖ ପରେ ଦୁଃଖ ତାର ଭାଗ୍ୟରେ ବିହି ଲେଖିଥିଲା ଯେ ଚତୁର୍ଥ କନ୍ୟାଟିକୁ ସେ ଜମା ଦେଉନଥିଲା ଅନାମ ହାତକୁ. ଯେତେ ନେହୁରା ହେଲେ ମଧ୍ୟ ଶୁଣିଲାନି ଅନାମ . ଭିଡି ନେଲା କୋଳରୁ କିନ୍ତୁ ବଞ୍ଚିଗଲା ଝିଅ . ନିଃସନ୍ତାନ ଦମ୍ପତ୍ତି ସରପଞ୍ଚ ଝିଅକୁ ଉଠାଇ ନେବା ଦେଖିଥିଲା ଅନାମ ତ ଲୁଟିଲା ତାଙ୍କୁ. ଭୋଟରେ ହାରିବା ପରେ ସେ ଆଉ ଟଙ୍କା ପଇସା ଦେଇ ନପାରିବାରୁ ଅନାମ ଝିଅକୁ ଆଣି ପଙ୍ଗୁ କରି ରୋଜଗାର କରିବା କଥା ସେ କେମିତି ମାଆ ହୋଇ ସହିଥାଆନ୍ନ୍ତା!ହୃଦୟ ଫାଟି ଯାଉଥିଲା. ଆଖି ଆଗରେ ନାଚି ଯାଉଥିଲା ସେହି ସବୁ କରୁଣ ଦୃଶ୍ୟ.ଯେତେବେଳେ ଅନାମ ସରପଞ୍ଚଙ୍କ ପତ୍ନୀ ସାଆନ୍ତାଣୀଙ୍କ କୋଳରୁ ଝିଅକୁ ତାର ଭିଡି ଆଣୁଥିଲା ସରପଞ୍ଚ ପକାଇଥିଲେ କାଠଫାଳିଆ ପାହାର ଅନାମ ମୁଣ୍ଡକୁ ଆଉ ଝିଅ ତାର ବଞ୍ଚିଯାଉ ଦୁନିଆଁରେ ଜଣଙ୍କ ମଧ୍ୟରେ ଜଣେ ହେଉ ବୋଲି ଭାବି ତ ପୋଲିସ ଆସିବା ବେଳେ ସେହି କାଠଫାଳିଆ ନିଜେ ଧରି ଫୁଲ କହିଥିଲା ମୁଁ ମାରିଛି ଅନାମକୁ କାରଣ ଅନାମ ପ୍ରଜା ହୋଇ ରାଜା ଝିଅକୁ ସାଆନ୍ତାଣୀଙ୍କ କୋଳରୁ ଭିଡି ନେଇଯିବା ଦୃଶ୍ୟ ସହିଥାଆନ୍ତା କିପରି?
ହତ୍ୟାର କାରଣ ଓ ଉଦେଶ୍ୟ ଜଣାପଡି ଯାଇଥିଲେ ମଧ୍ୟ ଫୁଲର ନୀରବତା ତାକୁ ଦୋଷୀ ସାବ୍ୟସ୍ତ କଲାବେଳେ ତା ଝିଅ ମୁହଁ ଦେଖାଯାଉଥିଲା ତାକୁ. ଭଗବାନ ସବୁ ଦେଖୁଥାଆନ୍ତି. ପ୍ରାରବ୍ଧ କର୍ମଫଳ ଭୋଗିବାକୁ ପଡୁଥିଲେ ମଧ୍ୟ ଶେଷ ଆଶ୍ରା ତ ତାଙ୍କରି ଆଶୀର୍ବାଦ . ସରପଞ୍ଚ ଫୁଲକୁ ଜାମିନିରେ ଘରକୁ ନେଲେ. ଝିଅର ଦେଖାଶୁଣା ପାଇଁ ନିୟୋଜିତ କଲେ. ଦଶହରା ପୂଜାରେ ସୀମାଞ୍ଚଳ ବୁଲାଇ ନେଲାବେଳେ ସେଠି ଫୁଲ ଦେଖିଥିଲା ତା ଭାଇକୁ. ପଙ୍ଗୁ ଗୋଡ଼ ତାର ପ୍ଲାଷ୍ଟିକ ସର୍ଜ୍ଜରୀ ହୋଇସାରିଥିଲା ତ ସେ କହୁଥିଲା ମାଆ ଦୁର୍ଗେ ଦୁର୍ଗତିନାଶିନୀ ମାଆ ଦେବୀ, ତୁ ହିଁ ଭରସା.ଏବେ ଫୁଲ ହତ୍ୟାକାରୀ ନୁହେଁ ମଙ୍ଗଳମୟୀ ଦେବୀ ପାଲଟି ଯାଇଥିଲା ବେଳେ ପୁଣି ତାକୁ ଥାନାରୁ ଡାକରା ଆସିଥିଲା. ସରପଞ୍ଚ ଭରସା ଦେଇଥିଲେ. ଫୁଲକୁ କୋର୍ଟ ଚାଲାଣ ବେଳେ ଭାଇ ସହ ଝିଅ ଇତ୍ୟାଦି କାନ୍ଦୁଥିଲେ ଖୁବ ସମସ୍ତେ କିନ୍ତୁ ଶିଶୁର ଆତ୍ମରକ୍ଷା ପାଇଁ ଫୁଲ ଅନାମକୁ ମାରିଥିବାରୁ ତଥା ମାଆ ଦୁର୍ଗାଙ୍କ କରୁଣାରୁ ଦୋଷୀ ଫୁଲ, ଖୁବ ଶୀଘ୍ର ନିର୍ଦୋଷୀ ସାବ୍ୟସ୍ତ ହୋଇ ଖଲାସ ହୋଇଥିଲା.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ