ବଜାରରେ ବିକ୍ରୀ ହେଉଥିବା ପାଉଁରୁଟିରେ ରହୁନି କୌଣସି ସୂଚନା!
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ସହର ତଥା ଏହାର ଆଖପାଖ କେତେକ ଚାହା ଦୋକାନ ସମେତ ଅନ୍ୟାନ୍ୟ ବହୁ ବ୍ୟବସାୟୀ ପ୍ରତିଷ୍ଟାନରେ ବିକ୍ରୀ ହେଉଛି ଭଳିକି ଭଳି ପାଉଁରୁଟି, କେକ୍ ଓ ବିସ୍କୁଟ୍ । ତେବେ କେତେକ ବ୍ୟବସାୟ ପ୍ରତିଷ୍ଟାନରେ ବିକ୍ରୀ ହେଉଥିବା ପାଉଁରୁଟି ଓ କେକ୍ ପ୍ୟାକେଟ୍ ଉପରେ ରହୁନି ପ୍ରସ୍ତୁତି ତାରିଖ ଓ ଅବଧି ଶେଷ ତାରିଖ । ଯାହାରି ଫଳରେ ପାଉଁରୁଟି ଓ କେକ୍ କିଣୁଥିବା ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । କେତେକ ବ୍ୟବସାୟ ପ୍ରତିଷ୍ଟାନ ଦୀର୍ଘ ଦିନ ଧରି ପାଉଁରୁଟି ଓ କେକ୍ ପ୍ୟାକେଟ୍ ଗୁଡିକ ନିଜ ଦୋକାନରେ ରଖି ବିକ୍ରୀ କରୁଥିବା ଅଭିଯୋଗ ହେଉଛି । ଅନେକ ସମୟରେ ପାଉଁରୁଟି ଗୁଡିକ ବହୁ ଦିନ ପର୍ଯ୍ୟନ୍ତ ପଡି ରହିବା ଫଳରେ ଖରାପ ହେବା ସହ ଫିମ୍ପି ପଡିଯାଉଛି । ଏପରିକି କେତେକ ଗ୍ରାହକ ମଧ୍ୟ ପ୍ୟାକେଟ ଖୋଲିବା ପରେ ଯଦି ପାଉଁରୁଟି ଖରାପ ଥାଏ ତେବେ ତାହା ଫେରାଇଲେ ମଧ୍ୟ କେତେକ ଦୋକାନୀ ନେଉନଥିବା ଦେଖିବାକୁ ମିଳୁଛି । ସ୍ଥଳ ବିଶେଷରେ ଗ୍ରାହକ ମାନେ ବାଧ୍ୟ ହୋଇ ଫିମ୍ପି ମରା ପାଉଁରୁଟି କଣିବାକୁ ବାଧ୍ୟ ହେଉଛନ୍ତି । ସରକାରୀ ନୀତି ନୀୟମ ଉଲଂଘନ କରି କୌଣସି ସୂଚନା ଉପଲବ୍ଧ ନଥାଇ ବିକ୍ରୀ ହେଉଥିବା ପାଉଁରୁଟି ବିକ୍ରୀ କେନ୍ଦ୍ର ଉପରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଉ ନଥିବା ଯୋଗୁଁ ସାଧାରଣରେ ଆସନ୍ତୋଷ ପ୍ରକାଶ ପାଉଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବହୁ ପରିବାର ସକାଳୁ ଜଳଖିଆ ପାଇଁ ପାଉଁରୁଟି ଖାଇଥାନ୍ତି । ସେହିଭଳି ଶରୀର ଅସୁସ୍ଥ ହେଲେ ଭାତ କିମ୍ବା ରୁଟି ବଦଳରେ ପାଉଁରୁଟି ମଧ୍ୟ ଲୋକେ ଖାଇ ଥାନ୍ତି । ଶିଶୁ ମାନେ ମଧ୍ୟ ପାଉଁରୁଟି ଖାଇବାକୁ ଅଧିକ ଆଗ୍ରହ ପ୍ରକାଶ କରିଥାନ୍ତି । ଲୋକଙ୍କ ଆବଶ୍ୟକତା ଦୃଷ୍ଟିରେ ରଖି ବହୁ ବ୍ୟବସାୟ ପ୍ରତିଷ୍ଟାନ ବିଭିନ୍ନ ଅଞ୍ଚଳରୁ ବହୁ ସ୍ୱାଦିଷ୍ଟ ପାଉଁରୁଟି ମଗାଇ ବିକ୍ରୀ କରିଥାନ୍ତି । ତେବେ କେତେକ ପାଉଁରୁଟି ପ୍ୟାକେଟ୍ରେ ପ୍ରସ୍ତୁତକାରୀ ସଂସ୍ଥାର ଠିକଣା ରହିବା ତ ଦୂରର କଥା ପ୍ରସ୍ତୁତ ତାରିଖ ଏବଂ ଅବଧି ଶେଷ ତାରିଖ ମଧ୍ୟ ରହୁ ନଥିବା ଅଭିଯୋଗ ହେଉଛି । ତେବେ ଗତ କିଛି ମାସ ହେଲା ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ କୌଣସି ସୂଚନା ଉପଲବ୍ଧ ନଥିବା ପାଉଁରୁଟି ବିକ୍ରୀ ହେଉଥିବା ଆଲୋଚିତ ହେଉଛି । ଆସିକା ଅଞ୍ଚଳରେ ପାଉଁରୁଟି ବିକ୍ରୀ ଦିନକୁ ଦିନ ବୃଦ୍ଧିପାଇ ଚାଲିଥିବା ଯୋଗୁଁ କେତେକ କମ୍ପାନୀ ଲୋକଙ୍କ ଜୀବନ ସହ ଖେଳୁଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ଖାଦ୍ୟ ପଦାର୍ଥର ଯାଞ୍ଚ କରିବା ସାଙ୍ଗକୁ ବଜାରରେ ବିକ୍ରୀ ହେଉଥିବା ପାଉଁରୁଟି ଓ କେକ୍ ପ୍ୟାକେଟ ଉପରେ ପ୍ରସ୍ତୁତି ତାରିଖ ଓ ଅବଧି ଶେଷ ତାରିଖ ଯେପରି ରହି ପାରିବ ସେ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।